ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ଆଜି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବା ଇପିଏଫଓ ସମ୍ପର୍କରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ବାଧ୍ୟତାମୂଳକ ଭାବେ ଇପିଏଫଓ ସୀମା ବୃଦ୍ଧି ପାଇଁ ଦେଇଥିବା ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଓ କର୍ମଚାରୀ ପେନସନ ସ୍କିମ (ଇପିଏସ୍) ସୀମାକୁ ବାଧ୍ୟତାମୂଳକ ଭାବେ ୧୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଇପିଏଫର ୧୫ ହଜାର ଦରମା ସୀମା ୨୦୧୪ ସେପ୍ଟେମ୍ବର ୧ରୁ ବଳବତ୍ତର ରହିଥିଲା।
ଏବେ ୧୨ ବର୍ଷ ପରେ କେନ୍ଦ୍ର ସରକାର ଏହାକୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି। ଏବେ ଯେଉଁ ସଂଗଠିତ କର୍ମଚାରୀଙ୍କ ଦରମା ୧୫ରୁ ୨୫ ହଜାର ଟଙ୍କା ମଧ୍ୟରେ ରହିଛି, ସେମାନେ ବାଧ୍ୟତାମୂଳକ ଭାବେ ଇପିଏଫ ଓ ଇପିଏସ୍ ଯୋଜନା ମଧ୍ୟରେ ରହିବେ। ବର୍ତ୍ତମାନ ମାସିକ ୧୫,୦୦୦ ଟଙ୍କାରୁ ଅଧିକ ବେତନରେ ନୂଆ ଚାକିରିରେ ଯୋଗ ଦେଉଥିବା କର୍ମଚାରୀ ଆପେ ଆପେ ଇପିଏଫ ବ୍ୟବସ୍ଥାରେ ସାମିଲ ହୁଅନ୍ତି ନାହିଁ। ଏଥିଯୋଗୁ ସେମାନେ ବାଧ୍ୟତାମୂଳକ ଭବିଷ୍ୟନିଧି, ପେନ୍ସନ୍ ଓ ଏହା ସହ ଜଡ଼ିତ ବୀମା ସୁବିଧାରୁ ବାହାରେ ରୁହନ୍ତି।
ବେତନ ସୀମା ୨୫,୦୦୦ ଟଙ୍କାକୁ ବୃଦ୍ଧି ଯୋଗୁ ୧୫,୦୦୦ରୁ ୨୫,୦୦୦ ଟଙ୍କା ବେତନ ପାଉଥିବା କର୍ମଚାରୀ ବାଧ୍ୟତାମୂଳକ ଭାବେ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇପାରିବେ। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଧାର୍ଯ୍ୟ ଇପିଏଫଓ ବେତନ ବୃଦ୍ଧି ଯୋଗୁ ପ୍ରାୟ ୫୧ ଲକ୍ଷ କର୍ମଚାରୀ ଲାଭବାନ ହେବେ। ଦୀର୍ଘ ସମୟ ଧରି ବଢ଼ୁଥିବା ବେତନ, ଆୟ ବୃଦ୍ଧି ଏବଂ ସଂଗଠିତ ନିଯୁକ୍ତିର କ୍ରମାଗତ ବିସ୍ତାରକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।
କ୍ୟାବିନେଟ ଅନୁମୋଦନ ଯୋଗୁ କର୍ମଚାରୀମାନେ ଭବିଷ୍ୟନିଧି ସଞ୍ଚୟ, କର୍ମଚାରୀ ପେନ୍ସନ୍ ଯୋଜନା ଅଧୀନରେ ପେନ୍ସନ୍ ସୁରକ୍ଷା ଓ ବୀମା ଯୋଜନା ଅଧୀନରେ ସୁରକ୍ଷା ପାଇପାରିବେ। ଏହି ନିଷ୍ପତ୍ତି ସରକାରଙ୍କ ଉପରେ ରାଜସ୍ୱ ବୋଝ ୫ ବର୍ଷ ମଧ୍ୟରେ ୫୬,୬୯୬ କୋଟି ଟଙ୍କାକୁ ବୃଦ୍ଧି କରିବ। ବର୍ତ୍ତମାନ ସରକାର ପ୍ରତିବର୍ଷ ପ୍ରାୟ ୧୦,୨୫୦ କୋଟି ଟଙ୍କାର ବଜେଟ ସହାୟତା ଦେଉଛନ୍ତି। ହେଲେ ଏବେ ଏହା ବାଷିର୍କ ୧୧,୩୩୯ କୋଟିରେ ପହଞ୍ଚିବ।

