ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ତିଆରି କରିଥିବା ଘର କିଣିବାକୁ ଲୋକଙ୍କ ବଳ ପାଉନାହିଁ । ସାଧାରଣ ଲୋକେ ତ ଦୂରରକଥା ବହୁ ସରକାରୀ ଚାକିରିଆ ମଧ୍ୟ ଘରର ଦର ଦେଖି ମୁହଁ ଫେରାଇ ନେଉଛନ୍ତି ।
ବିଡିଏ ତାହାର ଏକାମ୍ର ରେସିଡେନ୍ସି ପାଇଁ ବିଜ୍ଞାପନ ପ୍ରକାଶ କରିଛି । ଏଠାରେ ଥିବା ୪୯୬ଟି ଘରକୁ ଖରିଦ ଲାଗି ଆଗ୍ରହୀ ଲୋକେ ଆବେଦନ କରିବାକୁ କୁହାଯାଇଛି । ତେବେ ୨ବିଏଚ୍କେ ଘରର ଯେଉଁ ଦର ରହିଛି ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ପାଠପଢା ଘରର ସୁବିଧା ଥିବା ୨ବିଏଚକେ ଘରର ଦାମ ୯୬ଲକ୍ଷ ଟଙ୍କାରୁ ଅଧିକ ରହିଛି । କେବଳ ୨ବିଏଚ୍କେ ଘରର ଦର ୭୯ଲକ୍ଷ ଟଙ୍କା ରହିଛି ।
ସରକାରୀ ଘର କିଣିବାକୁ ଚାହିଁ ରହିଥିବା ଲୋକେ ଏବେ ଏଭଳି ଦର ଦେଖି ପଛଘୁଞ୍ଚା ଦେଉଛନ୍ତି । ୮୦ କିମ୍ବା ୯୬ଲକ୍ଷ ଟଙ୍କାର ଘର କିଣିବା ସେମାନଙ୍କ ଚିନ୍ତାର ବାହାରେ ବୋଲି ମତ ଦେଉଛନ୍ତି । କାରଣ ଘର ଦର ସହିତ ପଞ୍ଜିକରଣ ଫି, ଜିଏସଟି ଆଦି ରହିଛି । ଏହାଛଡା ବ୍ୟାଙ୍କ୍ରୁ ଯେଉଁମାନେ ଋଣ ନେବେ ସେମାନଙ୍କୁ ବି ମୋଟା ଅଙ୍କର ସୁଧ ପଇଠ କରିବାକୁ ପଡିବ । ତେଣୁ ମୂଳ ଅର୍ଥ ସହିତ ଋଣ ମିଶି ସୁଝିଲା ବେଳକୁ ଘରପିଛା ପ୍ରାୟ ଦେଢ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
ରାଜଧାନୀରେ ଘରୋଇ ବିଲ୍ଡରମାନେ ସହର ନିକଟରେ ଜମି କିଣି ଘର ତିଆରି କରି ୨ବିଏଚ୍କେର ଦର ଅତି ବେଶିରେ ୫୦ ରୁ ୬୦ଲକ୍ଷ ଟଙ୍କା ମଧ୍ୟରେ ବିକ୍ରି କରୁଥିବାବେଳେ ସରକାରୀ ସଂସ୍ଥା ବିଡିଏ ଏତେ ଦରରେ କିଭଳି ଘର ବିକୁଛି ତାହାର ଉତ୍ତର କାହା ପାଖରେ ନାହିଁ । କେବଳ ସେତିକି ନୁହେଁ, ଘର ପାଇଁ ଆବେଦନ କରିବା ସକାଶେ ୧୦ହଜାର ଟଙ୍କା ଅଣଫେରସ୍ତଯୋଗ୍ୟ ଅର୍ଥ ସହିତ ଆଉ ୨ଲକ୍ଷ ଟଙ୍କା ପଇଠ କରିବାକୁ ପଡୁଛି ।
ଘର କିଣିବା ପାଇଁ ଆଗ୍ରହୀ ବ୍ୟକ୍ତିଙ୍କ ମତରେ ଜଣଙ୍କ ପିଛା ଯଦି ବିଡିଏ ୧୦ହଜାର ଟଙ୍କା କରି ଆଦାୟ କରିବ ତେବେ ଏ ବାବଦରେ କୋଟି କୋଟି ଟଙ୍କା ପାଇଯିବ । ସେହିଭଳି ଫେରସ୍ତ ଯୋଗ୍ୟ ୨ଲକ୍ଷ ଟଙ୍କା ମଧ୍ୟ ଲଟେରୀ ସରିବା ପର୍ଯ୍ୟନ୍ତ କିଛି ଦିନ ପାଇଁ ବିଡିଏ ଆକାଉଣ୍ଟରେ ଜମାହୋଇ ରହିବ । ଏ ବାବଦରେ ମଧ୍ୟ ବିଡିଏକୁ ମୋଟା ଅଙ୍କର ସୁଧ ମିଳିବ । ମୋଟା ମୋଟି ଭାବେ ଘର ବିକ୍ରି ନକରି ବିଡିଏ କୋଟି କୋଟି ଟଙ୍କାର ମୁନାଫା ପାଇଯିବ ।
ସେହିଭଳି ଯେଉଁମାନେ ଘର କିଣିବେ ସେମାନେ କେଉଁ ସୂତ୍ରରୁ ଅର୍ଥ ଆଣିବେ ତାହା ମଧ୍ୟ ଦର୍ଶାଇବେ । କାରଣ ସରକାରୀ ଘର କିଣା ବାବଦରେ ସବୁକିଛି ଅନଲାଇନ୍ କାରବାର ହେବ । ଏହି କାରବାରକୁ ବି ଆୟକର ହିସାବରେ ଦେଖାଇବାକୁ ପଡିବ । ତେଣୁ ଅନେକ ବ୍ୟକ୍ତି ଏତେ ବିପୁଳ ପରିମାଣର ଋଣ କରିବା ସହିତ ଆର୍ଥିକ ଝାମେଲାରେ ପଡୁନାହାନ୍ତି । କିଛି ସରକାରୀ ଅଧିକାରୀ ତ ହିସାବ କରୁଛନ୍ତି ଯେ ଯଦି ସେମାନେ ଋଣ କରିବେ ତେବେ ପରିଶୋଧ ପାଇଁ କେତେବର୍ଷ ଲାଗିବ ?
ଏଭଳି ଗୋଲକଧନ୍ଦା ଭିତରେ ଏବେ ବିନା ଝାମେଲାରେ ସରକାରୀ ଘରଟିଏ କିଣିବାପାଇଁ ଆଗ୍ରହୀ ଅନେକଙ୍କ ମନ କେବଳ ଫିକା ପଡିନାହିଁ, ନିଜ ପକେଟ ଓ ବ୍ୟାଙ୍କ୍ ଜମାକୁ ଦେଖି ତୁନି ରହିବାକୁ ବାଧ୍ୟ ହେଉଛନ୍ତି । (ତଥ୍ୟ)

