Home General ତଦନ୍ତ କମିଶନ ସୁପାରିଶ୍‍ ମୂଲ୍ୟହୀନ

ତଦନ୍ତ କମିଶନ ସୁପାରିଶ୍‍ ମୂଲ୍ୟହୀନ

ଭୁବନେଶ୍ୱର : ରାଜ୍ୟ ସରକାର ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ବସାଉଥିବା ବିଭିନ୍ନ ତଦନ୍ତ କମିଶନ ଓ ତଦନ୍ତ କମିଟିଙ୍କ ରିପୋର୍ଟରୁ ଅଧିକାଂଶ ତୁରନ୍ତ ବିଧାନସଭାରେ ଉପସ୍ଥାପନ କରୁନଥିବାରୁ ଏହାର ସୁପାରିଶ୍‍ ସବୁ ବସ୍ତୁତଃ ମୂଲ୍ୟହନ ହୋଇପଡୁଛି ବୋଲି ବିଧି ବିଶେଷଜ୍ଞମାନେ କହୁଛନ୍ତି ।

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ନିର୍ମମ ହତ୍ୟା ଏବଂ ଏହା ପରେ ପରେ ହୋଇଥିବା ହିଂସାକାଣ୍ଡ ପରିପ୍ରେକ୍ଷୀରେ ବସାଯାଇଥିବା ଜଷ୍ଟିସ ନାଇଡୁ କମିଶନଙ୍କ ରିପୋର୍ଟ ସହିତ ଅନ୍ୟ ଏକ ଅଗ୍ନି ଦୁର୍ଘଟଣା ସଂକ୍ରାନ୍ତରେ କେନ୍ଦ୍ରାଞ୍ଚଳ ଆରଡିସି ଦାଖଲ କରିଥିବା ରିପୋର୍ଟ ହଜିଯିବା ଘେନି ଏବେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛନ୍ତି । ଏଥିଘେନି ରାଜନୀତି ବି ଜୋରଧରିଛି ।

ଅତୀତରେ ଶ୍ରୀମନ୍ଦିରରେ ଦଳାଚକଟାରେ ବହୁ ଭକ୍ତ ମୃତାହତ ହେବା ଘଟଣାର ତଦନ୍ତ ଲାଗି ଜଷ୍ଟିସ ଜୀବନ ମୋହନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜଣିକିଆ ତଦନ୍ତ କମିଶନ ବସିଥିଲା । ଏହି କମିଶନ ତାଙ୍କ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ତାହା ବିଧାନସଭାରେ ଉପସ୍ଥାପିତ ହେଲନାହିଁ କିମ୍ବା ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଗଲା ନାହିଁ । ଏହି ରିପୋର୍ଟରେ କ’ଣ ଅଛି ତାହା ଏଯାବତ୍‍ ପ୍ରକାଶ ପାଇଲା ନାହିଁ । ଅଥଚ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିରରେ ଘଟିଥିବା ଅନ୍ୟଏକ ଦଳାଚକଟା ଦୁର୍ଘଟଣା ସମ୍ପର୍କରେ ଜଷ୍ଟିସ ପି କେ ମହାନ୍ତି କମିଶନ ତଦନ୍ତ କରିବାବେଳେ କଥା ଉଠିଲା ଯେ ପୂର୍ବରୁ ଅନୁରୂପ ଘଟଣାରେ ଜଷ୍ଟିସ ମହାପାତ୍ର କମିଶନ ଦେଇଥିବା ରିପୋର୍ଟ ପ୍ରସଙ୍ଗରେ । ଏହି ରିପୋର୍ଟ ନମିଳିବାରୁ ଜଷ୍ଟିସ ମହାନ୍ତି କମିଶନଙ୍କୁ ହଜିଥିବା ରିପୋର୍ଟ ସଂକ୍ରାନ୍ତରେ ତଦନ୍ତ ପାଇଁ ମଧ୍ୟ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା ।

ଜଷ୍ଟିସ ମହାନ୍ତି କମିଶନ ଦାଖଲ କରିଥିବା ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ ଜଷ୍ଟିସ ମହାପାତ୍ର କମିଶନ ତାଙ୍କ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଘେନି ଗଣମାଧ୍ୟମରେ ଫଟୋଚିତ୍ର ସହ ସମ୍ବାଦ ପ୍ରକାଶ ପାଇଥିଲା । ତେବେ ସରକାରୀ ରୀତିନୀତି ଅନୁଯାୟୀ କମିଶନ ତାଙ୍କ ରିପୋର୍ଟ ମୁଖ୍ୟମନ୍ତ୍ରୀ ବା ମନ୍ତ୍ରୀଙ୍କୁ ନଦେଇ ବିଭାଗୀୟ ଶାସନ ସଚିବଙ୍କୁ ପ୍ରଦାନ କରିବା ଆବଶ୍ୟକ ।

