Home General ସି ପ୍ଲେନ ତାଲିକାରେ ଓଡିଶା ନାହିଁ

ସି ପ୍ଲେନ ତାଲିକାରେ ଓଡିଶା ନାହିଁ

ଭୁବନେଶ୍ୱର : କେନ୍ଦ୍ର ସରକାର ଦେଶର ବିଭିନ୍ନ ସ୍ଥାନରେ ‘ସି ପ୍ଲେନ୍‍’ ଚଳାଚଳ ପାଇଁ ତାଲିକା ପ୍ରସ୍ତୁତ କରିଥିବାବେଳେ ଓଡିଶା ଏଥିରୁ ବାଦ୍‍ ପଡିଛି । କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରାଳୟ ପକ୍ଷରୁ ଏସ୍‍ପିଭି ଜରିଆରେ ଆଗ୍ରହୀ ବିମାନ କମ୍ପାନୀଙ୍କୁ ନେଇ ନିର୍ଦ୍ଧିଷ୍ଟ କେତେକ ପଥରେ ଏହା ଚଳାଚଳ ପାଇଁ ପଦକ୍ଷେପ ନିଆଯାଉଛି ।

ପର୍ଯ୍ୟଟନ ବିଶେଷଜ୍ଞମାନେ ରାଜ୍ୟର ତିନିଟି ରୁଟ୍‍ରେ ସି ପ୍ଲେନ ଚଳାଚଳ ସପକ୍ଷରେ ମତ ଦେଉଛନ୍ତି । ଏଗୁଡିକ ହେଲା ଭୁବନେଶ୍ୱରରୁ ପୁରୀ ଭାୟା ଚିଲିକା, ଭୁବନେଶ୍ୱରରୁ ଚାନ୍ଦିପୁର ଭାୟା ଭିତରକନିକା ଅଭୟାରଣ୍ୟ ଏବଂ ଭୁବନେଶ୍ୱରରୁ ସମ୍ବଲପୁରର ହୀରାକୁଦ ଜଳଭଣ୍ଡାର । ଏହା ଉଭୟ ବ୍ୟବସାୟିକ ଓ ପର୍ଯ୍ୟଟନ ପାଇଁ ଲାଭଦାୟକ ହେବ । ତେବେ ହବ୍‍ ଆଣ୍ଡ ସ୍ପୋକ୍‍ ମଡେଲରେ ଚଳାଚଳ କରିବାକୁ ଥିବା ସି ପ୍ଲେନ ତାଲିକାରେ ଏହି ରୁଟ୍‍ ସ୍ଥାନ ପାଇନାହିଁ ।

ତାଲିକାରେ ଆଣ୍ଡାମାନ ନିକୋବର ଏବଂ ଲକ୍ଷାଦ୍ୱୀପ, ଗୋହ୍ୱାଟି ନଦୀମୁହାଣ ଏବଂ ଆସାମର ଉମ୍‍ରାନ୍ସୋ ଜଳଭଣ୍ଡାର, ଅଯୋଦ୍ଧା ପାଇଁ ଦିଲ୍ଲୀର ଯମୁନା ନଦୀ, ଉତ୍ତରାଖଣ୍ଡର ତେହେରୀ, ଶ୍ରୀନଗରଏବଂ ପଞ୍ଜାବ ଓ ହିମାଚଳପ୍ରଦେଶର ଅନେକ ଯର୍ପ୍ୟଟନସ୍ଥଳୀ ରହିଛି । ଅନୁରୂପ ଭାବେ ଶିରିଡି, ଲୋନାୱାଲା, ଗଣପତିପୁଲେ ଯିବାପାଇଁ ମୁମ୍ବାଇକୁ ହବ୍‍ ଭାବେ ଚିହ୍ନଟ କରାଯାଇଥିବାବେଳେ ଦ୍ୱାରକା,ମାଣ୍ଡଭି ଏବଂ କାଣ୍ଡାଲା ପାଇଁ ସୁରଟକୁ ହବ୍‍ ଭାବେ ଚିହ୍ନଟ ହୋଇଛି । ସେହଭଳି ମହାରାଷ୍ଟ୍ରର ନାଗପୁର ଏବଂ ଇରାଇ ଡ୍ୟାମ୍‍, ଚନ୍ଦ୍ରପୁର ଆଦିକୁ ସି ପ୍ଲେନ ଚଳାଚଳ ପାଇଁ ତାଲିକାଭୁକ୍ତ କରାଯାଇଛି ।

ମନ୍ତ୍ରାଳୟ ନିୟନ୍ତ୍ରଣରେ ଥିବା ସାଗରମାଳା ଡେଭଲପମେଣ୍ଟ କମ୍ପାନୀ ଲିମିଟେଡ (ଏସ୍‍ଡିସିଏଲ୍‍) ଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ବର୍ତ୍ତମାନ ଏଭଳି ସିପ୍ଲେନ ଅହମ୍ମଦାବାଦର କେଭାଡିଆ ଓ ସାବରମତି ମଧ୍ୟରେ ଚଳାଚଳ କରୁଛି ଯାହାକୁ ଗତ ଅକ୍ଟୋବର ୩୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‍ଘାଟନ କରିଥିଲେ ।

ଦୁର୍ଗମ ଅଞ୍ଚଳକୁ ସହଜ ଯୋଗାଯୋଗ ଲାଗି ଏସ୍‍ଡିସିଏଲ୍‍ ପକ୍ଷରୁ ଉପକୂଳ ଅଞ୍ଚଳର ଜଳଭଣ୍ଡାର ଓ ନଦୀରେ ସିପ୍ଲେନ ଚଳାଚଳ ଲାଗି ଯୋଜନା କରିଛି । ଏଭଳି ବିମାନ ଚଳାଚଳ ଜଳଭଣ୍ଡାରରେ ହେଉଥିବାରୁ ଏଥିପାଇଁ ରନ୍‍ ୱେ, ବିମାନବନ୍ଦର ଭଳି ଭିିତ୍ତିଭୂମି ଆବଶ୍ୟକ ପଡୁନାହିଁ । ସିପ୍ଲେନ ସେବା ସମଗ୍ର ଦେଶରେ ପରିବହନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିଛି । କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତିଯେ ସିପ୍ଲେନ ଚଳାଚଳ ପ୍ରଧାମନ୍ତ୍ରୀଙ୍କର ଭିଜନ ଥିବାବେଳେ ଏହା ସମଗ୍ର ଦେଶରେ ପରିବହନ କ୍ଷେତ୍ରରେ ବିପ୍ଲବ ଆଣିବା ସହିତ ପର୍ଯ୍ୟଟନ କ୍ଷେତ୍ର ପାଇଁ ଲାଭଦାୟକ ହେବ ।