Home News in Odia ୟୁପିଆଇ ନୂଆ ବ୍ୟବସ୍ଥାକୁ କଂଗ୍ରେସର ବିରୋଧ

ୟୁପିଆଇ ନୂଆ ବ୍ୟବସ୍ଥାକୁ କଂଗ୍ରେସର ବିରୋଧ

ଭୁବନେଶ୍ୱର : ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ ବା ୟୁପିଆଇ (ୟୁପିଆଇ) ର ନୂଆ ବ୍ୟବସ୍ଥାକୁ ବିରୋଧ କରିଛି କଂଗ୍ରେସ । ପ୍ରଦେଶ କଂଗ୍ରେସ ସଭାପତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆଜିକାଲି ସାଧାରଣ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି, ହେଲେ ଏହା ସହିତ ଜଡ଼ିତ ସାମ୍ପ୍ରତିକ ସମସ୍ୟା ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ପାଇଁ ବଡ଼ ଚିନ୍ତାର କାରଣ ସାଜିଛି।

ସରକାର ପ୍ରଥମେ ନଗଦମୁକ୍ତ କାରବାରର ପ୍ରତିଶ୍ରୁତି ଦେଇ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେଇଥିଲେ, କିନ୍ତୁ ଏବେ ବିଭିନ୍ନ ୱାଲେଟ୍ ଓ ପ୍ଲାଟଫର୍ମ କାରବାର ଉପରେ ଲୁକ୍କାୟିତ ଚାର୍ଜ ଓ ଅତିରିକ୍ତ ଶୁଳ୍କ ଲଗାଯାଉଥିବାରୁ ଏହା ଛୋଟ ଦୋକାନୀ, ପରିବା ବିକ୍ରେତା ଏବଂ ସାଧାରଣ ଗ୍ରାହକଙ୍କ ଆର୍ଥିକ ବୋଝ ବଢ଼ାଇ ଦେଇଛି।

ଏହାଛଡ଼ା, ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଏବଂ ବ୍ୟାଙ୍କ ସର୍ଭର ବାରମ୍ବାର ଡାଉନ୍ ରହିବା ଯୋଗୁଁ ଟଙ୍କା କଟିଯାଇ ମଧ୍ୟ କାରବାର ବିଫଳ ହେଉଛି, ଯାହାଦ୍ୱାରା ଦିନ ମଜୁରିଆ ଓ ଖୁଚୁରା ବ୍ୟବସାୟୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ସବୁଠାରୁ ମାରାତ୍ମକ ବିଷୟ ହେଉଛି, ବର୍ତ୍ତମାନ ସମୟରେ ବଢ଼ି ଚାଲିଥିବା ୟୁପିଆଇ ସାଇବର ଠକେଇ ଓ ଫିସିଂ ସ୍କାମର ଶିକାର ଗ୍ରାମାଞ୍ଚଳର ଅପାଠୁଆ ଏବଂ ସରଳ ଲୋକମାନେ ହିଁ ହେଉଛନ୍ତି। ବ୍ୟାଙ୍କ କିମ୍ବା ପ୍ରଶାସନ ତରଫରୁ ତୁରନ୍ତ ସହାୟତା ବା ଅଭିଯୋଗର ସମାଧାନ ନ ମିଳିବା କାରଣରୁ ଜଣେ ସାଧାରଣ ନାଗରିକ ତାର ରକ୍ତଝାଳ ବୁହା ଧନ ହରାଇ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ୁଛି l

ଲାଲଜୀ ଦେଶାଇ କହିଥିଲେ ଯେ, ସରକାର ବଡ଼ ବଡ଼ ଭାଷଣ ଦେଇ, ଛାତି ପିଟି କହୁଥିଲେ- ‘ଡିଜିଟାଲ୍ ପେମେଣ୍ଟ ଆପଣାନ୍ତୁ, ଦେଶ ବଦଳିବ, କାରବାର ସହଜ ହେବ’। ଗରିବ ଚାଷୀ, ଛୋଟ ଦୋକାନୀ, ପରିବା ବେପାରୀ ଆଉ ମଧ୍ୟବିତ୍ତ ଲୋକମାନେ ସରକାରଙ୍କ କଥାକୁ ବିଶ୍ୱାସ କଲେ। ପକେଟ୍‌ରୁ ନଗଦ ଟଙ୍କା ଛାଡ଼ି ସମସ୍ତେ ମୋବାଇଲ୍‌ରେ ୟୁପିଆଇ ବ୍ୟବହାର କରିବା ଶିଖିଲେ। କିନ୍ତୁ  ସାରା ଦେଶକୁ ଅଭ୍ୟାସ କରାଇ ସାରିବା ପରେ, ଏବେ ଏହି ‘ବେପାରୀ ପାର୍ଟି’ ନିଜର ଅସଲ ରୂପ ଦେଖାଇଛି। ଏବେ ସେମାନେ ୟୁପିଆଇ କାରବାର ଉପରେ ଟିକସ ଲଗାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଲେଣି।

ପ୍ରଥମେ ମାଗଣାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଜାଲରେ ଫସାଅ, ଆଉ ତା’ପରେ ସେମାନଙ୍କ ରକ୍ତଝାଳ ବୁହା ଧନ ଉପରେ ଟ୍ୟାକ୍ସ ବସାଅ। ଏହି ଜନବିରୋଧୀ ନିଷ୍ପତ୍ତି ଯୋଗୁଁ ଆମର ସାଧାରଣ ଗ୍ରାହକ ଏବଂ ଖୁଚୁରା ବ୍ୟବସାୟୀମାନେ ହିଁ ସବୁଠାରୁ ବେଶୀ ହଇରାଣ ହେବେ, ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ। କଂଗ୍ରେସ ଦଳ ଏହି ‘ବେପାରୀ ନୀତି’ କୁ କଦାପି ବରଦାସ୍ତ କରିବ ନାହିଁ। ଆମେ ଗରିବଙ୍କ ହକ୍ ପାଇଁ ରାଜପଥକୁ ଓହ୍ଲାଇବୁ ବୋଲି ପିସିସି ସଭାପତି  ଚେତାବନୀ ଦେଇଛନ୍ତି l