Home Forest ଗ୍ରିନ୍‍ କରିଡର ସୃଷ୍ଟି ପାଇଁ ୪୧୬ କୋଟି ବ୍ୟୟ

ଗ୍ରିନ୍‍ କରିଡର ସୃଷ୍ଟି ପାଇଁ ୪୧୬ କୋଟି ବ୍ୟୟ

ଭୁବନେଶ୍ୱର : ରାଜ୍ୟରେ ଗ୍ରିନ କରିଡର ସୃଷ୍ଟି ପାଇଁ ଦୁଇଟି ଆର୍ଥିକ ବର୍ଷରେ ୪୧୬ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚହୋଇ ସାରିଲାଣି । ଏହା ଜରିଆରେ ଜୈବ ବିବିଧତା ବୃଦ୍ଧି, ବାୟୁ ଚଳାଚଳ ବୃଦ୍ଧି, ଶବ୍ଦ ପ୍ରଦୂଷଣକୁ ରୋକିବା ସହିତ ତାପମାତ୍ରା ହ୍ରାସ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଗ୍ରିନ୍‍ କରିଡର ସୃଷ୍ଟି ପାଇଁ ଜଙ୍ଗଲ ବିଭାଗ ଦ୍ୱାରା ବିଭିନ୍ନ ଯୋଜନା ଯଥା ବର୍ଦ୍ଧିତ ସବୁଜ ବଳୟ, ସବୁଜ ମହାନଦୀ ମିଶନ, ଆମ ଜଙ୍ଗଲ ଯୋଜନା, କାମ୍ପା ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ସବୁଜ ଭାରତ ମିଶନ, ଜାତୀୟ ବାଉଁଶ ମିଶନ, ପୂର୍ବରୁ କାର୍ଯ୍ୟକାରୀ ହେଉଥିବା ମନେରଗା ଯୋଜନା, ସାମାଜିକ ଦାୟିତ୍ୱ ବୋଧ (ସିଏସଆର) ଯୋଜନା ଆଦି ସମେତ ଉପକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ଜଳବାୟୁ ସହନଶୀଳ ଅଭିବୃଦ୍ଧି ଯୋଜନା ଆଦି କାର୍ଯ୍ୟକାରୀ କରାଯାଉଛି ।

ଏହି ଯୋଜନାରେ ହେନ୍ତାଳ ବନ ସମେତ ବିଭିନ୍ନ ସହରାଞ୍ଚଳ ଓ ଜଙ୍ଗଲ ଡିଭିଜନରେ ପର୍ଯ୍ୟାପ୍ତ ବୃକ୍ଷ ରୋପଣ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ୨୦୨୪-୨୫ ଓ ୨୦୨୫-୨୬ ବର୍ଷରେ ୪୧୬ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଛି । ଏହି ଅର୍ଥରେ ରାଜ୍ୟର ପ୍ରାୟ ସମସ୍ତ ବନଖଣ୍ଡରେ ସରକାର ବୃକ୍ଷରୋପଣ କରିଛନ୍ତି ।

୨୦୨୫-୨୬ ଆର୍ଥିକବର୍ଷରେ ସବୁଜ ବଳୟ, ସବୁଜ ମହାନଦୀ ମିଶନ, କାମ୍ପା ଓ ମନେରଗା ଯୋଜନାରେ ପ୍ରାୟ ସାଢେ ତିନି କୋଟି ଟଙ୍କା ଖର୍ଚ୍ଚ ପାଇଁ ମିଳିଥିବାବେଳେ ସେଥିରୁ ହାରାହାରି ସମସ୍ତ ଟଙ୍କା ଖର୍ଚ୍ଚ ହୋଇସାରିଛି । ସହରାଞ୍ଚଳରେ ୫୦୦୦ ବନୀକରଣ ହୋଇଥିବାବେଳେ କେତେକ ସ୍ଥାନରେ ପଥପାଶ୍ୱର୍ ବନୀକରଣ କର।।ଯାଇ ପାରିଛି ।

୨୦୨୫-୨୬ ବର୍ଷରେ ୭୧୩୭ ହେକ୍ଟର ଜମିରେ ବୃକ୍ଷରୋପଣ ହୋଇଥିବାବେଳେ ଉଭୟ ଆର୍ଥିକ ବର୍ଷରେ ୧୧ ହଜାରରୁ ଅଧିକ ହେକ୍ଟର ଜମିରେ ବୃକ୍ଷରୋପଣ ହୋଇଛି । ଏହି ସମୟ ମଧ୍ୟରେ ୫କୋଟିରୁ ଅଧିକ ଚାରା ବଣ୍ଟନ ହୋଇଛି । ଏହି ସମସ୍ତ କାର୍ଯ୍ୟକ୍ରମ ପାଇଁ ୪୧୬ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ ହୋଇଥିବା କୁହାଯାଇଛି ।

ତେବେ ପରିବେଶବିତ୍‍ମାନଙ୍କ ମତରେ ଏତେ ପରିମାଣରେ ବୃକ୍ଷରୋପଣ ସତ୍ୱେ ରାଜ୍ୟର ସହରାଞ୍ଚଳରେ ସବୁଳ ବଳୟ ହ୍ରାସ ପାଇବାରେ ଲାଗିଛି । ଏପରିକି ସହରତଳି ଅଞ୍ଚଳରେ ମଧ୍ୟ ଧିରେ ଧିରେ ସବୁଜ ବଳୟ ହ୍ରାସ ପାଇବାରେ ଲାଗିଛି । ଗାଁ ଠାରୁ ସହର ପର୍ଯ୍ୟନ୍ତ ଗଛ କଟା ଜାରି ରହିଥିବାରୁ ଏହାର ପ୍ରଭାବରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଅନିୟନ୍ତ୍ରିତ ବୃଷ୍ଟିପାତ ମଧ୍ୟ ଏହାର ଅନ୍ୟତମ କାରଣ । ଏହାଛଡା ସବୁଜ ବଳ ହ୍ରାସ ଫଳରେ ଜଙ୍ଗଲୀ ପଶୁ ଯେଭଳି ହାତୀ, ବାରହା, ଚିତାଆଦି ଅନେକ ସମୟରେ ଜନବସତିକୁ ଆସି ବ୍ୟାପକ କ୍ଷୟକ୍ଷତି ଘଟାଇବାରେ ଲାଗିଛି । ଏହି ସବୁଜ ବଳୟ ହ୍ରାସର ଅନ୍ୟତମ କାରଣ ଶିଳ୍ପ ପ୍ରତିଷ୍ଠା ହୋଇଥିବାବେଳେ କ୍ଷତିପୂରକ ବନୀକରଣ ମାଧ୍ୟରେ ସବୁଜ ବଳୟର ଭରଣା ହେଉଥିବା ନେଇ ଯାହା ଦର୍ଶାଯାଉଛି ତାହାକୁ ପରିବେଶବିତ୍‍ମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । (ତଥ୍ୟ)