Home Industry ଶିଳ୍ପସଂସ୍ଥାଙ୍କ ମଞ୍ଜୁର ଜମି ବାତିଲ

ଶିଳ୍ପସଂସ୍ଥାଙ୍କ ମଞ୍ଜୁର ଜମି ବାତିଲ

ଭୁବନେଶ୍ୱର : ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଜମି ନେଇଥିବା ପ୍ରାୟ ୨୦ଟି ସଂସ୍ଥା କାରଖାନା ପ୍ରତିଷ୍ଠା କରିପାରୁ ନାହାନ୍ତି । କାହାର ଜମି ବାତିଲ ହୋଇଗଲାଣି ତ ଆଉ କହାର ଜମି ବାତିଲ ପାଇଁ ସରକାରଙ୍କ ମଞ୍ଜୁର ଅପେକ୍ଷାରେ ରହିଛି ।

ଏହିସବୁ କାରଖାନା ମଧ୍ୟରେ ରହିଛି କଟକ ଜିଲ୍ଲା ନରାଜ ମାର୍ଥାପୁର ଠାରେ ଟାଟା ପାୱାରର ଶକ୍ତି ପ୍ରକଳ୍ପ । ଏହି ପ୍ରକଳ୍ପ ପାଇଁ ମୋଟ୍‍ ୮୭୧ ଏକର ଜମି ଯୋଗାଯାଇଥିବାବେଳେ କମ୍ପାନୀ ତାହାକୁ ବ୍ୟବହାର କରିପାରିନାହିଁ । ଏହି ଜମି ଏବେ ବାତିଲ ପାଇଁ ସରକାରଙ୍କ ମଞ୍ଜୁରୀ ଅପେକ୍ଷାରେ ରହିଛି । ଏଠାରେ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ ଟାଟା ପାୱାର ପଛଘୁଞ୍ଚା ଦେଇଛି ।

ଅନୁରୂପ ଭାବେ କେନ୍ଦୁଝର ଜିଲ୍ଲାରେ ଟିସ୍‍କୋକୁ ଦିଆଯାଇଥିବା ୧୨୦ ଏକର ଜମିକୁ କମ୍ପାନୀ ପକାଇ ରଖିବାରୁ ସରକାର କାରଣ ଦର୍ଶାଅ ନୋଟିସ୍‍ ଜାରି କରିଛନ୍ତି । ଝାରସୁଗୁଡା ଜିଲ୍ଲାରେ କୋଣାର୍କ ଇସ୍ପାତ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା । ଏଠାରେ କମ୍ପାନୀକୁ ମିଳିଥିବା ୧୧୩ଏକର ଜମି ବ୍ୟବହାର ନହୋଇ ପଡିରହିଛି । ଇତି ମଧ୍ୟରେ ଏହି ଜମି ପାଇଁ ଟିସ୍‍କୋକୁ କାରଣ ଦର୍ଶାଅ ନୋଟିସ୍‍ ଜାରି କରାଯାଇଛି ।

ତେବେ ଜମି ନେଇ ପକାଇ ରଖିବା ତାଲିକାରେ ସର୍ବାଧିକ କମ୍ପାନୀ ଅନୁଗୁଳ ଜିଲ୍ଲାରେ ରହିଛନ୍ତି । ଏହି ତାଲିକାରେ ମୋନେଟ ଇସ୍ପାତ ଆଣ୍ଡ ଏନର୍ଜି, ଟାଟା ସ୍ପଞ୍ଜ ଆଇରନ୍‍ ଲିମିଟେଡ, ଉତ୍‍କଳ କୋଲ ଲିମିଟେଡ, ମହାନଦୀ କୋଇଲା କମ୍ପାନୀ, ଜିିନ୍ଦଲ ଷ୍ଟିଲ ଆଣ୍ଡା ପାୱାର । ଏହିସବୁ କମ୍ପାନୀକୁ ମିଳିଥିବା ଜମି ବ୍ୟବହାର ହୋଇନଥିବାବେଳେ କୋଇଲା ବ୍ଲକ ପୁନଃ ମଞ୍ଜୁର କରାଯାଇଛି ।

ସେହିଭଳି ଯାଜପୁର ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଉତ୍ତମ ଗାଲ୍‍ଭା ଷ୍ଟିଲ ଓ ବ୍ରାଡି ଆଣ୍ଡ ମୋରିସ୍‍କୁ ଦିଆଯାଇଥିବା ଜମି ବି ବ୍ୟବହାର ନହୋଇ ମାମଲାରେ ଛନ୍ଦିହୋଇ ଯାଇଛି । ଏହି ଜିଲ୍ଲାରେ ଉତ୍ତମ ଗାଲ୍‍ଭାକୁ ୩୮୬ ଏକର ଜମି ଦିଆଯାଇଥିବାବେଳେ ବ୍ରାଡି ଆଣ୍ଡ ମୋରିସକୁ ୧୫ଏକର ଜମି ଦିଆଯାଇଥିଲା ।

ବଲାଙ୍ଗିର ଜିଲ୍ଲାରେ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସାହାରା ପାୱାରକୁ ଦିଆଯାଇଥିବା ୪୬୬ଏକର ଜମିର ମଞ୍ଜୁର ବାତିଲ ସହିତ ତାହାକୁ ଫେରାଇ ଅଣାଯାଇଥିବା ଜଣାଯାଇଛି । କଟକ ଜିଲ୍ଲାର ବ୍ରାହ୍ମଣବସ୍ତ ଠାରେ ଭିସା ପାୱାରକୁ ଦିଆଯାଇଥିବା ୪୯୫ ଏକର ଜମି ବ୍ୟବହାର ନହେବାରୁ ତାହାକୁ ମଧ୍ୟ ବାତିଲ କରାଯାଇଛି । କୋରାପୁଟ ଜିଲ୍ଲାରେ ଆଦିତ୍ୟ ଆଲୁମିନାକୁ ଦିଆଯାଇଥିବା ୪୩୩ ଏକର ଜମି ବି ଅବ୍ୟବହୃତ ହୋଇ ପଡିଛି ।

ଉଲ୍ଲେଖନୀୟ ଯେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ୭୫ଟି ସଂସ୍ଥାକୁ ୪୫ହଜାର ଏକରରୁ ଅଧିକ ଜମି ଯୋଗାଇ ଦେଇଥିବାବେଳେ ଏଥିରୁ ପ୍ରାୟ ୨୦ଟି ସଂସ୍ଥା କିଛି କାମ କରିନଥିବାବେଳେ ଆଉ କିଛି ସଂସ୍ଥାର ଜମିର ବ୍ୟବହାର କରିଥିଲେ ବି କାରଖାନା ପ୍ରତିଷ୍ଠା କରିପାରି ନାହାନ୍ତି ।