ଭୁବନେଶ୍ୱର : ରାଜ୍ୟର ପ୍ରାୟ ୧କୋଟି ୩୭ଲକ୍ଷ ଶ୍ରମିକ କେନ୍ଦ୍ର ସରକାରଙ୍କ ଇ-ଶ୍ରମ ପୋର୍ଟାଲରେ ନିଜକୁ ପଞ୍ଜିକୃତ କରିଛନ୍ତି । ଏମାନଙ୍କ ମଧ୍ୟରେ ରାଜ୍ୟ ବାହାରକୁ କାମ ପାଇଁ ଯାଇଥିବା ପ୍ରବାସୀ ଶ୍ରମିକମାନେ ମଧ୍ୟ ରହିଛନ୍ତି ।
ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କର ପଞ୍ଜିକରଣ ପାଇଁ କେନ୍ଦ୍ର ସରକାର ଇ-ଶ୍ରମ ପୋର୍ଟାଲ ଖୋଲିଥିବାବେଳେ ସେଥିରେ ସମଗ୍ର ଦେଶରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୨ କୋଟି ଶ୍ରମିକ ନିଜକୁ ପଞ୍ଜିକୃତ କରିଛନ୍ତି । ଏମାନଙ୍କ ମଧ୍ୟରେ ଓଡିଶାର ୧କୋଟି ୩୭ଲକ୍ଷ ଶ୍ରମିକ ରହିଥିବା ଜଣାଯ।।ଇଛି । ଓଡିଶାର ପଞ୍ଜିକୃତ ଶ୍ରମିକମାନଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୧୨ଲକ୍ଷରୁ ଅଧିକ ଶ୍ରମିକ ଥିବାବେଳେ ବାଲେଶ୍ୱରରୁ ଦ୍ୱିତୀୟ ସର୍ବାଧିକ ୮ଲକ୍ଷ ୫୬ହଜାରରୁ ଅଧିକ ଶ୍ରମିକ ରହିଛନ୍ତି । ମଞ୍ଜୁରଭଞ୍ଜରୁ ୭ଲକ୍ଷ ୮୭ ହଜାରରୁ ଅଧିକ ଶ୍ରମିକ ଥିବାବେଳେ କଟକରୁ ୭ଲକ୍ଷ ୫୦ହଜାରରୁ ଅଧିକ ଶ୍ରମିକ ରହିଛନ୍ତି । ମାଲକାନଗିରି ଜିଲ୍ଲାରୁ ସବୁଠାରୁ କମ୍ ଶ୍ରମିକ ନିଜକୁ ପଞ୍ଜିକୃତ କରାଇଛନ୍ତି । ଏମାନଙ୍କ ସଂଖ୍ୟା ୨ଲକ୍ଷରୁ କମ୍ ରହିଛି ।
ପଞ୍ଜିକୃତ ଶ୍ରମିକମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧ ସୁବିଧା ସୁଯୋଗ ଘୋଷଣା କରୁଛନ୍ତି । ଏଥିରେ ବୀମା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସୁରକ୍ଷା, ପିଲାଙ୍କ ପାଠପଢା ଓ ବାହାଘର ଆଦି ପାଇଁ ସହାୟତା, ଶ୍ରମିକମାନଙ୍କୁ ସାଇକେଲ ପ୍ରଦାନ ଆଦି ରହିଛି । ଏହିସବୁ ଯୋଜନା ପାଇଁ ସରକାରଙ୍କ ନିକଟରେ ଶ୍ରମିକମାନଙ୍କ ତଥ୍ୟ ରହିବା ନିହାତି ଆବଶ୍ୟକ । ତେଣୁ ସମସ୍ତ ଶ୍ରମିକ ଏଥିରେ ନିଜକୁ ପଞ୍ଜିକୃତ କରିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଛି ।
ସେହିଭଳି ଯେଉଁ ଶ୍ରମିକମାନେ ରାଜ୍ୟ ବାହାକୁ କାର୍ଯ୍ୟ ଅନ୍ୱେଷଣରେ ଯାଉଛନ୍ତି ସେମାନଙ୍କ ପାଇଁ ପଞ୍ଜିକରଣ ଏକ ପ୍ରକାର ବାଧ୍ୟତାମୂଳକ କରାଯାଇଛି । ତେବେ ଏ କ୍ଷେତ୍ରରେ ଯେତେ ସଂଖ୍ୟକ ଶ୍ରମିକ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନର କାମ କରୁଛନ୍ତି ସେମାନେ ସମସ୍ତେ ନିଜକୁ ପଞ୍ଜିକୃତ କରୁନାହାନ୍ତି ।
ବିଗତ ତିନି ବର୍ଷ ମଧ୍ୟରେ ରାଜ୍ୟ ବାହାରକୁ କାମ ପାଇଁ ଯାଇଥିବା ଯେତେ ସଂଖ୍ୟକ ଶ୍ରମିକ ନିଜର ତଥ୍ୟ ପ୍ରଦାନ କରିଛନ୍ତି ସେଥି ମଧ୍ୟରେ ସର୍ବାଧିକ ପଡୋଶୀ ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର ସମେତ ତାମିଲନାଡୁ ଆଦି ରାଜ୍ୟକୁ ଯାଇଥିବା ଲକ୍ଷ୍ୟ କରାଯାଇଛି । ଗୁଜୁରାଟରେ କାମ କରିବାକୁ ଓଡିଶାରୁ ହଜାର ହଜାର ଶ୍ରମିକ ଯାଉଥିବାବେଳେ ଗତ ତିନିବର୍ଷରେ କିନ୍ତୁ ଏମାନଙ୍କ ସଂଖ୍ୟା ୨ଶହରୁ କମ୍ ଦର୍ଶାଯାଇଛି । ତେବେ ଏହି ତାଲିକାରୁ ଜଣାଯାଇଛି ଯେ ଓଡିଶାର ଶ୍ରମିକମାନେ ଉତ୍ତରପୂର୍ବ ରାଜ୍ୟକୁ ଯିବାପାଇଁ ସେତେଟା ଆଗ୍ରହୀ ନୁହନ୍ତି । (ତଥ୍ୟ)

