Home News in Odia ପଦ୍ମ ଧରିଲେ ପ୍ରଭାତ

ପଦ୍ମ ଧରିଲେ ପ୍ରଭାତ

ଭୁବନେଶ୍ୱର : ଦୀର୍ଘ ଦିନର କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଶେଷରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ପଦ୍ମ ଟୋପି ପିନ୍ଧିଛନ୍ତି। ବିଜେପିରେ ମିଶିବା ପରେ ପ୍ରଭାତ ବିଶ୍ୱାଳ ନିଜ ପୂର୍ବତନ ଦଳ ବିଜେଡି ଉପରେ ପ୍ରବଳ ବର୍ଷିବା ସହ ଓଡ଼ିଶା ରାଜନୀତିକୁ ଗରମ କରିଦେଲା ଭଳି ବୟାନ ଦେଇଛନ୍ତି।

ସେ କହିଛନ୍ତି ଯେ, ୨୪ ବର୍ଷ ବହୁ ପରିଶ୍ରମ କରିଛି, ଦଳ ପାଇଁ ନିଷ୍ଠା ଦେଖାଇଛି ଏବଂ ୩୦ ବର୍ଷ ହେଲା ଜନ ସେବା କରିଆସୁଛି। ମୁଁ ଭାବିଥିଲି ସୁନାକୁ ଚିହ୍ନିବେ କିନ୍ତୁ ମୋ ଆକଳନ ଭୁଲ ହେଲା। ବଣିଆ ହୋଇ ସୁନା ଚିହିଁଲେ ନାହିଁ ବିଜେଡି। ବିଳମ୍ବ ହେଉ ପଛେ ବିଜେପି ସୁନାକୁ ଚିହ୍ନିଲା। ବିଜେପିରେ ମିଶିବା ପରେ ଏପରି କହି ବିଜେଡିକୁ ତେରଛା ବାଣ ମାରିଛନ୍ତି ପ୍ରଭାତ।

ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ ଚେତାବନୀ ଦେଇ ପ୍ରଭାତ କହିଛନ୍ତି ଯେ, ସେ ଦୀର୍ଘ ବର୍ଷ ଧରି ସଂଗଠନର ପଛପଟେ ରହି କାମ କରିଛନ୍ତି। ୧୨ ବର୍ଷ ଜଣଙ୍କ ଦାୟିତ୍ୱରେ ପ୍ରଚ୍ଛଦପଟରେ ରହିଥିବା ବେଳେ ବାକି ୧୨ ବର୍ଷ ଆଉ ଜଣଙ୍କ ନେତୃତ୍ୱରେ ଦଳକୁ ମଜବୁତ କରିଥିଲେ। ସେତେବେଳେ ସମସ୍ତେ ତାଙ୍କ ଠାରୁ ସହଯୋଗ ନେଉଥିଲେ। “ଆଜି ମୁଁ ଏହି ବିଶାଳ ସଂଗଠନର ଜଣେ ସାଧାରଣ କର୍ମୀ ହୋଇପାରେ, କିନ୍ତୁ ବିଜେଡିର ଅନେକ ବଡ଼ ବଡ଼ ନେତାଙ୍କ ଜାତକ ମୋ ପାଖରେ ସୁରକ୍ଷିତ ଅଛି” ବୋଲି ପ୍ରଭାତ ଖୋଲାଖୋଲି କହିଛନ୍ତି।

ଆଜିର ମିଶ୍ରଣ ପର୍ବକୁ ଭଣ୍ଡୁର କରିବା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିଥିବା ନେଇ ପ୍ରଭାତ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, କଟକର କିଛି ନେତା ବିଗତ ୭ ଦିନ ହେଲା ଡେରା ପକାଇ ରହିଛନ୍ତି। ତାଙ୍କ ସହ ବିଜେପିକୁ ଆସୁଥିବା କର୍ପୋରେଟରମାନଙ୍କୁ ଜୋର ଜବରଦସ୍ତ ଅଟକାଇ ରଖାଯାଇଛି। ତେବେ ଏହା ସତ୍ତ୍ୱେ ମଧ୍ୟ ଶେଷରେ ସତ୍ୟର ହିଁ ଜୟ ହୋଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଚାରଧାରାକୁ ଆଦର୍ଶ ବୋଲି ମାନି ପ୍ରଭାତ କହିଛନ୍ତି, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ହିଁ ଏହାର ସବୁଠାରୁ ବଡ଼ ଉଦାହରଣ। ସେ କୌଣସି ପଦପଦବୀ ଆଶାରେ ନୁହେଁ, ବରଂ ଜଣେ ସାଧାରଣ ସୈନିକ ବା ଗୁଣ୍ଡୁଚି ମୂଷା ଭଳି ନିଷ୍ଠାର ସହ ବିଜେପି ସଂଗଠନ ପାଇଁ କାମ କରିବେ ବୋଲି କହିଛନ୍ତି।