Home Culture ସୁସ୍ଥ ହେଲେ ଶ୍ରୀଜିଉ

ସୁସ୍ଥ ହେଲେ ଶ୍ରୀଜିଉ

ପୁରୀ : ଲକ୍ଷଲକ୍ଷ ଭକ୍ତଙ୍କ ପାଇଁ ଆଶ୍ବସ୍ତିକର ଖବର। ଅଣସର ଘରେ ଦୀର୍ଘ ଦିନର ଗୁପ୍ତ ଉପଚାର ପରେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାବାହୁ। ବୈଦ୍ୟଙ୍କ ପରାମର୍ଶକ୍ରମେ ମହାପ୍ରଭୁଙ୍କୁ ବିଶେଷ ‘ଦଶମୂଳ ଓଷୁଅ’ ଲାଗି ହେବା ପରେ ଶ୍ରୀଜିଉମାନେ ଆରୋଗ୍ୟ ଲାଭ କରିଛନ୍ତି। ମହାପ୍ରଭୁଙ୍କ ସୁସ୍ଥତାର ଶୁଭ ଖବର ଗଜପତି ମହାରାଜାଙ୍କ ପାଖରେ ପହଞ୍ଚିବା ପରେ ସରିଛି ରାଜପ୍ରସାଦ ବିଜେ। ସେପଟେ ରଥଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। 

ଆଉ ଦିନକ ପରେ ନବଯୌବନ ଦର୍ଶନ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସଜେଇ ହେଲାଣି ପୁରୀ ସହର। ଅନବସର ସମୟରେ ଶ୍ରୀଅଂଗରୁ ବାହାରିଥିବା ପ୍ରସାଦ ଚନ୍ଦନ, କରାଳ ଓ ପାଟଡୋରିକୁ ଧରି ଦଇତାପତିମାନେ ଶ୍ରୀନଅର ବିଜେ କରିଛନ୍ତି। ଗଜପତି ମହାରାଜାଙ୍କୁ ଦିଆଯାଇଛି ମହାପ୍ରଭୁଙ୍କ ସୁସ୍ଥ ହେବା ଖବର। ରାଜପ୍ରସାଦ ବିଜେ ନୀତି ସମ୍ପନ୍ନ ପରେ ଦଇତାପତି ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଗଜପତି ମହାରାଜା। ରଥଯାତ୍ରା କିଭଳି ଶାନ୍ତିଶୃଂଖଳାର ସହ ହେବ ସେ ନେଇ ଆଲୋଚନା କରିଛନ୍ତି। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁପାଳନ କରିବା ପାଇଁ ଗଜପତି ପରାମର୍ଶ ଦେଇଛନ୍ତି। 

ମହାପ୍ରଭୁଙ୍କ ସୁସ୍ଥତା ଖବର ପରେ ଏବେ ଶ୍ରୀକ୍ଷେତ୍ର ପୁରୀ ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଉଠିଛି। ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ତିନି ରଥର ‘ପ୍ରଭା’ ଏବଂ ‘ସିଂହାସନ’ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଆସନ୍ତା ଦୁଇ ଦିନ ମଧ୍ୟରେ ତିନି ରଥର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଶେଷ ହେବ। ୧୪ ତାରିଖରେ ନବଯୌବନ ଦର୍ଶନ। ତେବେ ସୀମିତ ତଥା କମ୍ ସମୟ ପାଇଁ ଭକ୍ତମାନେ ନବଯୌବନ ଦର୍ଶନ କରିବେ। ମହାପ୍ରଭୁଙ୍କ ନୀତି ବହୁଳତା ପାଇଁ କମ୍ ସମୟ ଦର୍ଶନ ବ୍ୟବସ୍ଥା ରହିବ। ନେତ୍ରୋତ୍ସବ ପରଦିନ ଉଭା ଅମାବାସ୍ୟାରେ ମହାପ୍ରଭୁଙ୍କର ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ।