Home News in Odia ସୋମବାର ଠାରୁ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ମନା

ସୋମବାର ଠାରୁ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ମନା

ଭୁବନେଶ୍ୱର : କରୋନା ସଂକ୍ରମଣ ଯୋଗୁଁ ଆସନ୍ତା ସୋମବାର ଠାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଆଜି ଏହି ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିର ଭିତରେ ସେବକ ଓ କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ଭକ୍ତଙ୍‍କ ପାଇଁ ଶ୍ରୀମନ୍ଦିର ଖୋଲା ହେବ କି ନାହିଁ ସେ ସଂକ୍ରାନ୍ତରେ ଆଜି ଛତିଶା ନିଯୋଗ ସହିତ ଶ୍ରୀମନ୍ଦିର ପ୍ରଶାସନ ବୈଠକ ବସିଥିଲା । ବୈଠକ ପରେ ପୁରୀ ଜିଲ୍ଲାପାଳ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ ।

ଜିଲ୍ଲାପାଳ କହିଥିଲେ ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ଏହି କଟକଣା ଆସନ୍ତା ଜାନୁୟାରୀ ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ପରେ ସ୍ଥିତିକୁ ଦେଖି ନିଷ୍ପତ୍ତି ଗ୍ରହଣ କରାଯିବ ।

ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହୁଥିଲେ ମଧ୍ୟ ଶ୍ରୀଜୀଉମାନଙ୍କ ନୀତିକାନ୍ତି ଉପରେ କୌଣସି ପ୍ରଭାବ ପଡିବ ନାହିଁ । ପୂର୍ବଭଳି ସମସ୍ତ ନୀତିକାନ୍ତି ଜାରି ରହିବ ।

ତେବେ ଶୁକ୍ରବାର ଠାରୁ ରାଜ୍ୟର ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୯ଟାରୁ ଲାଗୁ ହେଉଥିବାରୁ ତାହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରକୁ ଶୁକ୍ରବାର ଠାରୁ ରାତ୍ର ୮.୩୦ ପର୍ଯ୍ୟନ୍ତ ଖୋଲା ରଖିବାକୁ ସ୍ଥିତି ହୋଇଛି ।

ଉଲ୍ଲେଖନୀୟ ଯେ ପୂର୍ବରୁ ମଧ୍ୟ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ତେବେ କଟକଣା ମଧ୍ୟରେ ଶ୍ରୀଜୀଉମାନଙ୍କର ରଥଯାତ୍ରା ଠାରୁ ଆରମ୍ଭକରି ସୁନାବେଶ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here