Home Finance କେନ୍ଦ୍ରୀୟ ସହାୟତା ହ୍ରାସ ନେଇ ରାଜ୍ୟ ଚିନ୍ତିତ

କେନ୍ଦ୍ରୀୟ ସହାୟତା ହ୍ରାସ ନେଇ ରାଜ୍ୟ ଚିନ୍ତିତ

ଭୁବନେଶ୍ୱର : ଓଡିଶା ସମେତ ଦେଶର ରାଜ୍ୟମାନଙ୍କୁ କେନ୍ଦ୍ରରୁ ମିଳୁଥିବା ଅନୁଦାନ ହ୍ରାସ ପାଉଥିବା ଯୋଗୁଁ ଏହା ରାଜ୍ୟ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ପ୍ରତିବର୍ଷ ଏହା ବୃଦ୍ଧି ପାଇବା ପରିବର୍ତ୍ତେ କମି ଯାଉଥିବା ଯୋଗୁଁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା କାର୍ଯ୍ୟକାରୀ ହେବା କ୍ଷେତ୍ରରେ ଅନ୍ତରାୟ ଉପୁଜୁଛି ।

କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଟିକସ ବାବଦୀୟ ଦେୟ ଓ ଅନୁଦାନ ଯୋଗାଇଥାନ୍ତି । ରାଜ୍ୟ ସରକାର ପ୍ରତିବର୍ଷ ଏ ବାବଦରେ ଅଧିକରୁ ଅଧିକ ଅନୁଦାନ ମିଳିବ ବୋଲି ଆଶା କରି ବଜେଟ୍‍ ପ୍ରସ୍ତୁତ କରୁଥିବାବେଳେ ଏବେ ଲକ୍ଷ୍ୟ କରାଯାଉଛି ତାହା ବଢିବା ପରିବର୍ତ୍ତେ କମିବାରେ ଲାଗିଛି । ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଉପସ୍ଥାପନ କରୁଥିବା ଜଣାଯାଏ ।

୨୦୨୫-୨୬ ଆର୍ଥିକ ବର୍ଷରେ କେନ୍ଦ୍ରରୁ ଅନୁଦାନ ବାବଦରେ ୪୧,୫୯୧ କୋଟି ମିଳିଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୪୦,୦୪୦ କୋଟି ଟଙ୍କାକୁ ଖସିଆସିବ ବୋଲି ଆଶଙ୍କା କରାଯାଉଛି । ତେଣୁ ଅଭିବୃଦ୍ଧି ପରିବର୍ତ୍ତେ ଏହା ନିମ୍ନଗାମୀ ହେଉଥିବା ଯୋଗୁଁ ଆର୍ଥିକ ବିଶେଷଜ୍ଞମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ଚଳିତ ଆର୍ଥିକ ବର୍ଷରେ ଅନୁଦାନ ଓ କେନ୍ଦ୍ରୀୟ ଟିକସ ବାବଦରେ ରାଜ୍ୟ ସରକାର ୧,୦୭,୫୦୦ କୋଟି ଟଙ୍କା ପାଇବେ ବୋଲି ଆଶା ବାନ୍ଧିଥିବାବେଳେ ଗତ ୪ମାସ ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟର ୩୦ ପ୍ରତିଶତ କମ୍‍ ମିଳିଛି । ଏହା ଯୋଗୁଁ କେନ୍ଦ୍ରୀୟ ପ୍ରକଳ୍ପ କାର୍ଯ୍ୟାକାରୀ କରିବାପାଇଁ ରାଜ୍ୟ ସରକାରଙ୍କୁ ନିଜସ୍ୱ ଅର୍ଥ ବ୍ୟୟ କରିବାକୁ ପଡୁଛି ।

ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ନିଜସ୍ୱ ଆୟ ବୃଦ୍ଧି କରିବାପାଇଁ ଯୋଜନା କରୁଥିବା ଜଣାଯାଇଛି । ଗତ ଆର୍ଥିକ ବର୍ଷରେ ନିଜସ୍ୱ ରାଜସ୍ୱ ଆୟ ୧,୨୬,୦୦୦ କୋଟି ଟଙ୍କା ହେବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ତାହା ୧,୧୭,୦୭୫ କୋଟିକୁ ଖସି ଆସିଥିଲା ।

ତେବେ କେନ୍ଦ୍ରରୁ ଅନୁଦାନ କମିଯାଉଥିବା ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ନିଜସ୍ୱ ରାଜସ୍ୱ ୧,୪୧,୦୦୦ କୋଟି ଟଙ୍କାର ଲକ୍ଷ୍ୟଧାର୍ଯ୍ୟ କରାଯାଇ ନିଅଣ୍ଟିଆ ଅବସ୍ଥାକୁ ସୁଧାରିବାପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ତେବେ କେନ୍ଦ୍ରୀୟ ଅନୁଦାନ ଯେଉଁ ତୁଳନାରେ କମୁଛି ସେହି ପରିମାଣରେ ନିଜସ୍ୱ ରାଜସ୍ୱ ତାହାକୁ ମେଣ୍ଟାଇବାପାଇଁ ସକ୍ଷମ ହେବନାହିଁ । ସେଥିପାଇଁ ଆହୁରି ଅଧିକ ନିଜସ୍ୱ ରାଜସ୍ୱ ବୃଦ୍ଧିର ଆବଶ୍ୟକ ରହିଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରୁଛନ୍ତି ।

ଏଥିପାଇଁ ରାଜ୍ୟ ସରକାର ଜାତୀୟ ଓ ରାଜ୍ୟସ୍ତରୀୟ ଅର୍ଥନୈତିକ ବିଶାରଦମାନଙ୍କୁ ଆମନ୍ତ୍ରିତ କରି ନିଜସ୍ୱ ରାଜସ୍ୱ କିଭଳି ବୃଦ୍ଧି ହୋଇପାରିବ ସେଥିପାଇଁ ଉଦ୍ୟମ ଆରମ୍ଭ କରିଥିବା ଜଣାଯାଇଛି । ବିଶେଷଜ୍ଞମାନେ ଏଥିପାଇଁ ସୁବିସ୍ତୃତ ଆଲୋଚନା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହିତ କରୁଥିବା ଜଣାଯାଏ । ତେବେ ନୂତନ ଟିକସ ଲାଗୁ କଲେ ତାହା ଲୋକପ୍ରିୟ ସରକାର ପାଇଁ ପରିପନ୍ଥୀ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରୁଛନ୍ତି । (ତଥ୍ୟ)