ଭୁବନେଶ୍ୱର : ଜଟଣୀ ଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା ହୋମିଭାବା କ୍ୟାନସର୍ ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ପାଇଁ ଆବଶ୍ୟକ ଅତିରିକ୍ତ ଅର୍ଥ ରାଜ୍ୟ ସରକାର ନିଜସ୍ୱ ବଜେଟରୁ ଯୋଗାଇ ଦେବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନୀତିଗତ ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ ଯେ, ଏହି ହସ୍ପିଟାଲଟି ପ୍ରସିଦ୍ଧ କ୍ୟାନସର୍ ଚିକିତ୍ସାଳୟ ଟାଟା ମେମୋରିଆଲ ସେଣ୍ଟର ଭଳି ଭାରତ ସରକାରଙ୍କ ଆଣବିକ ଶକ୍ତି ବିଭାଗ ଅଧୀନରେ ପ୍ରତିଷ୍ଠା କରାଯାଉଛି । ଏହି ହସ୍ପିଟାଲରେ ପୂର୍ବରୁ ଶଯ୍ୟା ସଂଖ୍ୟା ୨୦୦ ରଖାଯାଇଥିଲା, ତେବେ ପରବର୍ତ୍ତୀ ସମୟରେ ଏହାକୁ ୩୮୫କୁ ବୃଦ୍ଧି କରାଯାଇଛି । ଏହି ନିର୍ମାଣ ପାଇଁ ଖର୍ଚ୍ଚ ଆକଳନ ବୃଦ୍ଧି ପାଇଛି ।
ଏଥିପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ମଧ୍ୟ ଅର୍ଥ ଯୋଗାଇ ଦିଆଯାଉଛି। ତେବେ, ଯେଉଁ ଅତିରିକ୍ତ ଅର୍ଥରାଶି ଆବଶ୍ୟକ ହେବ, ଓଡ଼ିଶା ସରକାର ତାକୁ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ହସ୍ପିଟାଲର ଶଯ୍ୟା କ୍ଷମତା ବୃଦ୍ଧି ଓ ଅନ୍ୟାନ୍ୟ ଭିତ୍ତିଭୂମି ଉପକରଣ ପାଇଁ ଏହି ଅର୍ଥ ବିନିଯୋଗ ହେବ ।
ସୂଚନାଯୋଗ୍ୟ ଯେ, ମୁମ୍ୱାଇ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେବା ପାଇଁ ବହୁ ସଂଖ୍ୟକ ଓଡ଼ିଆ ରୋଗୀ ପ୍ରତିଦିନ ଯାଇଥାନ୍ତି । ଜଟଣୀରେ ଏହି ହସ୍ପିଟାଲ ପ୍ରତିଷ୍ଠା ପରେ ଏହାଦ୍ୱାରା କେବଳ ଓଡ଼ିଶାର ରୋଗୀମାନେ ନୁହେଁ ବରଂ ପୂର୍ବ ଭାରତର ସମସ୍ତ କର୍କଟ ରୋଗୀ ଉପକୃତ ହେବେ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

