ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ୫-ଟି ଅଧ୍ୟକ୍ଷ ଶ୍ରୀ ଭିକେ ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଉଡ଼ାଣରେ ଅନିୟମିତତା ନେଇ ହୋଇଥିବା ମାମଲାକୁ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ଙ୍କ କୋର୍ଟ ଖାରଜ କରିଛନ୍ତି । କୌଣସି ସରକାରୀ ଖର୍ଚ୍ଚର ଅପବ୍ୟବହାର ହୋଇନଥିବା କୋର୍ଟ ଦର୍ଶାଇଛନ୍ତି । ସତ୍ୟର ବିଜୟ ହୋଇଛି ଓ କୁଚକ୍ରୀ ମାନଙ୍କ ଚକ୍ରାନ୍ତ ସର୍ବସମ୍ମୁଖକୁ ଆସିଛି ବୋଲି କହିଛି ବିଜେଡି ।
ପୂର୍ବରୁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ବି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ଶ୍ରୀ ଭିକେ ପାଣ୍ଡିଆନଙ୍କ ସ୍ୱଚ୍ଛତା ଉପରେ ମୋହର ମାରିଥିଲେ । ଯାହାକୁ ଖୋର୍ଦ୍ଧା ଜିଲ୍ଲା କୋର୍ଟ କାଏମ ରଖିଛନ୍ତି । ସରକାରୀ କୋଷାଗାରରୁ ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟ କରି ହେଲିକପ୍ଟର ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା । କିନ୍ତୁ ୨ ବର୍ଷ ବିତିଯିବା ପରେ ମଧ୍ୟ ଅଭିଯୋଗର ସତ୍ୟତା ନେଇ କୌଣସି ପ୍ରମାଣ ଉପସ୍ଥାପନ ହୋଇପାରି ନଥିଲା ।
ତେଣୁ ଆଇନଗତ ଏବଂ ପ୍ରାମାଣିକ ତ୍ରୁଟି ପାଇଁ ଜିଲ୍ଲା ଜଜ୍ ବି ଏହି ମାମଲାରେ କୌଣସି ଭିତ୍ତି ନଥିବା ସ୍ପଷ୍ଟ କରି ଖାରଜ କରିଛନ୍ତି । ତେଣୁକରି ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ଶ୍ରୀ ଭିକେ ପାଣ୍ଡିଆନଙ୍କ ବିରୋଧରେ ଏହା ମିଥ୍ୟା, କପୋଳକଳ୍ପିତ ଓ ମନ୍ଦ ରାଜନୈତିକ ଉଦେ୍ଦଶ୍ୟ ରଖି ଅଭିଯୋଗ କରାଯାଇଥିଲା ବୋଲି ସ୍ପଷ୍ଟ ହୋଇଛି । ବିରୋଧୀ ମାନେ ଅସହିଷ୍ଣୁ ଭାବନା ନେଇ ଚକ୍ରାନ୍ତ କରି ବାରମ୍ବାର ଅଭିଯୋଗ କରୁଛନ୍ତି, ଯାହାକି ମିଥ୍ୟା ପ୍ରମାଣିତ ହୋଇଛି ।
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା, ଯାହାକି ମିଥ୍ୟା ପ୍ରମାଣିତ ହୋଇଛି । ରାଜ୍ୟ ସରକାର ନିଜେ ଗଣତି ମଣତି କରିବା ପରେ ରତ୍ନଭଣ୍ଡାରର ସମସ୍ତ ରତ୍ନ ଅଳଙ୍କାର ସୁରକ୍ଷିତ ଥିବା ନେଇ ସୂଚନା ଦେଇଛନ୍ତି । ତେବେ ମନ୍ଦ ଉଦେ୍ଦଶ୍ୟ ପ୍ରଣୋଦିତ ମିଥ୍ୟା ଅଭିଯୋଗ ଅସତ୍ୟ ବୋଲି ପ୍ରମାଣିତ ହୋଇଛି । ସତ୍ୟାସତ୍ୟ ସର୍ବସମ୍ମୁଖରେ ସ୍ପଷ୍ଟ ହୋଇଛି । ସତ୍ୟ ଓ ନ୍ୟାୟର ବିଜୟ ହୋଇଛି । ବିରୋଧୀ ମାନେ ଏପରି କୁଚକ୍ରାନ୍ତ କରିବାରୁ ନିବୃତ୍ତ ରୁହନ୍ତୁ ।

