ଭୁବନେଶ୍ୱର : ଓଡିଶା ହାଇକୋର୍ଟରେ ପ୍ରାୟ ୧ଲକ୍ଷ ୭୩ ହଜାର ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଅଧାରୁ ଅଧିକ ବିଚାରପତି ପଦବୀ ଖାଲି ପଡିବା ଯୋଗୁଁ ତ୍ୱରିତ ନ୍ୟାୟ ପ୍ରଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି ।
ଓଡିଶା ହାଇକୋର୍ଟ ପାଇଁ ୩୩ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ଥିବାବେଳେ ଏବେ ଏଠାରେ ୧୮ଟି ପଦବୀ ଖାଲି ପଡିଛି ଏବଂ ମାତ୍ର ୧୫ଜଣ ବିଚାରପତିଙ୍କୁ ନେଇ ବିଚାର ପ୍ରକ୍ରିୟା ଚାଲିଛି । ହାଇକୋର୍ଟର ବିଚାରପତିମାନେ ମାମଲା ବିଚାର ସହିତ ଆଇନ୍ ସେବା ଭଳି ବିଭିନ୍ନ ଅନୁଷ୍ଠାନ ସହିତ ମଧ୍ୟ ଜଡିତ ଥାଆନ୍ତି । ଏହାଛଡା ଜଣେ ଜଣେ ବିଚାରପତିଙ୍କୁ ଏକାଧିକ ଜିଲ୍ଲାରେ ଥିବା ଆଇନ୍ ଅଦାଲତଗୁଡିକର ପରିଦର୍ଶନ ଦାୟିତ୍ୱ ବି ଦିଆଯାଇଥାଏ । ଏହାଛଡା ଜୁଡିସିଆଲ ଏକାଡେମୀ ଓ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ ସହିତ ମଧ୍ୟ ହାଇକୋର୍ଟର ସମ୍ପର୍କ ରହିଛି । ମୁଖ୍ୟ ବିଚାରପତି ବିଚାର ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ସଂଗେ ସଂଗେ ବିଚାରପତିମାନଙ୍କ ମଧ୍ୟରେ ମାମଲା ବଣ୍ଟନ କରିଥାନ୍ତି ଏବଂ ହାଇକୋର୍ଟର ପ୍ରଶାସନିକ କାର୍ଯ୍ୟ ବି ତାଙ୍କ ନେତୃତ୍ୱରେ ଚାଲିଥାଏ । ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର ଆଦିରେ ବି ବିଚାରପତିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ ।
କମ୍ ସଂଖ୍ୟକ ବିଚାରପତି ଥିଲେ ବି ବହୁ କଷ୍ଟରେ ଏଠାରେ ମାମଲା ଫଏସଲା କାମ ଚାଲୁଛି । ଖୁବ୍ଶୀଘ୍ର ଆଉ କେତେଜଣ ବିଚାରପତି ଅବସର ଗ୍ରହଣ କରିବାକୁ ଯାଉଥିବାରୁ ଖାଲି ଆସନ ସଂଖ୍ୟା ବଢିବାର ଆଶଙ୍କା ରହିଛି । କିଛିଦିନ ତଳେ ସୁପ୍ରିମକୋର୍ଟ କଲେଜିୟମ ଓଡିଶା ହାଇକୋର୍ଟର ବିଚାରପତି ପଦବୀପାଇଁ ୪ଜଣଙ୍କ ନାମ ସୁପାରିଶ କରିଥିଲେ ମଧ୍ୟ ଏଯାବତ୍ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇନାହିଁ ।
