ଭୁବନେଶ୍ୱର : ଦେଶର କେତେକ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଥିବାବେଳେ ଆଉ କେତେକ ସ୍ଥାନରେ ନିର୍ବାଚନ ପ୍ରଚାର ପାଇଁ ବିଶ୍ୱବିଦ୍ୟାଳୟ ଓ କଲେଜ୍ଗୁଡ଼ିକର ପରିବେଶ ସରଗରମ ରହିଛି । କିନ୍ତୁ ପ୍ରାୟ ୮ବର୍ଷ ଧରି ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ହେଉନଥିବାବେଳେ ଏଯାବତ୍ ନିର୍ବାଚନୀ କାର୍ଯ୍ୟସୂଚୀ ପ୍ରକାଶ ପାଇନାହିଁ । ଛାତ୍ର ସଂସଦ ନିର୍ବାଚନ ହେବ କି ନାହିଁ ସେଥିଘେନି ମଧ୍ୟ କେହି ସ୍ପଷ୍ଟ ଭାବେ ସୂଚନା ଦେଇପାରୁ ନାହାନ୍ତି ।
ଇତିମଧ୍ୟରେ ପଞ୍ଜାବରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ଅଗ୍ରଣୀ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ସରିଛି । ପଞ୍ଜାବରେ ଆପ୍ ସରକାର ଥିବାବେଳେ ଦିଲ୍ଲୀରେ ବିଜେପି ସରକାର ରହିଛି । କ୍ଷମତାସୀନ ଦଳ ସମର୍ôଥତ ଛାତ୍ର ସଂଗଠନ ନିର୍ବାଚନରେ ଜିଣୁ କି ହାରୁ ତାହାର ହିସାବ ନିକାସ ନକରି ସେଠାକାର ସରକାରମାନେ ଛାତ୍ର ସଂସଦ ନିର୍ବାଚନ କରାଉଛନ୍ତି । କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଆଦିରେ ବି ଛାତ୍ର ସଂସଦ ନିର୍ବାଚନ ହେଉଥିବା ଖବର ମିଳିଛି ।
ବିଜେଡି ସରକାର ସମୟରେ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନକୁ ଆଇନ୍ଶୃଙ୍ଖଳା ପରିସ୍ଥିତି ଓ ଶିକ୍ଷାନୁଷ୍ଠାନର ଶୈଖିକ ବାତାବରଣ ଆଳରେ ବନ୍ଦ ରଖାଯାଇଥିଲା । ପରେପରେ କରୋନା ଯୋଗୁ ଛାତ୍ର ସଂସଦ ନିର୍ବାଚନ କରାଯାଇନଥିଲା । କରୋନାର କୋପ ପ୍ରଶମିତ ହେବା ପରେ ବି ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ନିର୍ବାଚନ ବନ୍ଦ ରଖାଯାଇଥିଲା । ଅଥଚ ଦେଶର ବହୁ ରାଜ୍ୟରେ କରୋନା ପୂର୍ବରୁ ଓ ପରେ ଛାତ୍ର ସଂସଦ ନିର୍ବାଚନ ହୋଇଥିଲା । ସେତେବେଳେ ଏବିଭିପି, ଡିଏସ୍ଓ, ଛାତ୍ର କଂଗ୍ରେସ, ଏସ୍ଏଫ୍ଆଇ, ଏଆଇଏସ୍ଏଫ୍ ସମେତ ବିଭିନ୍ନ ଛାତ୍ର ସଂଗଠନ ଏହାର କଟୁ ସମାଲୋଚନା କରିଥିଲେ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବି ଛାତ୍ର ସଂସଦ ନିର୍ବାଚନ ପାଇଁ ଲଗାତାର ଦାବି ହେଉଥିଲା । ଏସବୁ ସତ୍ତ୍ୱେ ବିଜେଡି ସରକାର ଛାତ୍ର ସଂସଦ ନିର୍ବାଚନକୁ ଅଗ୍ରାହ୍ୟ କରିଥିବାବେଳେ ଶାସନ କ୍ଷମତାକୁ ଆସିଲେ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି ବିଜେପି ନେତାମାନେ ବାରମ୍ବାର ଘୋଷଣା କରିଆସୁଥିଲେ ।
୨୦୨୪ରେ ଓଡ଼ିଶାର ବିଜେପି ସରକାର ଗଢ଼ାଯିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଘୋଷଣା କରିବା ପରେ ପରେ ଆଇନ୍ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କିନ୍ତୁ ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆଳରେ ପରବର୍ଷ ନିର୍ବାଚନ କରାଯିବ ବୋଲି କହିଥିଲେ । ୨୦୨୫ରେ ବି ଛାତ୍ର ସଂସଦ ନିର୍ବାଚନକୁ ସରକାର ଏଡ଼ାଇ ଯାଇଥିଲେ । ୨୦୨୬-୨୭ର କ୍ୟାଲେଣ୍ଡରରେ ଉଚ୍ଚଶିକ୍ଷା ବିଭାଗ ଛାତ୍ର ସଂସଦ ନିର୍ବାଚନ ପାଇଁ କୌଣସି ତାରିଖ ରଖିନାହାନ୍ତି । ତେବେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଆସୁଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ସଂର୍ପକରେ ଠିକଣା ସମୟରେ ରାଜ୍ୟ ସରକାର ଠିକଣା ନିଷ୍ପତ୍ତି ନେବେ ।
ଏଠାରେ ଉଲ୍ଲେଖନୀୟ ଯେ ଛାତ୍ର ସଂସଦ ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ଲିଙ୍ଗ୍ଡ଼ୋ କମିଶନ ଅନେକଗୁଡ଼ିଏ ଉପାଦେୟ ସୁପାରିସ କରିଥିଲେ । ଏହି ଆଧାରରେ କିଛିବର୍ଷ ଧରି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ହେଉଥିଲା । ବିଶେଷକରି ଏହି ନିର୍ବାଚନକୁ ବାହୁବଳ ଓ ଅର୍ଥ ବଳରୁ ଦୂରରେ ରଖିବା ପାଇଁ ଲିଙ୍ଗ୍ଡ଼ୋ କମିଶନ ସୁପାରିସ ବେଶ ଉପାଦେୟ ହେଉଥିଲା । ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ପାଇଁ ନାକ୍ ମାନ୍ୟତା ପ୍ରଦାନ ଲାଗି ଆସୁଥିବା କମିଟି ଅନେକ ସମୟରେ ଛାତ୍ର ସଂସଦ ନିର୍ବାଚନ କରାନଯିବାକୁ ନାପସନ୍ଦ କରିଆସୁଛନ୍ତି । ଏଥିପାଇଁ ଅନେକ ଶିକ୍ଷାନୁଷ୍ଠାନର ନାକ୍ ରେଟିଂ କମ୍ ରହୁଥିବାରୁ ଅପେକ୍ଷାକୃତ ଭାବେ କେନ୍ଦ୍ରୀୟ ଅନୁଦାନ ବି କମୁଛି । ବିଜେପି, କଂଗ୍ରେସ, ବିଜେଡି ଓ ବାମପନ୍ଥୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ବହୁ ନେତା ଛାତ୍ର ସଂସଦ ନିର୍ବାଚନ ପୃଷ୍ଠଭୂମିରେ ତିଆରି ହୋଇଥିବା ପରିପ୍ରେକ୍ଷୀରେ ସେମାନେ ବି ଏହି ପ୍ରସଂଗକୁ ଏବେ ସେତେଟା ଗୁରୁତ୍ୱ ଦେଉ ନାହାନ୍ତି ।(ତଥ୍ୟ)

