Home Economy ପଶ୍ଚିମଓଡିଶା ଉପରେ ଫୋକସ

ପଶ୍ଚିମଓଡିଶା ଉପରେ ଫୋକସ

ଭୁବନେଶ୍ୱର : ବର୍ତ୍ତମାନ ଫୋକସରେ ପଶ୍ଚିମଓଡିଶା । ଏହି ଅଞ୍ଚଳର ଶିଳ୍ପ ଅଭିବୃଦ୍ଧି ଓ ଅର୍ଥନୈତିକ ବିକାଶ ନିମନ୍ତେ ରୋଡମ୍ୟାପ୍‍ ପ୍ରସ୍ତୁତ ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି ।

ଏଥି ସକାଶେ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ଆଗାମୀ କାଲିଠାରୁ ପଶ୍ଚିମଓଡିଶା ଗସ୍ତ କରୁଛନ୍ତି । ଆଗାମୀ କାଲି ଝାରସୁଗୁଡା ଠାରେ ୫ଟି ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗଦେବେ । ଶିଳ୍ପ ବିଭାର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଓ ଇଡ୍‍କୋର ଅଧ୍ୟକ୍ଷ ସଞ୍ଜୟ ସିଂହ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଫିସରମାନେ ଏଠାରେ ଉପସ୍ଥିତ ରହିବେ ।

ପୁଞ୍ଜି ଆକର୍ଷଣ କ୍ଷେତ୍ରରେ ପଶ୍ଚିମଓଡିଶାର ଜିଲ୍ଲାମାନଙ୍କୁ ନିବେଶକାରୀମାନଙ୍କୁ ଆକୃଷ୍ଟ କରିବା ସକାଶେ ସ୍ୱତନ୍ତ୍ର ରୋଡ୍‍ମ୍ୟାପର ଆବଶ୍ୟକତା ରହିଛି । କାରଣ କୋଭିଡ ମହାମାରୀ ଯୋଗୁଁ ଯେଉଁ ମାନ୍ଦା ଅବସ୍ଥା ଉପୁଜିଛି ତାହାର ନିରାକରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ବିଶେଷକରି ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ରପାଇଁ ଅଗ୍ରାଧିକାର ଯୋଜନା ପ୍ରସ୍ତୁତ ହେବାର ଆବଶ୍ୟକତା ଉପୁଜିଛି ।

ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପଦ୍ୟୋଗୀମାନଙ୍କୁ ଚିହ୍ନଟ କରି ସେମାନଙ୍କର ଅଭାବ ଓ ଆବଶ୍ୟକତା ସଂକ୍ରାନ୍ତରେ ଚିଠା ପ୍ରସ୍ତୁତ କରାଯିବ । କାରଣ ଉଦ୍ୟୋଗୀମାନେ ମହାମାରୀ ସମୟରେ ବିଶେଷ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବ୍ୟବସାୟିକ ବ୍ୟାଙ୍କମାନେ ଋଣଦେବା କ୍ଷେତ୍ରରେ ଟାଳଟୂଳ ନୀତି ଅବଲମ୍ବନ କରିବାଯୋଗୁଁ ଉଦ୍ୟୋଗୀମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପଶ୍ଚିମଓଡିଶାର ପ୍ରତ୍ୟେକ ଜିଲ୍ଲାରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ଚିହ୍ନଟ କରାଯାଇ ଏହାର ଅଧିକ ଉତ୍ପାଦନ ଏବଂ ରପ୍ତାନି ଉପରେ ଗୁରୁତ୍ୱଆରୋପ କରାଯିବ । ଗୋଟିଏ ଜିଲ୍ଲା ଗୋଟିଏ ରପ୍ତାନି କ୍ଷେତ୍ର ଯୋଜନାରେ କେନ୍ଦ୍ର ସରକାର ରପ୍ତାନିକୁ ଜିଲ୍ଲା ସ୍ତରରୁ ପ୍ରୋତ୍ସାହନ ଦେବାପାଇଁ ପଦକ୍ଷେପ ନେଉଥିବାବେଳେ ରାଜ୍ୟ ସରକାର ଏହାକୁ ଏମ୍‍ଏସ୍‍ଏମ୍‍ଇ ବିଭାଗ ଜରିଆରେ କାର୍ଯ୍ୟକାରୀ କରୁଛନ୍ତି । ତେବେ ସମ୍ବଲପୁର, ବରଗଡ, ସୋନପୁର, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀମାନଙ୍କର ଏହି ବୈଠକରେ ବିଭିନ୍ନ କ୍ଷେତ୍ରକୁ ଅଗ୍ରାଧିକାର ଭିତ୍ତିରେ ଚିହ୍ନଟ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।

ଉଦାହରଣ ସ୍ୱରୂପ ସମ୍ବଲପୁର, ବରଗଡ ଓ ସୋନପୁର ଜିଲ୍ଲାରୁ ଧାନ ଓ ଏଥିରୁ ପ୍ରସ୍ତୁତ ସାମଗ୍ରୀ, ହସ୍ତତନ୍ତ ଓ ବୟନଶିଳ୍ପ ସାମଗ୍ରୀର ଗୁଣାତ୍ମକ ଅଭିବୃଦ୍ଧି କରାଯାଇ ଦେଶ ଓ ବିଦେଶରେ ଏହାର ଯେଭଳି ଚାହିଦା ସୃଷ୍ଟି କରାଯାଇପାରିବ ସେଥିପାଇଁ ରୋଡ୍‍ମ୍ୟାପ୍‍ ପ୍ରସ୍ତୁତ କରାଯିବ । ବଲାଙ୍ଗିରରୁ ଉତ୍ପାଦିତ ଅଣ୍ଡା ଯେଭଳି ଅନ୍ୟ ଜିଲ୍ଲାପାଇଁ ମାଇଲ୍‍ଖୁଣ୍ଟ ହୋଇଛି ଅନୁରୂପ ଭାବେ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାରେ କିଭଳି ଶିଳ୍ପ ଅଭିବୃଦ୍ଧି ସାଙ୍ଗକୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ତଥା ଉଦ୍ୟୋଗୀମାନଙ୍କୁ କିଭଳି ପ୍ରୋତ୍ସାହିତ କରାଯାଇ ପାରିବ ସେଥିପାଇଁ ଆଲୋଚନା କରାଯିବ । ୨୨ ତାରିଖରେ ଝାରସୁଗୁଡା ଠାରେ ମାନସ ମନ୍ଥନ କରାଯାଉଥିବାବେଳେ ୨୩ତାରିଖରେ ରାଉରକେଲାରେ ଅନୁରୂପ ବିଚାର ଆଲୋଚନା କରାଯିବା ପାଇଁ ସ୍ଥିର ହୋଇଛି ।