ଇତି ମଧ୍ୟରେ ରାଜ୍ୟ ସରକାର ଆଞ୍ଚଳିକ ବୈଷମ୍ୟ ତଦନ୍ତ କମିଶନ ଓ କୃଷକ କମିଶନ ବସାଇଥିଲେ । ଏହି ଦୁଇଟି କମିଶନଙ୍କ ରିପୋର୍ଟ ଏଯାବତ୍‍ ସାର୍ବଜନୀନ ହେବା ତ ଦୂରରକଥା ବିଧାନସଭାରେ ମଧ୍ୟ ଉପସ୍ଥାପିତ ହୋଇନାହିଁ । ସେହିପରି ଶ୍ରୀମନ୍ଦିର ସଂସ୍କାର କମିଶନ ଓ ଚିଟ୍‍ଫଣ୍ଡ ତଦନ୍ତ କମିଶନଙ୍କ ଅବସ୍ଥା । ଏହି ଦୁଇଟି କମିଶନ ଚୂଡାନ୍ତ ରିପୋର୍ଟ ଦେବା ପୂର୍ବରୁ ସରକାର ବନ୍ଦ କରିଦେଇଥିଲେ । ତେବେ ଏହି ଦୁଇ କମିଶନ କେତେଗୁଡିଏ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ । ଏହି ଅନ୍ତରୀଣ ରିପୋର୍ଟ ସର୍ବସାଧାରଣ ଜାଣିବା ତ ଦୂରରକଥା, ଏଗୁଡିକ ଏଯାବତ୍‍ ବିଧାନସଭାରେ ମଧ୍ୟ ଉପସ୍ଥାପିତ ହୋଇନାହିଁ ।

ସେହିଭଳି ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଚାବି ହଜିବା ଘେନି ଜଷ୍ଟିସ ବିଶ୍ୱାଳ କମିଶନ ବସିଥିଲା । ଏହି କମିଶନ ମଧ୍ୟ ରାଜ୍ୟ ସରକାରଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି । କିନ୍ତୁ ଦୀର୍ଘବର୍ଷ ବିତି ଯାଇଥିଲେ ମଧ୍ୟ ଏହି ରିପୋର୍ଟ ବିଧାନସଭାରେ ଏଯାବତ୍‍ ଉପସ୍ଥାପିତ ହୋଇନାହିଁ । ଏମିତିକି ଏ ସଂକ୍ରାନ୍ତରେ ରୁଜୁ ଏକ ମାମଲାରେ ଓଡିଶା ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ବି ରିପୋର୍ଟ ଏଯାବତ୍‍ ଉପସ୍ଥାପିତ ହୋଇନାହିଁ ।

ଗୁମୁଡୁମାହରେ ସଶସ୍ତ୍ର ବାହିନୀର ଗୁଳିମାଡରେ ଜଣେ ଶିଶୁ ସହିତ ଛଅ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହି ଘଟଣାର ତଦନ୍ତ ରିପୋର୍ଟ ବି ଏଯାବତ୍‍ ସାର୍ବଜନିନ ହୋଇନାହିଁ । ସେହିପରି କଳିଙ୍ଗନଗର ଗୁଳିକାଣ୍ଡରେ ଅନ୍ୟୁନ ୧୩ଜଣଙ୍କ ମୃତ୍ୟୁ ଘଟିଥିଲା । ସେତେବେଳେ ବି ତଦନ୍ତ କମିଶନ ବସାଯାଇଥିଲା ଓ କମିଶନ ମଧ୍ୟ ରିପୋର୍ଟ ଦେଇଥିଲେ । କିନ୍ତୁ ଏହା ଏଯାବତ୍‍ ସାର୍ବଜନିନ ହୋଇନାହିଁ । ଏଠାରେ ଉଲ୍ଲେଖନୀୟ ଯେ କମିଶନ ଅଫ୍‍ ଇନକ୍ୱାରୀ ଆକ୍ଟ ଆଧାରରେ ଯେତେସବୁ କମିଶନ ବସାଯାଏ ତାହାର ଆକ୍ସନ ଟେକେନ ରିପୋର୍ଟ ସହିତ କମିଶନଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବାପାଇଁ ଆଇନ୍‍ଗତ ବ୍ୟବସ୍ଥା ରହିଛି । ସେହିପରି ବିଭିନ୍ନ ଘଟଣାରେ କରାଯାଉଥିବା ପ୍ରଶାସନିକ ତଦନ୍ତ ରିପୋଟଁ ମଧ୍ୟ ଦାଖଲ ହେବାକଥା । ଏହି ତଦନ୍ତ କମିଶନ ଓ କମିଟିଗୁଡିକ ପାଇଁ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ ହେଉଥିବାବେଳେ ତାହା ଏକ ପ୍ରକାର ପାଣିରେ ପଡୁଛି । (ତଥ୍ୟ)