Home Health ଛତୁ, ପନିପରିବାର ଯାଞ୍ଚ କେବେ ?

ଛତୁ, ପନିପରିବାର ଯାଞ୍ଚ କେବେ ?

ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଏବେ ପନୀର ଓ ଛେନା ଆଦି ଶାକାହାରୀ ଖାଦ୍ୟ ସାମଗ୍ରୀର ଯାଞ୍ଚରୁ ଅପମିଶ୍ରଣ ଚିହ୍ନଟ ହେବାପରେ ଏହି ସାମଗ୍ରୀ ହଠାତ୍‍ ବିଭିନ୍ନ ସ୍ଥାନରୁ ଉଭାନ ହୋଇଯାଇଛି । ତେବେ ଲୋକେ ଏହାର ବିକଳ୍ପ ଭାବେ ଛତୁ, ସୋୟା, ଦୁଗ୍ଧ ଆଦିକୁ ବାଛୁଥିବାବେଳେ ତାହାର ମାନ କିନ୍ତୁ ଯାଞ୍ଚ ହେଉନାହିଁ ।

ରାଜଧାନୀରେ ଏବେ ଛତୁର ଚାହିଦା ଢେର ବଢିଯାଇଛି । ଖାଦ୍ୟ ପନୀର ଓ ଛେନା ଆଦି ବ୍ୟବହାର କରୁଥିବା ଲୋକେ ଅପମିଶ୍ରଣ ଭୟରେ ଛତୁକୁ ଆଦରି ନେଉଛନ୍ତି । ତେଣୁ ଛତୁର ଦର କି କିଲୋ ପିଛା ୨୦ ରୁ ୩୦ ଟଙ୍କା ବଢି ୩ଶହ ଟଙ୍କା ଛୁଇଁଲାଣି । ତେବେ ରାଜଧାନୀର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଏହି ଛତୁର ମାନ କିନ୍ତୁ ଯାଞ୍ଚ ହେଉନାହିଁ । ଏପରିକି ବିଭିନ୍ନ ହୋଟେଲ ଓ ଉଠାଦୋକାନୀମାନେ ଛତୁ ରୁ ପ୍ରସ୍ତୁତ କରୁଥିବା ଖାଦ୍ୟ ବି ଯାଞ୍ଚ ହେଉନାହିଁ ।

ସହରରେ ବିକ୍ରି ହେଉଥିବା ଛତୁରୁ ଅଧିକ ଲାଭ ପାଇବା ଆଶାରେ ବ୍ୟବସାୟୀମାନେ ଏହାକୁ ଅମଳ ସ୍ଥାନରୁ ଚାଷୀଙ୍କ ଠାରୁ ଆଣି ସିଧାସଳଖ ପାଣିରେ ବୁଡାଇ ରଖୁଛନ୍ତି । ଏହା ଫଳରେ ଗୋଟିଏ କିଲୋ ଶୁଖିଲା ଛତୁର ଓଜର ୨୦୦ ରୁ ୩୦୦ ଗ୍ରାମ ପର୍ଯ୍ୟନ୍ତ ବଢି ଯାଉଛି । ପାଣିରେ ଅଧିକ ସମୟ ବୁଡି ରହିବା ଫଳରେ କେତେକ ଛତୁ ଖରାପ ହୋଇଯାଉଥିଲେ ମଧ୍ୟ ତାହାକୁ ଅତ୍ୟନ୍ତ ଚତୁରତାର ସହିତ ଭଲ ଛତୁରେ ମିଶାଇ ବିକ୍ରି କରାଯାଉଛି । ଯେହେତୁ ଚାହିଦା ତୁଳନାରେ ସହରକୁ କମ୍‍ ଛତୁ ଆସୁଛି ତେଣୁ ଗ୍ରାହକମାନେ ଆଗପଛ ନବିଚାରି ଅଧିକ ଦାମ ଦେଇ ନିମ୍ନମାନର ଛତୁ ସଂଗ୍ରହ କରୁଛନ୍ତି ।

ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଯେଉଁଭଳି ଭାବେ ବିଭିନ୍ନ ଦୋକାନକୁ ଯାଇ ପନୀର ଓ ଛେନା ଯାଞ୍ଚ କରୁଛନ୍ତି ଅନୁରୂପ ଭାବେ ଛତୁ ସମେତ ଅନ୍ୟାନ୍ୟ ପନିପରିବାର ଯାଞ୍ଚ ପାଇଁ ମତପ୍ରକାଶ ପାଉଛି । କାରଣ ଅପମିଶ୍ରିତ ପନୀର ଭଳି ନିମ୍ନମାନର ଛତୁ ମଧ୍ୟ ସ୍ୱାସ୍ଥ୍ୟପାଇଁ ଅଧିକ ବିପଦଜନକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି ।

କେବଳ ଛତୁ ନୁହେଁ, ବର୍ତ୍ତମାନ ବଜାରରେ ସବୁଜ ପନିପରିବାର ଦର ଅଧିକ ରହୁଥିବାବେଳେ କିଛି ବ୍ୟବସାୟୀ ରଙ୍ଗବୋଳା ଓ ଫିମ୍ପି ମାରିଯାଇଥିବା ପନିପରିବାକୁ ମଧ୍ୟ ବିକ୍ରି କରୁଛନ୍ତି । ସହରରେ ଥିବା ଛୋଟ ଛୋଟ ହୋଟେଲ, ଖାଦ୍ୟ ପ୍ରସ୍ତୁତ କରୁଥିବା ମନ୍ଦିର, ଢାବା, ଉଠା ଖାଦ୍ୟ ଦୋକାନୀମାନେ ସାଧାରଣତଃ ଏହାକୁ ବ୍ୟବହାର କରୁଛନ୍ତି । ଯେହେତୁ ସେହିସବୁ ଖାଦ୍ୟ ଦୋକାନରେ ଯାଞ୍ଚର ଭୟ ନାହିଁ ତେଣୁ ନିମ୍ନମାନର ପନିପରିବା ସେହିଠାରେ ହିଁ ଅଧିକ ବ୍ୟବହାର ହେଉଛି ।

ସେହିଭଳି ସହରରେ ଏବେ ବିଭିନ୍ନ ସ୍ଥାନରେ ଖୋଲାରେ ଦୁଗ୍ଧ ବିକ୍ରି ହେଉଛି । ରାଜଧାନୀ ଆଖପାଖରୁ ବିଭିନ୍ନ ସ୍ଥାନରୁ ଦୁଗ୍ଧକୁ ଟ୍ୟାଙ୍କରରେ ଆଣି ବିକ୍ରି କରାଯାଉଛି । ଏହାକୁ ନେବାକୁ ବି ଲୋକେ ଧାଡି ଲଗାଉଛନ୍ତି । ତେବେ ଏହି ଦୁଗ୍ଧର ମାନ କ’ଣ ରହିଛି ତାହା ସାଧାରଣ ଖାଉଟିଏ ପକ୍ଷେ ଜାଣିବା ସମ୍ଭବପର ନୁହେଁ । ତେଣୁ ପନୀର, ଛେନା ଭଳି ସହରର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଖୋଲା ଦୁଗ୍ଧର ମାନ ଯାଞ୍ଚ ପାଇଁ ମଧ୍ୟ ମତପ୍ରକାଶ ପାଉଛି । (ତଥ୍ୟ)