Home News in Odia ଶ୍ରୀଲିଙ୍ଗରାଜ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ମନା

ଶ୍ରୀଲିଙ୍ଗରାଜ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ମନା

ଭୁବନେଶ୍ୱର : ଚାରି ଜଣ ସେବାୟତ କରୋନା ପଜିଟିଭ ଚିହ୍ନଟ ହେବାପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଭକ୍ତମାନେ ମନ୍ଦିର ଭିତରକୁ ଯାଇପାରିବେ ନାହିଁ । କରୋନା ସଂକ୍ରମଣକୁ ପ୍ରତିହତ ଲାଗି ବିଏମ୍‍ସି ଏଭଳି ପଦକ୍ଷେପ ନେଇଛି ।

ବିଏମ୍‍ସି ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ଅବଗତ କରାଯାଇଛି । ଦର୍ଶାଯାଇଛି ଯେ ଗତକାଲି ୬୦ଜଣ ସେବାୟତଙ୍କ କୋଭିଡ ପରୀକ୍ଷା ହୋଇଥିବାବେଳେ ୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଆଉ ୧୮୫ଜଣ ସେବାୟତଙ୍କର ନମୂନା ପରୀକ୍ଷା ହୋଇଛି ।

ଶ୍ରୀଲିଙ୍ଗରାଜ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବାବେଳେ ଠାକୁରଙ୍କ ନୀତିକାନ୍ତି କିନ୍ତୁ ପୂର୍ବଭଳି ଜାରି ରହିବ । ସେବାୟତ ମାନେ ଏହାକୁ ସମାପନ କରିବେ ବୋଲି ବିଏମ୍‍ସି ପକ୍ଷରୁ କୁହାଯାଇଛି ।

ତେବେ ଅଶୋକାଷ୍ଟମୀ ଅବସରରେ ରୁକୁଣା ରଥଯାତ୍ରା ପୂର୍ବ ନିଷ୍ପତ୍ତି ଅନୁଯାୟୀ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ରୁକୁଣା ରଥଯାତ୍ରାରେ ଅଂଶଗ୍ରହଣ କରିବାକୁ ଥିବା ସେବକମାନଙ୍କର କରୋନା ପରୀକ୍ଷା ସମୟରେ ୪ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ଯାଇଥିବା ନମୂନା ରିପୋର୍ଟକୁ ଅପେକ୍ଷା କରାଯାଇଛି ।