Home Finance ଶେଷ ତିନି ମାସରେ ଖର୍ଚ୍ଚ ବୃଦ୍ଧି ଯୋଜନା

ଶେଷ ତିନି ମାସରେ ଖର୍ଚ୍ଚ ବୃଦ୍ଧି ଯୋଜନା

290
0

ଭୁବନେଶ୍ୱର : ଆର୍ଥିକ ବର୍ଷର ଶେଷ ତିନିମାସରେ ଉଭୟ ଯୋଜନା ଓ ପ୍ରଶାସନିକ ବ୍ୟୟକୁ ଜୋରଦାର କରିବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ବିଶେଷକରି ଯୋଜନା ବ୍ୟୟ କିଭଳି ଅଧିକ ହେବ ସେଥିପାଇଁ ରୂପରେଖ ପ୍ରସ୍ତୁତ ହୋଇଥିବା ଜଣାଯାଇଛି ।

୨୦୨୦-୨୧ଆର୍ଥିକ ବର୍ଷରେ ଉନ୍ନୟନ ବାବଦ ବ୍ୟୟ ୧୭.୩୯ ପ୍ରତିଶତ ହେବାର ଲକ୍ଷ୍ୟ ଥିବାବେଳେ କୋଭିଡ ମହାମାରୀ ଯୋଗୁଁ ନଭେମ୍ବର ଶେଷସୁଦ୍ଧା ଏହା ୭ପ୍ରତିଶତକୁ ହ୍ରାସ ପାଇଛି । ଏଭଳି ବ୍ୟୟ ହ୍ରାସ ପାଇଁ କୋଭିଡ ମହାମାରୀକୁ ଦାୟୀ କରାଯାଉଛି । ସରକାରୀ ବିଭାଗଗୁଡିକ ଦ୍ୱାରା ଯୋଜନା ବ୍ୟୟ ହ୍ରାସ ପାଇବା ଦ୍ୱାରା ବିକାଶକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

ସର୍ବଶେଷ ଆର୍ଥିକ ସମୀକ୍ଷାରୁ ଜଣାଯାଇଛି ଯେ ୨୦୧୯ ବର୍ଷ ତୁଳନାରେ ଚଳିତବର୍ଷ ଉଭୟ ଯୋଜନା ଓ ପ୍ରଶାସନିକ ବ୍ୟୟ ଅହେତୁକ ହ୍ରାସ ପାଇଛି । ଗତ ଆର୍ଥିକବର୍ଷରେ ଏକ ଲକ୍ଷ ୩୯ହଜାର କୋଟି ଟଙ୍କା ବଜେଟ୍‍ ବ୍ୟୟ ବରାଦ ହୋଇଥିବାବେଳେ ନଭେମ୍ବର ଶେଷ ସୁଦ୍ଧା ୭୨,୯୦୬କୋଟି ଟଙ୍କା ବ୍ୟୟ ହୋଇଥିଲା । କିନ୍ତୁ ଚଳିତ ଆର୍ଥିକ ବର୍ଷରେ ବଜେଟ୍‍ ପରିମାଣ ଦେଢ ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ ନଭେମ୍ବର ଶେଷସୁଦ୍ଧା ମାତ୍ର ୫୯,୯୩୬କୋଟି ଟଙ୍କା ବ୍ୟୟ ହୋଇପାରିଛି । ଗତବର୍ଷ ତୁଳନାରେ ଏହା ୧୭ପ୍ରତିଶତ କମ୍‍ ଥିବାରୁ ପ୍ରଶାସନ ପାଇଁ ଉଦ୍‍ବିଗ୍ନର କାରଣ ହୋଇଛି ।

ଚଳିତ ଆର୍ଥିକ ବର୍ଷରେ ଅଧିକ ଅର୍ଥ ବରାଦ ହୋଇଥିବାରୁ ସେହି ପରିମାଣରେ ବ୍ୟୟ ଅଧିକ ରହିବ ବୋଲି ଆଶା କରାଯାଉଥିଲା । ହେଲେ ତାହା ହୋଇପାରି ନାହିଁ । ଏ କ୍ଷେତ୍ରରେ କରୋନା ମହାମାରୀ ବଡ ପ୍ରତିବନ୍ଧକ ସାଜିଛି । ଯୋଜନା ବ୍ୟୟ ପରିମାଣ ୭୪ହଜାର କୋଟି କରିବାକୁ ଧାର୍ଯ୍ୟ ହୋଇଥିବାବେଳେ ନଭେମ୍ବର ଶେଷ ସୁଦ୍ଧା ମାତ୍ର ୨୫,୫୮୨କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିଭଳି ପ୍ରଶାସନିକ ବ୍ୟୟଭାର ପାଇଁ ବଜେଟ୍‍ରେ ୬୫,୫୫୫ କୋଟି ଟଙ୍କା ଥିବାବେଳେ ଖର୍ଚ୍ଚ ହୋଇଛି ମାତ୍ର ୨୮,୫୫୦କୋଟି ଟଙ୍କା ।

ପୁଞ୍ଜି ବ୍ୟୟ ବଢାଇବା ଲାଗି ରାଜ୍ୟ ସରକାର ବଜେଟ୍‍ରେ ୩୫,୨୦୯କୋଟି ଟଙ୍କା ବରାଦ କରିଥିଲେ ଯାହାକି ଭିତ୍ତିଭୂମି ବିକାଶପାଇଁ ସର୍ବାଧିକ ବ୍ୟୟବରାଦ ଥିଲା । ତେବେ ସର୍ବଶେଷ ସମୀକ୍ଷାରୁ ଜଣାଯାଇଛି ଯେ ଏପ୍ରିଲ୍‍ରୁ ନଭେମ୍ବର ମଧ୍ୟରେ ଖର୍ଚ୍ଚହୋଇଛି ମାତ୍ର ୮୯୬୧କୋଟି ଟଙ୍କା । ଅର୍ଥ ଖର୍ଚ୍ଚ ନହେବା ଯୋଗୁଁ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ବ୍ୟୟ ହ୍ରାସ ପାଇଥିବା ଜଣାଯାଇଛି ।

ରାଜସ୍ୱ ଓ ଜିଏସ୍‍ଡିପି ଅନୁପାତ ୨୦୧୯ରେ ଏପ୍ରିଲ୍‍ରୁ ନଭେମ୍ବର ମଧ୍ୟରେ ୧୮:୫୬ ଥିବାବେଳେ ଚଳିତବର୍ଷ ଏହି ସମୟରେ ଅନୁପାତ ରହିଛି ୧୫:୧୯ । ତେବେ ଋଣ ପରିମାଣ ଗତବର୍ଷ ତୁଳନାରେ ବୃଦ୍ଧିପାଇଛି । ଗତବର୍ଷ ଏହା ଜିଏସ୍‍ଡିପିର ୧୫.୭୯ ପ୍ରତିଶତ ଥିବାବେଳେ ଚଳିତବର୍ଷ ୧୭.୨୫ ପ୍ରତିଶତକୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here