ଭୁବନେଶ୍ୱର : ବିଜେବି କଲେଜରେ ଅଧ୍ୟକ୍ଷ ନିଯୁକ୍ତିକୁ ନେଇ ଚାଲିଥିବା ଟଣାଓଟରା ଭିତରେ ଏବେ କର୍ମଚାରୀମାନେ ଏକ ପ୍ରକାର ଫସିଯାଇଛନ୍ତି । ଚଳିତ ମାସର ଦରମା ପାଇବାର ସମ୍ଭାବନା ନଥଥିବାବେଳେ ଆସନ୍ତା ମାସରେ ଦରମା ପାଇବେ କି ନାହିଁ ତାହାକୁ ନେଇ ଚିନ୍ତାରେ ଅଛନ୍ତି ।
ଜୁନ୍ ୩୦ ତାରିଖରେ କଲେଜ ଅଧ୍ୟକ୍ଷା ଅବସର ନେବାକୁ ଯିବା ପୂର୍ବରୁ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବାକୁ ସେ ତିନିଜଣଙ୍କ ନାମ ସୁପାରିଶ୍ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନିଚ୍ଛା ପ୍ରକାଶ କରିଥିବାବେଳେ ଆଉ ଜଣଙ୍କୁ ଅଧ୍ୟକ୍ଷା କରିବାକୁ ସରକାର ଚାହିଁଲେ ନାହିଁ । ତୃତୀୟଜଣଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦେବାକୁ ସ୍ଥିର କରିବାପରେ ବରିଷ୍ଠତା ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ଅଧ୍ୟାପିକା ଜଣଙ୍କ ଅଦାଲତର ଦ୍ୱାରସ୍ଥ ହୋଇଥିଲେ ଓ ଅଦାଲତ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି ।
ତେବେ ଏହାରି ଭିତରେ କିନ୍ତୁ କର୍ମଚାରୀମାନଙ୍କର ଜୁନ୍ ମାସର ଦରମା ବିଲ୍ ପ୍ରସ୍ତୁତ ହୋଇପାରି ନାହିଁ । ବର୍ତ୍ତମାନ ସୁଦ୍ଧା ଡିଡିଓ ଦାୟିତ୍ୱ କାହାରିକୁ ଦିଆଯାଇ ନାହିଁ । ଏଥିଯୋଗୁଁ କଲେଜର ପ୍ରାୟ ଦେଢ ଶହ ଜଣ ଶିକ୍ଷକ ଓ ଅଣଶିକ୍ଷକ ଜୁନ୍ ମାସର ଦରମା ପାଇବାର ସମ୍ଭାବନା ନାହିଁ । କାରଣ ଦରମା ବିଲ୍ ପ୍ରସ୍ତୁତ ପାଇଁ ପ୍ରାୟ ଏକ ସପ୍ତାହ ଲାଗି ଯାଉଥିବାବେଳେ ଜୁଲାଇ ସରିବାକୁ ବସିଛି । ଯଦିଓ ଖୁବଶୀଘ୍ର କଲେଜ ଅଧ୍ୟକ୍ଷାଙ୍କୁ ଡିଡିଓ ଦାୟିତ୍ୱ ନେଇ ସରକାର ସ୍ପଷ୍ଟ ନକରନ୍ତି ତେବେ ଅଗଷ୍ଟ ମାସର ଦରମା ମିଳିବାର ବି ସମ୍ଭାବନା ନାହିଁ ।
ବର୍ତ୍ତମାନ ନାମଲେଖା ଋତୁ ଚାଲିଥିବାବେଳେ ଅନେକ ଅଧ୍ୟାପକ ଓ କର୍ମଚାରୀ ନିଜ ନିଜ ପିଲାଙ୍କର ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଅର୍ଥ ଆବଶ୍ୟକ କରୁଛନ୍ତି । ଏହାଛଡା ଅନ୍ୟାନ୍ୟ ଆବଶ୍ୟକତା ମଧ୍ୟ ରହିଛି । ଏଥିଯୋଗୁଁ କିଏ ଦରମା ଟଙ୍କାକୁ ଚାହିଁ ବସିଛି ତ ଆଉ କିଏ ଜିପିଏଫ୍ ଟଙ୍କା ଉଠାଇବାକୁ ଚାହୁଁଛି । ହେଲେ ଡିଡିଓ ଦାୟିତ୍ୱରେ କେହି ନଥିବାକୁ କର୍ମଚାରୀମାନେ ନିଜ ନିଜ ଟଙ୍କା ଉଠାଇବା ସହଜ ହୋଇପାରୁ ନାହିଁ ।
ରାଜ୍ୟର ଏହି ଅଗ୍ରଣୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦାୟିତ୍ୱ ନେବାକୁ ବରିଷ୍ଠ ଅଧ୍ୟାପିକାମାନେ ଅନିଚ୍ଛା ପ୍ରକାଶ କରିବା ମଧ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଗୋଟିଏ ପଟେ ସରକାର ନିୟମିତ ଅଧ୍ୟକ୍ଷ ନିଯୁକ୍ତ କରୁନଥିବାବେଳେ ଅନ୍ୟପଟେ ଅସ୍ଥାୟୀ ଅଧ୍ୟକ୍ଷ ହେବାକୁ କୋର୍ଟ କଚେରୀରେ ମାମଲା ରୁଜୁ ହେବା ଏବେ ଉଭୟ ସରକାର ଓ କଲେଜ କର୍ତ୍ତୃପକ୍ଷଙ୍କୁ ଅକଳରେ ପକାଇଛି । କଲେଜରେ ଏବେ ନାମଲେଖା କାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ଅଧ୍ୟକ୍ଷ ପଦକୁ ନେଇ ଏଭଳି ବିବାଦକୁ ଶିକ୍ଷାବିତ୍ମାନେ ନାପସନ୍ଦ କରୁଛନ୍ତି । (ତଥ୍ୟ)

