ଭୁବନେଶ୍ୱର : ଗାଡ଼ି ମାଲିକ ଓ ଚାଳକଙ୍କ ପାଇଁ ବଡ଼ ଆଶ୍ବସ୍ତି। କମିଲା ପ୍ରଦୂଷଣ ଫାଇନ୍ । ମୋଟର ଯାନ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ନଥିଲେ ଫାଇନ୍କୁ ସର୍ବାଧିକ ୧୦ ହଜାରରୁ ୬ ହଜାରକୁ ହ୍ରାସ ପାଇଛି । ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ପିୟୁସିସି ସମ୍ବନ୍ଧୀୟ ନିୟମ ଉଲ୍ଲଂଘନ ଯୋଗୁଁ ଜାରି ହେଉଥିବା ଜରିମାନା ରାଶି ଦଶ ହଜାର ଟଙ୍କାକୁ ହ୍ରାସ କରିବା ପାଇଁ ଦାବି ହେଉଥିଲା । ଏଥିପାଇଁ କିଛି ଲୋକ ଆମ ସରକାରଙ୍କୁ ସମାଲୋଚନା ମଧ୍ୟ କରିଥିଲେ । କିନ୍ତୁ ବାସ୍ତବରେ ୨୦୧୯ ମସିହାରେ ସେତେବେଳର ରାଜ୍ୟ ସରକାର ଏହି ଜରିମାନା ରାଶି ଧାର୍ଯ୍ୟ କରିଥିଲେ । ତେବେ ଆମ ସରକାର ଜନସାଧାରଣଙ୍କ ଦାବିକୁ ସମ୍ମାନ ଦେଇ ଏହି ନିଷ୍ପତ୍ତି ନେଇଛନ୍ତି ।
ସେହିଭଳି ନୂତନ ସଂଶୋଧନ ଅନୁଯାୟୀ, ମୋଟରସାଇକେଲ କିମ୍ବା ବାଇକ୍ ଏବଂ ତିନି ଚକିଆ ଗାଡ଼ି (ଯାତ୍ରୀବାହୀ/ମାଲ ପରିବହନ) ପ୍ରଥମ ଥର ନିୟମ ଉଲ୍ଲଙ୍ଘନ କଲେ ୧,୦୦୦ ଏବଂ ଦ୍ୱିତୀୟ ବା ପରବର୍ତ୍ତୀ ସମୟରେ ନିୟମ ଉଲ୍ଲଙ୍ଘନ କଲେ ୨,୦୦୦ ଜରିମାନା ଦେବାକୁ ପଡ଼ିବ। ସେହିପରି ମୋଟର କ୍ୟାବ୍ ଏବଂ ମୋଟର କାର୍ କିମ୍ବା ଜିପ୍ ପାଇଁ ପ୍ରଥମ ଥର ୨,୦୦୦ ଏବଂ ଦ୍ୱିତୀୟ ବା ପରବର୍ତ୍ତୀ ସମୟ ନିୟମ ଉଲ୍ଲଙ୍ଘନ ପାଇଁ ୫,୦୦୦ ଜରିମାନା ଧାର୍ଯ୍ୟ ହୋଇଛି। ଟ୍ରାକ୍ଟର କିମ୍ବା ଟ୍ରେଲର କ୍ଷେତ୍ରରେ ଏହି ଜରିମାନା ପ୍ରଥମ ଥର ପାଇଁ ୨,୦୦୦ ଏବଂ ଦ୍ୱିତୀୟ ବା ପରବର୍ତ୍ତୀ ସମୟ ପାଇଁ ୫,୦୦୦ । ଏହା ବ୍ୟତୀତ, ଏହି ସମସ୍ତ ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇନଥିବା ପରିବହନ ଗାଡ଼ି ଏବଂ ଅନ୍ୟାନ୍ୟ ସମସ୍ତ ଯାନ ପାଇଁ ପ୍ରଥମ ଥର ନିୟମ ଉଲ୍ଲଙ୍ଘନ କଲେ ୩,୦୦୦ ଏବଂ ଦ୍ୱିତୀୟ କିମ୍ବା ପରବର୍ତ୍ତୀ ସମୟ ପାଇଁ ୬,୦୦୦ ଜରିମାନା ଦେବାକୁ ହେବ।
ଲୋକମାନଙ୍କର ଦାବିକୁ ବିଚାର କରି ସମସ୍ତ ନିଷ୍ପତ୍ତି ଗ୍ରହଣ କରାଯାଉଛି। ତେଣୁ ଆଶା କରାଯାଉଛି ଯେ, ମୋଟର୍ ଯାନ ଆଇନ୍ ଅନୁଯାୟୀ ଏବେ ସମସ୍ତେ ସଡ଼କ ସୁରକ୍ଷା ନିୟମ ପାଳନ କରିବେ ଏବଂ ପ୍ରଦୂଷଣ ପ୍ରମାଣପତ୍ର ଠାରୁ ଆରମ୍ଭ କରି ଗାଡ଼ିର ବୀମା ପର୍ଯ୍ୟନ୍ତ ସମସ୍ତ କାଗଜପତ୍ର ଅପ୍-ଟୁ-ଡେଟ୍ ରଖିବେ ବୋଲି ସେ କହିଛନ୍ତି।
ପୂର୍ବରୁ ଜନସାଧାରଣଙ୍କ ଅନୁରୋଧ କ୍ରମେ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ ପ୍ରକ୍ରିୟାକୁ କିଛି ଦିନ ପାଇଁ କୋହଳ କରାଯାଇଥିଲା। ସରକାରୀ ଘୋଷଣା ଅନୁଯାୟୀ ଏହି କୋହଳ ଅବଧି ଏପ୍ରିଲ୍ ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ଥିଲା। ଏପରିକି ତା’ ପରଠାରୁ ମଧ୍ୟ ଏହି ଦୁଇଟି ବିଷୟ (ପ୍ରଦୂଷଣ ଓ ବୀମା) ଉପରେ ଏନଫୋର୍ସମେଣ୍ଟ ପ୍ରକ୍ରିୟାକୁ ଅଧିକ ବ୍ୟାପକ କରାଯାଇ ନଥିଲା। ଏବେ କିନ୍ତୁ ପୁଣି ଥରେ ଏନ୍ଫୋର୍ସମେଣ୍ଟକୁ କଡାକଡି କରାଯିବ। ସେହିଭଳି ନବେ ଦିନରୁ ଅଧିକ ଦିନ ଧରି ଇ-ଚାଲାଣ ବକେୟା ଥିଲେ ପିୟୁସିସି ହୋଇ ନ ପାରିବା ନେଇ ମଧ୍ୟ ଆଇନରେ ପ୍ରାବଧାନ ରହିଛି । ଯାହାକୁ ମଧ୍ୟ କାର୍ଯ୍ୟକ୍ଷମ କରାଯିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।

