ଭୁବନେଶ୍ୱର : ଭାରତର ବୈଦ୍ୟୁତିକ ଗତିଶୀଳତା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି । ନୀତି ଆୟୋଗ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟ ଇ.ଭି. ନୀତି ସମୀକ୍ଷା ଏବଂ ପୁନର୍ବିନ୍ୟାସ ବୈଠକରେ ପ୍ରକାଶିତ ଭାରତୀୟ ବିଦ୍ୟୁତ ଗତିଶୀଳତା ସୂଚକାଙ୍କ ୨୦୨୫ରେ ଓଡ଼ିଶା ବୃହତ୍ ରାଜ୍ୟଗୁଡ଼ିକ ମଧ୍ୟରେ ‘ଫ୍ରଣ୍ଟରନର୍’ ବର୍ଗରେ ସ୍ଥାନ ପାଇଛି ।
ଏହି ସୂଚକାଙ୍କରେ ଓଡ଼ିଶା ୫୫ ସ୍କୋର ହାସଲ କରିଛି। ସହରୀ ପରିବହନ ସହ ବିଶେଷ ଭାବେ ସମ୍ପୃକ୍ତ ପରିବହନ ବିଦ୍ୟୁତକରଣର ଅଗ୍ରଗତରେ ରାଜ୍ୟ ୫୮ ଏବଂ ଚାର୍ଜିଂ ଭିତ୍ତିଭୂମି ପ୍ରସ୍ତୁତିରେ ୫୭ ସ୍କୋର ହାସଲ କରିଛି । ଉଭୟ କ୍ଷେତ୍ରରେ ଓଡ଼ିଶା ‘ଫ୍ରଣ୍ଟରନର୍’ ବର୍ଗରେ ସ୍ଥାନ ପାଇଛି । ସ୍ୱଚ୍ଛ ସାର୍ବଜନୀନ ପରିବହନକୁ ପ୍ରୋତ୍ସାହନ, ବୈଦ୍ୟୁତିକ ଯାନର ବ୍ୟବହାର ବୃଦ୍ଧି ଏବଂ ଚାର୍ଜିଂ ଭିତ୍ତିଭୂମିର ସମ୍ପ୍ରସାରଣ ଦିଗରେ ରାଜ୍ୟର ନିରନ୍ତର ପ୍ରୟାସର ଏହା ପ୍ରତିଫଳନ । ଆଇଇଏମଆଇ ୨୦୨୪ତୁଳନାରେ ମଧ୍ୟ ଓଡ଼ିଶା ଏଥିରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ୨୦୨୪ରେ ରାଜ୍ୟର ସ୍କୋର ୪୯ ଥିବାବେଳେ ଜାତୀୟ ସ୍ତରରେ ଓଡ଼ିଶା ୭ମ ସ୍ଥାନରେ ରହିଥିଲା ।
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଭାରତୀୟ ବୈଦ୍ୟୁତିକ ଗତିଶୀଳତା ସୂଚକାଙ୍କରେ ଓଡ଼ିଶା ‘ଫ୍ରଣ୍ଟରନର୍’ ଭାବେ ମାନ୍ୟତା ପାଇବା ଏକ ସ୍ୱଚ୍ଛ, ସବୁଜ ଓ ଭବିଷ୍ୟତମୁଖୀ ପରିବହନ ବ୍ୟବସ୍ଥା ଗଠନ ପ୍ରତି ଆମର ପ୍ରତିବଦ୍ଧତାର ପ୍ରତିଫଳନ। ବୈଦ୍ୟୁତିକ ସାର୍ବଜନୀନ ପରିବହନର ସମ୍ପ୍ରସାରଣ, ଚାର୍ଜିଂ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ବ୍ୟାପକ ବୈଦ୍ୟୁତିକ ବ୍ୟବହାର ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି ଦିଗରେ ଆମେ ନିରନ୍ତର କାର୍ଯ୍ୟ କରୁଛୁ । ଏହି ବୈଦ୍ୟୁତିକ ଗତିଶୀଳତା ପରିବର୍ତ୍ତନ ସ୍ୱଚ୍ଛ ବାୟୁ, ଉନ୍ନତ ସହରୀ ପରିବହନ ଏବଂ ଏକ ସ୍ଥାୟୀ ଓଡ଼ିଶା ଗଠନରେ ଅବଦାନ ରଖିବା ଆମର ପ୍ରମୁଖ ଲକ୍ଷ୍ୟ।