ଓଡିଶା ହାଇକୋର୍ଟରେ ଖାଲି ପଡୁଥିବା ବିଚାରପତି ପଦବୀ ବର୍ଷ ବର୍ଷ ଧରି ପୂରଣ ହେଉନଥିବାରୁ ବିଚାର ବ୍ୟବସ୍ଥାରେ ଓଡିଆ ଅସ୍ମିତା ପ୍ରତି ପ୍ରଶ୍ନବାଚୀ ଉପୁଜୁଛି । ଏବେ ଓଡିଶା ହାଇକୋର୍ଟ କୋଟାରୁ କୌଣସି ବିଚାରପତି ସୁପ୍ରିମକୋର୍ଟରେ ନାହାନ୍ତି । ଅତୀତରେ ଓଡିଶା ସୁପ୍ରିମକୋର୍ଟକୁ ତିନି ଜଣ ମୁଖ୍ୟ ବିଚାରପତିଙ୍କ ସମେତ ଅନେକ ବିଚାରପତି ଦେଇଥିଲା । ଏବେ ବହୁ ବିଳମ୍ବରେ ଓଡିଶା ହାଇକୋର୍ଟର ଜଣେ ବିଚାରପତିଙ୍କୁ ଛତିଶଗଡର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି ।
ବରିଷ୍ଠ ଆଇନ୍ଜ୍ଞମାନେ କହୁଛନ୍ତି ଯେ ଗତ କିଛିବର୍ଷ ଧରି ଓଡିଶା ହାଇକୋର୍ଟରେ ମାଳ ମାଳ ବିଚାରପତି ପଦବୀ ଖାଲି ରଖାଯିବା ଏକ ଖରାପ ପରମ୍ପରାରେ ପରିଣତ ହୋଇଛି । ଗୋଟିଏ ପଟେ ହାଇକୋର୍ଟରେ ବିଚାରପତି ପଦବୀ ସଂଖ୍ୟା ବଢାଯାଉନଥିବାବେଳେ ଖାଲିଥିବା ପଦବୀ ପୂରଣ ହେଉନାହିଁ ଏବଂ ଅନ୍ୟପଟେ ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ ଭଳି ବିଚାର ବିଭାଗୀୟ ସଂସ୍ଥାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଠାଇ ଦେଇ ହାଇକୋର୍ଟ ଉପରେ ମାମଲାର ଚାପ ବଢାଇ ଚାଲିଛନ୍ତି ।
ହାଇକୋର୍ଟରେ ଖାଲି ପଡିଥିବା ବିଚାରପତି ପଦବୀ ପୂରଣ ପ୍ରସଙ୍ଗରେ ଦୀର୍ଘବର୍ଷ ଧରି ଓକିଲସଂଘ ପକ୍ଷରୁ ବାରମ୍ବାର ଦାବିହୋଇ ଆସୁଛି । ଏମିତିକି କଟକରୁ ଭୁବନେଶ୍ୱର ଓ ଦିଲ୍ଲୀ ପର୍ଯ୍ୟନ୍ତ ଧାଁ ଧପଡ କରି ବିଚାରପତି ପଦବୀ ପୂରଣ ଲାଗି ଦାବି ଉପସ୍ଥାପନ ହେଉଛି । କେବଳ ହାଇକୋର୍ଟ ଓକିଲ ସଂଘ ନୁହେଁ, ବିଚାର ବ୍ୟବସ୍ଥା ସହିତ ଜଡିତ ବହୁ ଅଭିଜ୍ଞ ଓକିଲ ଏବଂ ଓଡିଆପ୍ରେମୀ ସାଧାରଣ ଲୋକେ ଏହି ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରିଆସୁଛନ୍ତି । ସମ୍ବିଧାନ ସଂଶୋଧନ କରାଯାଇ ଓଡିଶାର ଇଂରାଜୀ ବନାନ ଓରିଶା କୁ ହଟାଯାଇଥିବାବେଳେ ଏବେ ବି ଆମ ହାଇକୋର୍ଟର ନାମ ପୂର୍ବଭଳି ଓରିଶା ରହିଛି ଓ ସେଥିରେ ମଧ୍ୟ ସଂଶୋଧନ ଅଣାନଯିବା ଘଟଣାକୁ ବିଭିନ୍ନ ମହଲରୁ ନାପସନ୍ଦ କରାଯାଉଛି । (ତଥ୍ୟ)

