Home General ପୁଡୁଚେରୀ ଉପ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

ପୁଡୁଚେରୀ ଉପ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

ପୁଡୁଚେରୀ : ଆନ୍ତଃରାଜ୍ୟ ଗଣମାଧ୍ୟମ ଗସ୍ତର ଅଂଶବିଶେଷ ଭାବେ ସମ୍ପ୍ରତି ପୁଡୁଚେରୀ ଗସ୍ତରେ ଥିବା ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ପୁଡୁଚେରୀ ଉପ ରାଜ୍ୟପାଳ କେ କୈଳାସନାଥନଙ୍କୁ ସାକ୍ଷାତ କରିଛନ୍ତି । କେନ୍ଦ୍ର ଶାସିତ ପ୍ରଦେଶ ପୁଡୁଚେରୀର ପର୍ଯ୍ୟଟନ, ସଂସ୍କୃତି, ଐତିହ୍ୟ, ଆଧ୍ୟାତ୍ମିକତା, ଉପକୂଳ ବାଣିଜ୍ୟ ଆଦି ବିଭିନ୍ନ ପ୍ରସଙ୍ଗରେ ଉପ ରାଜ୍ୟପାଳ ଓଡ଼ିଶାର ପ୍ରତିନିଧି ଦଳ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।

ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ଉପ ରାଜ୍ୟପାଳ କହିଛନ୍ତି, ପୁଡୁଚେରୀ କେନ୍ଦ୍ର ଶାସିତ ପ୍ରଦେଶ ମୁଖ୍ୟତଃ ପର୍ଯ୍ୟଟନ ପାଇଁ ଖ୍ୟାତି ଲାଭ କରିଛି । ଏହାର ଅର୍ଥବ୍ୟବସ୍ଥା ମଧ୍ୟ ବିଶେଷ ଭାବେ ପର୍ଯ୍ୟଟନ ଉପରେ ନିର୍ଭରଶୀଳ । ଏଠାକାର ସୁନ୍ଦର ବେଳାଭୂମି ସମେତ  ଫରାସୀ ସ୍ଥାପତ୍ୟ ଓ ଭାରତୀୟ ପ୍ରାଚୀନ କିର୍ତ୍ତୀରାଜି ଐତିହ୍ୟ ପର୍ଯ୍ୟଟନ ପାଇଁ ବ୍ୟାପକ ସମ୍ଭାବନା   ସୃଷ୍ଟି କରିଛି । ଶ୍ରୀଅରବିନ୍ଦଙ୍କ ଆଶ୍ରମ ଏବଂ ଅରୋଭିଲ ମଧ୍ୟ ପୁଡୁଚେରୀରେ ଆଧ୍ୟାତ୍ମିକ ପର୍ଯ୍ୟଟନର ଅପାର ସମ୍ଭାବନା ସୃଷ୍ଟି କରୁଛି ।

ସେ ଆହୁରି କହିଛନ୍ତି, ପୁଡୁଚେରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଅନେକ ପ୍ରାଚୀନ ମନ୍ଦିର ରହିଛି । ପ୍ରତ୍ୟେକ ମନ୍ଦିରର ସ୍ୱତନ୍ତ୍ର କିମ୍ବଦନ୍ତୀ ଓ ଇତିହାସ ରହିଛି। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ସେଗୁଡ଼ିକୁ ଦେଖି ସ୍ୱତନ୍ତ୍ର ଅଭିଜ୍ଞତା ହାସଲ କରିପାରିବେ ।

ଉପ ରାଜ୍ୟପାଳ ଆହୁରି କହିଛନ୍ତି, ବର୍ତ୍ତମାନର କେନ୍ଦ୍ର ସରକାର ପୁଡୁଚେରୀର ସାମଗ୍ରିକ ବିକାଶ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି କେନ୍ଦ୍ର ଶାସିତ ଅଞ୍ଚଳର କଲ୍ୟାଣ ନିମନ୍ତେ ଯଥେଷ୍ଠ ପାଣ୍ଠି ଆବଣ୍ଟନ କରାଯାଉଛି । ପୁଡୁଚେରୀ ସରକାର ମଧ୍ୟ କେନ୍ଦ୍ର ସହ ସମନ୍ୱୟ ସ୍ଥାପନ କରି ସାମଗ୍ରିକ ବିକାଶ ପ୍ରତି ଧ୍ୟାନ କେନ୍ଦ୍ରିତ କରୁଛନ୍ତି ।

ଶ୍ରୀ କୈଳାସନାଥନ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ପୁଡୁଚେରୀରେ ସରକାରୀ ନିଯୁକ୍ତି ପ୍ରକ୍ରିୟାକୁ ବିସ୍ତାର କରିବା ସହ ଏହାକୁ ସ୍ୱଚ୍ଛ ଓ ପାରଦର୍ଶୀ କରାଯାଇଛି । ଫଳରେ ପ୍ରକୃତ ଯୁବ ପ୍ରତିଭାମାନଙ୍କୁ ଅଧିକରୁ ଅଧିକ ସୁଯୋଗ ମିଳୁଛି ଏବଂ ସେମାନେ ପୁଡୁଚେରୀର ବିକାଶରେ ମୂଲ୍ୟବାନ ଯୋଗଦାନ ଦେଉଛନ୍ତି ।

