ଭୁବନେଶ୍ୱର : ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ନଗର ଉନ୍ନୟନ ଓ ସହରାଞ୍ଚଳରେ ଗମନାଗମନ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଭାଗ ତରଫରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା । ପ୍ରକଳ୍ପ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା, ସହରାଞ୍ଚଳରେ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ବରାଦ ଅର୍ଥର ସମୟୋଚିତ ବିନିଯୋଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।
ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଉଷା ପାଢ଼ୀ, ଡିଏମ୍ଏ ଶ୍ରୀ ଅରିନ୍ଦମ ଡାକୁଆଙ୍କ ସମେତ ସମସ୍ତ ସ୍ଵତନ୍ତ୍ର ସଚିବ , ଅତିରିକ୍ତ ସଚିବ , କ୍ରୁଟ୍ର ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ସମ୍ପୃକ୍ତ ଅଧିକାରୀମାନେ ଯୋଗ ଦେଇଥିଲେ।
ମାନ୍ୟବର ମନ୍ତ୍ରୀ ଡ. ମହାପାତ୍ର ବିଭାଗ ତରଫରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ବିସ୍ତୃତ ସମୀକ୍ଷା କରିବା ସହ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା, ବିଭିନ୍ନ ବାଧାବିଘ୍ନ ଦୂର କରିବା ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବରାଦ ଅର୍ଥର ବିନିଯୋଗ ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମନ୍ୱିତ ପଦକ୍ଷେପ, ନିୟମିତ ତଦାରଖ ଓ ଫଳାଫଳଭିତ୍ତିକ କାର୍ଯ୍ୟାନ୍ୱୟନ ମାଧ୍ୟମରେ ନଗର ଉନ୍ନୟନମୂଳକ ପଦକ୍ଷେପଗୁଡ଼ିକର ସୁଫଳ ଯେପରି ନାଗରିକମାନଙ୍କ ନିକଟରେ ଶୀଘ୍ର ପହଞ୍ଚିପାରିବ, ସେଥିପାଇଁ ସେ ଗୁରୁତ୍ୱାରୋପ କରିଥିଲେ ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଡଃ ମହାପାତ୍ର କହିଥିଲେ ଯେ ବିଭିନ୍ନ ଆୟ ବର୍ଗର ଲୋକଙ୍କ ପାଇଁ ସରକାର ସୁଲଭ ଆବାସ ସୁବିଧା ବିସ୍ତାର ଉପରେ ଗୁରୁତ୍ୱ ଦେଉଛନ୍ତି । ଆର୍ଥିକ ଦୁର୍ବଳ ବର୍ଗ , ନିମ୍ନ ଆୟ ବର୍ଗ ଏବଂ ମଧ୍ୟମ ଆୟ ବର୍ଗ ପାଇଁ ନୂତନ ଆବାସ ମଡେଲ ବିକଶିତ କରିବା ସହ ସହରାଞ୍ଚଳବାସୀଙ୍କ ପରିବର୍ତ୍ତିତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭଡ଼ା ଆବାସ ବ୍ୟବସ୍ଥାର ସମ୍ଭାବନା ନେଇ ମଧ୍ୟ ଆଲୋଚନା ହୋଇଥିଲା ।
ମହାରାଷ୍ଟ୍ରର ଗସ୍ତ ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଥିଲେ ଯେ ପ୍ରିକାଷ୍ଟ ନିର୍ମାଣ ପ୍ରଯୁକ୍ତି ଏବଂ “ମିଶନ୍ ୧୦୦” ଭଳି ପଦକ୍ଷେପ, ଯେଉଁଥିରେ ୧୦୦ ଦିନରେ ୧୦୦ଟି ଘର ନିର୍ମାଣ କରାଯାଉଛି, ତାହା ଅଧ୍ୟୟନ କରାଯାଇଛି । ଓଡ଼ିଶାରେ ଏଭଳି ପ୍ରଯୁକ୍ତି ଉପଯୋଗ କରାଯିବାର ସମ୍ଭାବନା ଅନୁଧ୍ୟାନ କରିବା ପାଇଁ ଏକ ବୈଷୟିକ ଦଳ ପଠାଯିବ । ନିର୍ଦ୍ଧାରିତ ବୈଷୟିକ ଓ ନିର୍ମାଣ ମାନଦଣ୍ଡ ବଜାୟ ରଖି ଗୁଣାତ୍ମକ ଓ ସୁଲଭ ଆବାସ ନିର୍ମାଣକୁ ତ୍ୱରାନ୍ୱିତ କରିବା ଏହି ପଦକ୍ଷେପର ଲକ୍ଷ୍ୟ ।
ମନ୍ତ୍ରୀ ଜିଲ୍ଲାସ୍ତରର ବିକାଶ ପ୍ରାଧିକରଣଗୁଡ଼ିକର ପ୍ରତିଷ୍ଠାନଗତ ସୁଦୃଢ଼ୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ପ୍ରଭାବଶାଳୀ ଟାଉନ୍ ପ୍ଲାନିଂ, ଯୋଜନାବଦ୍ଧ ସହର ବିସ୍ତାର ଏବଂ ସମନ୍ୱିତ ନଗର ଉନ୍ନୟନ ପାଇଁ ଏହି ସଂସ୍ଥାଗୁଡ଼ିକୁ ଆବଶ୍ୟକ କ୍ଷମତା ଓ ସାମର୍ଥ୍ୟ ପ୍ରଦାନ କରି ସୁଦୃଢ଼ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

