ଭୁବନେଶ୍ୱର : ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଞ୍ଜୀକରଣ ଓ ସଂଶୋଧନ ପାଇଁ ନିର୍ଦ୍ଧାରିତ ଦାବି ଓ ଆପତ୍ତି ଦାଖଲ ସମୟସୀମା ଆଜି ସମାପ୍ତ ହୋଇଛି। ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ସୁଦ୍ଧା ନୋଟିସ ପର୍ଯ୍ୟାୟ ସହ ସମସ୍ତ ଦାବି ଓ ଆପତ୍ତିର ଅନ୍ତିମ ଫଇସଲା କରାଯିବ ଏବଂ ସେପ୍ଟେମ୍ବର ୨୧ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
ସୂଚନା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ସୁଦ୍ଧା ସମସ୍ତ ନୋଟିସ ପର୍ଯ୍ୟାୟ ଶେଷ ହେବା ସହ ଦାଖଲ ହୋଇଥିବା ସମସ୍ତ ଦାବି ଓ ଆପତ୍ତିଗୁଡ଼ିକର ଅନ୍ତିମ ଫଇସଲା କରାଯିବ। ଏହି ସମସ୍ତ ଶୁଣାଣି ଓ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ସେପ୍ଟେମ୍ବର ୨୧ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇବ।
ଆଜି ସୁଦ୍ଧା ମୋଟ ୫୮ ଲକ୍ଷ ୩୬ ହଜାର ୪୩୦ ଜଣ ଭୋଟରଙ୍କ ନାମରେ ନୋଟିସ ଜାରି କରାଯାଇଥିଲା। ସେଥିମଧ୍ୟରୁ ପ୍ରଶାସନିକ ତତ୍ପରତା ଯୋଗୁଁ ୫୮ ଲକ୍ଷ ୩୬ ହଜାର ୩୭୪ ଜଣ ଭୋଟରଙ୍କ ନିକଟରେ ସଫଳତାର ସହ ନୋଟିସ ପହଞ୍ଚାଯାଇ ସାରିଛି। ବର୍ତ୍ତମାନ ସୁଦ୍ଧା ନୋଟିସ ପାଇଥିବା ଭୋଟରମାନଙ୍କ ଶୁଣାଣି ଶେଷ କରାଯାଇ, ସେଥି ମଧ୍ୟରୁ ୫୪ ଲକ୍ଷ ୨୧ ହଜାର ୮୭୨ ଜଣ ଭୋଟରଙ୍କୁ ଭୋଟର ତାଲିକାରେ ବଜାୟ ରଖାଯାଇଛି।
ଏବେ ସୁଦ୍ଧା ରାଜ୍ୟରେ ମୋଟ ୩କୋଟି ୯ଲକ୍ଷ ୭୧ହଜାର ୯୪୧ ଜଣ ଯୋଗ୍ୟ ଭୋଟର ଚୂଡାନ୍ତ ଭୋଟର ତାଲିକାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ,ଯେହେତୁ ଶୁଣାଣି ପ୍ରକ୍ରିୟା ଚାଲୁରହିଛି ଆଗକୁ ଶୁଣାଣି କରାଯାଇ ଯୋଗ୍ୟ ଭୋଟରଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