ସେ କହିଛନ୍ତି, ଏଠାରେ ମାଛ ଚାଷ, ଉତ୍ପାଦନ ଓ ରପ୍ତାନି ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି। ସାମୁଦ୍ରିକ ଖାଦ୍ୟ ସାମଗ୍ରୀର ଉତ୍ପାଦନ ଓ ରପ୍ତାନିକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ମତ୍ସ୍ୟଜୀବୀଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।

ଓଡ଼ିଶା ସମ୍ପର୍କରେ ମତ ରଖି ଉପ ରାଜ୍ୟପାଳ କହିଛନ୍ତି, ଆର୍ଥିକ ଦୃଷ୍ଟିରୁ ଓଡ଼ିଶା ବିକାଶଶୀଳ ରାଜ୍ୟ ରୂପେ ମୁଣ୍ଡ ଟେକୁଛି । ଓଡ଼ିଶାରେ ଥିବା ସୁଦୀର୍ଘ ବେଳାଭୂମି, ଅପାର ଖଣିଜ ସମ୍ପଦ, ବୃହତ ବନ୍ଦର ଭଳି ଆଧୁନିକ ଭିତ୍ତିଭୂମି ଆର୍ଥିକ ବିକାଶ ପାଇଁ ବ୍ୟାପକ ସମ୍ଭାବନା ସୃଷ୍ଟି କରୁଛି । ରାଜ୍ୟରେ ଥିବା ବହୁସଂଖ୍ୟକ ଯୁବ ପ୍ରତିଭାଙ୍କ ଯୋଗଦାନ ବଳରେ ଓଡ଼ିଶା ଆଗାମୀ ଦିନରେ ଆର୍ଥିକ ଓ ସାମଗ୍ରିକ ପ୍ରଗତି ହାସଲ କରିବା ସହ ବିକଶିତ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି ।

ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟକୁ ମଧ୍ୟ ଉପ ରାଜ୍ୟପାଳ ଶ୍ରୀ କୈଳାସନାଥନ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଭାରତୀୟ ପ୍ରଶାସନିକ ସେବାରେ ଥିବା ସମୟରେ ତାଙ୍କର ଅନେକ ଓଡ଼ିଆ ସହକର୍ମୀଙ୍କ ସହ ପରିଚୟ ଥିଲା । ସେମାନଙ୍କ ସଂସ୍ପର୍ଶରେ ଆସି ସେ ଓଡ଼ିଆ ବ୍ୟଞ୍ଜନର ସ୍ୱାଦ ପାଇଥିଲେ । ଏହି ଅବସରରେ ସେ ଓଡ଼ିଆ ବ୍ୟଞ୍ଜନ ପଖାଳ ଖାଇଥିବାର ସ୍ମୃତିଚାରଣ କରିଥିଲେ। ଓଡ଼ିଆ ଗଣମାଧ୍ୟମ ପ୍ରତିନିଧିଙ୍କ ଏହି ଗସ୍ତ ଓଡ଼ିଶା ଓ ପୁଡୁଚେରୀ ମଧ୍ୟରେ ସମ୍ପର୍କକୁ ମଜବୁତ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଯୋଜନା ବିଷୟରେ ତଥ୍ୟ ଓ ସୂଚନା ପ୍ରଦାନ କରିବାର ଏକ ବିଶ୍ୱସନୀୟ ମାଧ୍ୟମ ବୋଲି ଉପ ରାଜ୍ୟପାଳ କହିଥିଲେ । ଓଡ଼ିଶାରେ ପିଆଇବିର କାର୍ଯ୍ୟଧାରା, ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବାର ବ୍ୟବସ୍ଥା ଏବଂ ଗଣଯୋଗାଯୋଗ କ୍ଷେତ୍ରରେ ଏହାର ଦାୟିତ୍ୱ ସମ୍ପର୍କରେ ସାମ୍ବାଦିକମାନଙ୍କ ସହ ଉପ ରାଜ୍ୟପାଳ ଆଲୋଚନା କରିଥିଲେ ।

ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଏହି ଗସ୍ତ ଆୟୋଜନ କରାଯାଇଛି । ଏହା ସାମ୍ବାଦିକମାନଙ୍କୁ ଭାରତ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପ୍ରମୁଖ ବିକାଶମୂଳକ ପଦକ୍ଷେପର ପ୍ରଭାବ ଏବଂ କାର୍ଯ୍ୟକାରିତାର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିବାର ସୁଯୋଗ ପ୍ରଦାନ କରିବ ।

ପିଆଇବି, ଭୁବନେଶ୍ୱରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି ଏବଂ ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦଙ୍କ ନେତୃତ୍ୱରେ ସାମ୍ବାଦିକମାନେ ଏହି ଗସ୍ତ କରିଛନ୍ତି ।