Home Environment ସର୍ତ୍ତ ଖିଲାପ କରୁଛନ୍ତି ଖଣି ଓ ଶିଳ୍ପସଂସ୍ଥା

ସର୍ତ୍ତ ଖିଲାପ କରୁଛନ୍ତି ଖଣି ଓ ଶିଳ୍ପସଂସ୍ଥା

ଭୁବନେଶ୍ୱର : ରାଜ୍ୟରେ ଘଞ୍ଚ ଜଙ୍ଗଲ ସୃଷ୍ଟି ପାଇଁ ସରକାର ବର୍ଷକୁ ହାରାହାରି ୧୮୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବାବେଳେ କେତେକ ଜିଲ୍ଲାରେ ଖଣି କମ୍ପାନୀ ଓ ଶିଳ୍ପସଂସ୍ଥାମାନେ ସର୍ତ୍ତ ଖିଲାପ କରି ଜଙ୍ଗଲ ପଦା କରୁଛନ୍ତି । ବିଶେଷକରି ଏମାନେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ସର୍ତ୍ତକୁ ଠିକଣା ଭାବେ ପାଳନ କରୁନାହାନ୍ତି ।

ସର୍ତ୍ତ ଖିଲାପର ଏଭଳି ନଜିର ଆସିଛି ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରୁ । ଏହିସବୁ ଜିଲ୍ଲାରେ ପରିବେଶ ସର୍ତ୍ତ ଖିଲାପ ପାଇଁ କେତେକ ଖଣି କମ୍ପାନୀ ଓ ଶିଳ୍ପ ସଂସ୍ଥା ବିରୁଦ୍ଧରେ ମାମଲା ବି ରୁଜୁ ହୋଇଛି । ଯାଜପୁର ଜିଲ୍ଲା ଅର୍ନ୍ତଗତ କଟକ ଜଙ୍ଗଲ ଡିଭିଜନ, କେନ୍ଦୁଝର ଜିଲ୍ଲାର କେନ୍ଦୁଝର ବନ୍ୟପ୍ରାଣୀ ଡିଭିଜନ ଓ ସୁନ୍ଦରଗଡର ବଣାଇ, ସୁନ୍ଦରଗଡ ଓ ରାଉକେଲା ଡିଭିଜନରେ ଏଭଳି ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ଖିଲାପକାରୀ ସଂସ୍ଥାଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଲୁହାପଥର ଉତ୍ତୋଲନ ପାଇଁ ଅନୁମତି ପାଇଥିବା ଖଣି କମ୍ପାନୀ ।

ନିୟମ ଅନୁଯାୟୀ ଜଙ୍ଗଲ କିସମ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବିନିଯୋଗ କରିବା ନିମେନ୍ତ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଅନୁମୋଦନ ଦେଇଥାନ୍ତି ଓ ଏଥିପାଇଁ କେତେକ ସର୍ତ୍ତ ଆରୋପ କରିଥାନ୍ତି । ବିଶେଷକରି ଶିଳ୍ପ କିମ୍ବା ଖଣି ସଂସ୍ଥାମାନେ ଯେତିକି ପରିମାଣର ଜଙ୍ଗଲ ଅକ୍ତିଆର କରିବେ ସେହି ପରିମାଣର ଅଣଜଙ୍ଗଲ ଜମି କିମ୍ବା ଦୁଇଗୁଣ ପରିମାଣର ଉଜୁଡା ଜଙ୍ଗଲ ଜମିରେ ନିଜ ଖର୍ଚ୍ଚରେ ବନୀକରଣ କରିବେ । ଏଥି ସହିତ ଅକ୍ତିଆର କରିବାକୁ ଥିବା ଜଙ୍ଗଲ ପାଇଁ କ୍ଷତିପୂରଣ ଦେବେ ।

ଏହାଛଡା ଅଣଜଙ୍ଗଲ ଜମିକୁ ଜଙ୍ଗଲ ବିଭାଗ ନାମରେ ହସ୍ତାନ୍ତର କରିବା, ଆବଶ୍ୟକ ସ୍ଥଳେ ଜଙ୍ଗଲ ଜନ୍ତୁଙ୍କ ସୁରକ୍ଷା ତଥା ସୁଗମ ଚଳପ୍ରଚଳ ନିମନ୍ତେ କାର୍ଯ୍ୟକ୍ରମ କରିବା, ସ୍ଥାନୀୟ ଅଧିବାସୀଙ୍କ ନିକଟରୁ ଗ୍ରାମସଭା ଓ ଜିଲ୍ଲାପାଳଙ୍କ ଜରିଆରେ ଅନୁମୋଦନ ଆଣିବା ଓ ଆବଶ୍ୟକସ୍ଥଳେ ପରିବେଶ ସଂକ୍ରାନ୍ତୀୟ ଅନୁମୋଦନ ଦାଖଲ କରିବା ଆଦି ରହିଛି ।

ତେବେ ଜଙ୍ଗଲ ଅଞ୍ଚଳରେ ଖଣି ଖନନ କିମ୍ବା କାରଖାନା ବସାଇବାପାଇଁ ଅନୁମତି ପାଇଥିବା ଅଧିକାଂଶ ଅନେକ ସମୟରେ ସର୍ତ୍ତ ଖିଲାପ କରିଥାନ୍ତି । ବିଶେଷକରି ସେମାନଙ୍କୁ ଯେତିକି ଅଞ୍ଚଳ ଆବଣ୍ଟିତ ହୋଇଥାଏ ତାହା ବାହାରକୁ ଯାଇ ଗଛ କାଟିବା ସହିତ ଖଣି ଖନନ କରିଥାନ୍ତି ।

ସେହିଭଳି ଯେତିକି ଅଞ୍ଚଳରେ ଜଙ୍ଗଲସୃଷ୍ଟି ପାଇଁ କୁହାଯାଇଥାଏ ଥରେ ଅନୁମତି ପାଇଲା ପରେ ସେଥିରେ ଟାଳଟୂଳ ନୀତି ଅବଲମ୍ବନ କରିଥାନ୍ତି । ଯେଉଁ କିସମର ଜଙ୍ଗଲ ପଦା କରିଥାନ୍ତି ସେହି କିସମର ଜଙ୍ଗଲ ସୃଷ୍ଟି କରିପାରନ୍ତି ନାହିଁ । ତେବେ ଯେଉଁଠାରେ ସର୍ତ୍ତ ଖିଲାପ ଦୃଷ୍ଟିକୁ ଆସେ ସେଠାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି । କିନ୍ତୁ ସେତେବେଳକୁ ଏହି କମ୍ପାନୀ ଓ ସଂସ୍ଥାମାନେ ବ୍ୟାପକ ଜଙ୍ଗଲକୁ ଉଜାଡି ସାରିଥାନ୍ତି । (ତଥ୍ୟ)