Home News in Odia ଭଙ୍ଗାଯିବ ଆଉ ୫୫୦୦ବେଆଇନ୍‍ ଧର୍ମାନୁଷ୍ଠାନ

ଭଙ୍ଗାଯିବ ଆଉ ୫୫୦୦ବେଆଇନ୍‍ ଧର୍ମାନୁଷ୍ଠାନ

ଭୁବନେଶ୍ୱର : ସରକାରୀ ଜମିରେ ବେଆଇନ୍‍ ଭାବେ ନିର୍ମାଣ କରାଯାଇଥିବା ମନ୍ଦିର ସମେତ ଅନ୍ୟୁନ ୧୭୦୦ ଧର୍ମାନୁଷ୍ଠାନ ଇତି ମଧ୍ୟରେ ଭଙ୍ଗା ସରିଲାଣି । ଏବେ ବି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଉ ପ୍ରାୟ ୫୫୦୦ ଏଭଳି ଧର୍ମାନୁଷ୍ଠାନ ଭାଙ୍ଗିବାପାଇଁ ପ୍ରସ୍ତାବ ରହିଛି ।

ଏଠାରେ ଉଲ୍ଲେଖନୀୟ ଯେ ଧର୍ମାନୁଷ୍ଠାନ ନାମରେ ସାରା ଦେଶରେ ବ୍ୟାପକ ସରକାରୀ ଜମି ଜବରଦଖଲ କରାଯିବା ସହ ଅନେକ କ୍ଷେତ୍ରରେ ଏଥିପାଇଁ ରାସ୍ତାଘାଟ ଓ ଅନ୍ୟ ସର୍ବସାଧାରଣ ସ୍ଥାନ ବି କିଛି ବ୍ୟକ୍ତି ଓ ସଂସ୍ଥା ମାଡି ବସିଥାନ୍ତି । ଏ ପ୍ରସଙ୍ଗରେ ସୁପ୍ରିମ୍‍କୋର୍ଟ ଗଭୀର ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ଜବରଦଖଲରେ ଥିବା ଧର୍ମାନୁଷ୍ଠାନଗୁଡିକୁ ଭାଙ୍ଗିବାପାଇଁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କେବଳ ସେତିକି ନୁହେଁ, ପ୍ରଶାସନ ସୁପ୍ରିମ୍‍କୋର୍ଟଙ୍କ ଏହି ନିର୍ଦ୍ଦେଶକୁ କେତେଦୂର ପ୍ରତିପାଳନ କରୁଛି ସେ ସମ୍ପର୍କରେ ତଦାରଖ କରିବାଲାଗି ମଧ୍ୟ ହାଇକୋର୍ଟଗୁଡିକୁ ସୁପ୍ରିମ୍‍କୋର୍ଟ କହିଛନ୍ତି ।

ସୁପ୍ରିମ୍‍କୋର୍ଟଙ୍କ ଏହି ନିର୍ଦ୍ଦେଶନାମା ମିଳିବାପରେ ରାଜ୍ୟ ସରକାର ଏଥିଲାଗି ସ୍ୱତନ୍ତ୍ର କମିଟି ଗଠନ କରିବା ସଂଗେ ସଂଗେ ଜିଲ୍ଲା ପ୍ରଶାସନଗୁଡିକୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ଜିଲ୍ଲାରୁ ରାଜ୍ୟ ପ୍ରଶାସନ ନିକଟରେ ପହଞ୍ଚିଥିବା ତଥ୍ୟ ମୁତାବକ ଓଡିଶାରେ ଏଯାବତ୍‍ ସରକାରୀ ଜମି ଦଖଲକାରୀ ୧୮ହଜାରରୁ ଉର୍ଦ୍ଧ୍ୱ ଧର୍ମାନୁଷ୍ଠାନକୁ ଚିହ୍ନଟ କରାଯାଇଛି ।

