ଭୁବନେଶ୍ୱର : ପୁରୀ ଗଜପତି ପରମ୍ପରାର ଇତିହାସରେ ଚାରିଶହ ବର୍ଷ ମଧ୍ୟରେ ତିନିଜଣ ଗଜପତି ୪୦ବର୍ଷରୁ ଅଧିକ ସମୟ ରାଜତ୍ୱ କରିଛନ୍ତି । ରାଜା ରାଜୁଡା ପ୍ରଥା ଲୋପ ପାଇଥିଲେ ମଧ୍ୟ ବର୍ତ୍ତମାନର ପୁରୀ ଗଜପତି ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ ନାମ ଏହି ୩ଜଣଙ୍କ ମଧ୍ୟରେ ରହିଛି ।
ବୀର କିଶୋର ଦେବଙ୍କ ମୃତ୍ୟୁପରେ ତାଙ୍କ ପୁତ୍ର ଦିବ୍ୟସିଂହ ଦେବ ଗଜପତି ଭାବେ ୧୯୭୦ ମସିହାରେ ଅଭିଷିକ୍ତ ହୋଇଥିବାବେଳେ ଏପର୍ଯ୍ୟନ୍ତ ସେ ୪୧ବର୍ଷ ଧରି ଏହି ପଦବୀ ସମ୍ଭାଳିଛନ୍ତି । ତାଙ୍କ ପୂର୍ବରୁ ତୃତୀୟ ମୁକୁନ୍ଦଦେବ ୧୮୮୨ ରୁ ୧୯୨୬ ପର୍ଯ୍ୟନ୍ତ ୪୪ବର୍ଷ ଧରି ଗଜପତି ଥିଲେ । ମୁକୁନ୍ଦଦେବ ଗଜପତି ବଂଶରେ ଜନ୍ମ ହୋଇନଥିଲେ । ବଡଖେମୁଣ୍ଡି ରାଜାଙ୍କର ସେ ଦ୍ୱିତୀୟ ପୁତ୍ର ଥିଲେ ।
ସେତେବେଳର ଗଜପତି ଦିବ୍ୟସିଂହ ଦେବଙ୍କୁ ଏକ ହତ୍ୟା ମାମଲାରେ ବ୍ରିଟିଶ ସରକାର ଦ୍ୱୀପାନ୍ତର ଦଣ୍ଡରେ ଦଣ୍ଡିତ କରିଥିବାବେଳେ ବଡଖେମୁଣ୍ଡିର ରାଜପୁତ୍ର ଜଗନ୍ନାଥ ଜେନାମଣି ମୁକୁନ୍ଦଦେବ ନାମରେ ଗଜପତି ଭାବେ ଅଭିଷିକ୍ତ ହୋଇଥିଲେ ଏବଂ ତାଙ୍କର ଅଧିକାର ସାବ୍ୟସ୍ତ କରିବା କ୍ଷେତ୍ରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କର ପ୍ରମୁଖ ଭୂମିକା ରହିଥିଲା । ତାଙ୍କ ପୂର୍ବରୁ ୧୭୩୬ରୁ ୧୭୯୩ ପର୍ଯ୍ୟନ୍ତ ରାଜତ୍ୱ କରିଥିବା ବୀର କେଶରୀ ଦେବ ୫୭ବର୍ଷ ଧରି ଗଜପତି ରହିଥିଲେ ।
ଇତିହାସର ତଥ୍ୟ ଅନୁଯାୟୀ ରାମଚନ୍ଦ୍ର ଦେବ ୧୫୬୮ରୁ ୧୬୦୦ ଓ ପୁରୁଷତ୍ତୋମ ଦେବ ୧୬୦୦ ରୁ ୧୬୨୧ ପର୍ଯ୍ୟନ୍ତ ଗଜପତି ଥିଲେ । ଅନ୍ୟଜଣେ ଦିବ୍ୟସିଂହ ଦେବ ଗଜପତିଭାବେ ୧୬୮୯ ରୁ ୧୭୧୬ ପର୍ଯ୍ୟନ୍ତ ୨୭ ବର୍ଷ ଧରି ଥିବାବେଳେ ୧୭୯୩ରେ ବି ଆଉଜଣେ ଦିବ୍ୟସିଂହ ଦେବ ଗଜପତି ଭାବେ ଅଭିଷିକ୍ତ ହୋଇ ୧୭୯୮ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ । ୧୬୮୯ରୁ ବର୍ତ୍ତମାନ ସୁଦ୍ଧା ଦିବ୍ୟସିଂହ ଦେବ ନାମ ଧାରଣ କରି ଚାରିଜଣ ଗଜପତି ଦାୟିତ୍ୱ ନିର୍ବାହ କରିଛନ୍ତି ।
୧୮୮୨ ରୁ ୧୯୨୬ ପର୍ଯ୍ୟନ୍ତ ମୁକୁନ୍ଦ ଦେବଙ୍କ ଦୀର୍ଘ ୪୪ବର୍ଷର ରାଜତ୍ୱ ପରେ ରାମଚନ୍ଦ୍ର ଦେବ ୧୯୨୬ରୁ ୧୯୫୬ ପର୍ଯ୍ୟନ୍ତ ୩୦ବର୍ଷ ଧରି ପୁରୀର ଗଜପତି ଥିଲେ । ତାଙ୍କ ପରେ ବର୍ତ୍ତମାନର ଗଜପତି ଦିବ୍ୟସିଂହ ଦେବଙ୍କ ପିତା ବୀର କିଶୋର ଦେବ ୧୯୫୬ରୁ ୧୯୭୦ ପର୍ଯ୍ୟନ୍ତ ୧୪ବର୍ଷ ଧରି ଗଜପତି ରହିଥିଲେ ।
ବର୍ତ୍ତମାନର ଗଜପତି ଅପୁତ୍ରିକ ଥିବାରୁ ତାଙ୍କ ସ୍ଥାନରେ ପରବର୍ତ୍ତୀ ସମୟରେ ଗଜପତି ପରମ୍ପରାର କିଏ ଉତ୍ତରାଧିକାରୀ ହେବ ସେ ସଂକ୍ରାନ୍ତରେ ଏଯାବତ୍ କିଛି ଘୋଷଣା ହୋଇନାହିଁ । ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ଗଜପତି ଖୋର୍ଦ୍ଧାଗଡରେ ରାଜତ୍ୱ କରିବା ସମୟରେ ତାଙ୍କ ସାମ୍ରାଜ୍ୟ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । (ତଥ୍ୟ)