Home General ୨୦୨୯ ସୁଦ୍ଧା ସହରରେ ସମସ୍ତଙ୍କୁ ମିଳିବ ଘର

୨୦୨୯ ସୁଦ୍ଧା ସହରରେ ସମସ୍ତଙ୍କୁ ମିଳିବ ଘର

ଭୁବନେଶ୍ୱର :  ଓଡ଼ିଶାର ସହରାଞ୍ଚଳରେ ସମସ୍ତଙ୍କୁ ପକ୍କାଘର ଯୋଗାଇଦେବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରାଜ୍ୟ କ୍ୟାବିନେଟ୍ “ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରୀ-୨ “ର ସଫଳ ରୂପାୟନ ପାଇଁ  ବନ୍ଧୁ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ଏହି ଯୋଜନା ରାଜ୍ୟ ସରକାରଙ୍କ “ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା” ଭିଜନ୍ ସହ ଜଡ଼ିତ, ଯାହାର ଲକ୍ଷ୍ୟ ହେଉଛି ସହରାଞ୍ଚଳରେ ପକ୍କାଘରର ପରିସରକୁ ୨୦୨୪ର ୫୯ ପ୍ରତିଶତରୁ ବୃଦ୍ଧି କରି ୨୦୨୯ ସୁଦ୍ଧା ୯୦ ପ୍ରତିଶତରେ ପହଞ୍ଚାଇବା ।

ଏହି ଯୋଜନା ମାଧ୍ୟମରେ ୨୦୨୫-୨୦୩୦ ଅବଧି ମଧ୍ୟରେ ରାଜ୍ୟର ସମସ୍ତ ୧୧୫ଟି ସହରାଞ୍ଚଳ  ଏବଂ ନୂତନ ଭାବେ ଗଠିତ ୨୮ଟି ସହରାଞ୍ଚଳ ସମେତ ଅତିରିକ୍ତ ୩.୦ ରୁ ୩.୫ ଲକ୍ଷ ପରିବାରକୁ ବାସଗୃହ ଯୋଗାଇ ଦିଆଯିବ । ସହରୀ ଓଡ଼ିଶାରେ ସମସ୍ତଙ୍କ ପାଇଁ ଘର ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ ସଂକଳ୍ପର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।

୨୦୨୯ ପର୍ଯ୍ୟନ୍ତ ଏହି ଯୋଜନାର ମୂଳଧନ ଏବଂ ରାଜସ୍ୱ  ଖର୍ଚ୍ଚ ଭରଣା ପାଇଁ କ୍ୟାବିନେଟ୍ ମୋଟ ‌ ୧,୬୧୫ କୋଟି ଟଙ୍କାର ବଜେଟ୍ ମଞ୍ଜୁର କରିଛନ୍ତି । ସହରୀ ନାଗରିକଙ୍କ ବିଭିନ୍ନ ଆବାସିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ଯୋଜନାକୁ ୪ଟି ପ୍ରମୁଖ ଆର୍ଥିକ ଭାଗରେ ବିଭକ୍ତ କରାଯାଇଛି:

 ୬୭୫ କୋଟି ଟଙ୍କା ବ୍ୟୟବରାଦ ସହ ଭାଗିଦାରୀରେ ସୁଲଭ ଆବାସ ,ସୁଲଭ ଭଡ଼ାଘର , ଏବଂ ଅସ୍ଥାୟୀ ରହିବା ଘର ପାଇଁ ‘ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ’ ଯୋଗାଇ ଦିଆଯିବ । ଏହାଦ୍ୱାରା ହାତପାହାନ୍ତାରେ ଛୋଟ ସହରଗୁଡ଼ିକରେ ଆବାସିକ ପ୍ରକଳ୍ପଗୁଡ଼ିକର ନିର୍ମାଣ ସହଜ ହେବ ।

 ହିତାଧିକାରୀଙ୍କୁ ସିଧାସଳଖ ଆର୍ଥିକ ସହାୟତା ପାଇଁ ୬୮୫ କୋଟି ଟଙ୍କା ରଖାଯାଇଛି । ଘର ନିର୍ମାଣ ସମୟରେ ହିତାଧିକାରୀଙ୍କ ନିଜସ୍ୱ ଶ୍ରମ ଦାନ କିମ୍ବା ଜୀବିକାରେ ହେଉଥିବା ଅସ୍ଥାୟୀ କ୍ଷତିର ଭରଣା ସହ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ପ୍ରୋତ୍ସାହିତ କରିବା ଏହାର ଉଦ୍ଦେଶ୍ୟ ।

ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ର ପରିବାରଗୁଡ଼ିକୁ ସୁଲଭ ସୁଧ ହାରରେ ଆନୁଷ୍ଠାନିକ ଋଣ ଯୋଗାଇଦେବା ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହାସହ ସବୁଠାରୁ ଗରିବ ପରିବାରଗୁଡ଼ିକୁ ସୁଧ ରିହାତି ଦିଆଯିବ, ଯାହା ନିଜର ଘରଟିଏ କରିବାର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିବ ।

 ସହରୀ ପୁନର୍ବିକାଶ, କ୍ଲଷ୍ଟର ହାଉସିଂ ଏବଂ ବସ୍ତି ପୁନରୁଦ୍ଧାର ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ପରିବାରଗୁଡ଼ିକୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦେବା ପାଇଁ ୧୨୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ଏହି ଯୋଜନାରେ ପରିବେଶ ଅନୁକୂଳ ଏବଂ ସମାବେଶୀ ସହରୀ ବିକାଶ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ପ୍ରକଳ୍ପଗୁଡ଼ିକରେ ଛାତ ଉପରେ ସୌର ଶକ୍ତି ପ୍ରକଳ୍ପ , ବର୍ଷା ଜଳ ଅମଳ ପ୍ରକଳ୍ପ ଏବଂ ଖୋଲା ସ୍ଥାନର ସୁବିଧା ରହିବ । ଏହାସହ ଏହି ଆବାସିକ ପରିସରଗୁଡ଼ିକରେ ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶିଶୁମାନଙ୍କ ପାଇଁ ଖେଳପଡ଼ିଆ ଏବଂ ସାଧାରଣ ବଣ୍ଟନ କେନ୍ଦ୍ର ଭଳି ଆବଶ୍ୟକ ସୁବିଧାସୁଯୋଗ ଉପଲବ୍ଧ କରାଯିବ ।ହିତାଧିକାରୀ ଚୟନ ପ୍ରକ୍ରିୟାରେ ସମାଜର ଅବହେଳିତ ବର୍ଗ ଏବଂ ଭିନ୍ନକ୍ଷମ ପରିବାରଗୁଡ଼ିକୁ ପ୍ରାଥମିକତା ଦିଆଯିବ ।