ସୁପ୍ରିମ୍‍କୋର୍ଟ ଓ ହାଇକୋର୍ଟ ଏହି ପ୍ରସଙ୍ଗ ଉପରେ ନଜର ରଖିଥିବାରୁ ଏପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲ୍ଲାରେ ସରକାରୀ ଜମି ଜବରଦଖଲକାରୀ ମଧ୍ୟରୁ ଏଯାବତ୍‍ ୧୭୦୦ରୁ ଅଧିକ ପୂଜାପୀଠ ଭଙ୍ଗା ସରିଲାଣି । ତେବେ ଅନେକ କ୍ଷେତ୍ରରେ ସ୍ଥାନୀୟ ଲୋକେ ମନ୍ଦିର ସମେତ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଭାଙ୍ଗିବାକୁ ବିରୋଧ କରୁଥିବାବେଳେ ରାଜନୈତିକ ଚାପ ଯୋଗୁଁ ଏହି ଉଚ୍ଛେଦ କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ ।

ନଦୀ ପଠାରେ ମନ୍ଦିର ଓ ଅନ୍ୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ୍‍ ହୋଇଥିବାରୁ ସାଲେପୁର ଅଞ୍ଚଳରେ ମହାନଦୀ ପଠାରେ ନିର୍ମିତ ଏକ ପଞ୍ଚମୁଖୀ ହନୁମାନ ମନ୍ଦିରକୁ ଭାଙ୍ଗିବାପାଇଁ ଜାତୀୟ ଗ୍ରିନ୍‍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ଅଣ୍ଟା ଭିଡି ବାରମ୍ବାର ବ୍ୟର୍ଥ ହେଉଛି । ପୁଲିସ୍‍ ଫୋର୍ସ ଜେସିବି ନେଇ ବି ନିକଟରେ ବରିଷ୍ଠ ଅଧିକାରୀମାନେ ଏହି ମନ୍ଦିରକୁ ଭାଙ୍ଗିବା ପରିବର୍ତ୍ତେ ସେଠାରେ ମୁଣ୍ଡିଆମାରି ଫେରିବାକୁ ବାଧ୍ୟ ହୋଇଛନ୍ତି । ସେହିଭଳି ଭୁବନେଶ୍ୱର ମହାନଗର ନିଗମର ଘାଟିକିଆ ଅଞ୍ଚଳରେ ରାସ୍ତାକଡରେ ଥିବା ଆଉ ଏକ ମନ୍ଦିରକୁ ଭାଙ୍ଗିବାପାଇଁ ବାରମ୍ବାର ଉଦ୍ୟମ କରି ବି ପ୍ରଶାସନ ଫେଲ ମାରୁଛି । ଏଭଳି ଉଦାହରଣ ସାରା ରାଜ୍ୟରେ ଅନେକ ।

ସରକାରୀ ତଥ୍ୟ ମୁତାବକ ଭଙ୍ଗାଯାଇ ପାରୁନଥିବା ଏଭଳି ଆଉ ପ୍ରାୟ ୫ଶହ ଧର୍ମାନୁଷ୍ଠାନକୁ ଇତି ମଧ୍ୟରେ ବିକଳ୍ପ ଜମି ଦେବାକୁ ସରକାର ବାଧ୍ୟ ହୋଇଛନ୍ତି । ଏହାଛଡା ଆଉ ପ୍ରାୟ ୧୧ହଜାର ସରକାରୀ ସମ୍ପତ୍ତି ଜବରଦଖଲକାରୀ ଧର୍ମାନୁଷ୍ଠାନ ନାମରେ ଜମି ପଟା କରିବାପାଇଁ ଉଦ୍ୟମ ଚାଲିଛି । ଏହି ଧର୍ମାନୁଷ୍ଠାନଗୁଡିକ ଟ୍ରାଫିକ ସମସ୍ୟା କିମ୍ବା ସର୍ବସାଧାରଣଙ୍କ ପାଇଁ ଅନ୍ୟ କୌଣସି ଅସୁବିଧା ସୃଷ୍ଟି କରୁନାହାନ୍ତି । ବର୍ଷ ବର୍ଷ ଧରି ସରକାରୀ ଜମିରେ ମନ୍ଦିର ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଲୋକେ ନିଜ ଅର୍ଥରେ ପ୍ରତିଷ୍ଠାକରି ସେଠାରେ ପୁରୁଷାନୁକ୍ରମେ ପୂଜାପାଠ କରିଆସୁଥିବାବେଳେ ଏବେ ସେଗୁଡିକୁ ଭାଙ୍ଗିବା ସ୍ଥାନୀୟ ପ୍ରଶାସନ ପାଇଁ ସହଜ ହେଉନାହିଁ । (ତଥ୍ୟ)

LEAVE A REPLY

Please enter your comment!
Please enter your name here