ଭୁବନେଶ୍ୱର : ରାଜ୍ୟରେ ସଡକ ଦୁର୍ଘଟଣା ଓ ତଦ୍ଜନିତ କ୍ଷୟକ୍ଷତିପାଇଁ ଯେତେଗୁଡିଏ କାରଣ ରହିଛି ତାହା ମଧ୍ୟରେ ଅନ୍ୟତମ ପ୍ରମୁଖ କାରଣ ହେଉଛି ମଦ୍ୟପାନ କରି ଗାଡି ଚଳାଇବା । ଖୋଦ୍ ପରିବହନ ବିଭାଗ ମଧ୍ୟ ଏହାକୁ ସ୍ୱୀକାର କରୁଛି । ତେଣୁ ପରିବହନ ବିଭାଗ ସହିତ ସମନ୍ୱୟ ରକ୍ଷାକରି ଏହି ମଦ୍ୟପ ଗାଡିଚାଳକମାନଙ୍କୁ କିଭଳି ରୋକାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି ।
ବିଶେଷଜ୍ଞଙ୍କ ମତ ଅନୁଯାୟୀ ରାଜ୍ୟରେ ଅଧିକାଂଶ ମଦ ଦୋକାନ ରାସ୍ତା ପାଶ୍ୱର୍ରେ ହିଁ । ସଡକ ଠାରୁ ୫୦୦ ମିଟର ଦୂରରେ ମଦ ଦୋକାନ ପାଇଁ ଯେଉଁ ନିୟମ ରହିଛି ତାହା କେବଳ ଧର୍ମକୁ ଆଖିଠାର ମାରିବା ଭଳି । ଏହାଛଡା ରାସ୍ତାକଡର ଢାବା ଓ ଅନ୍ୟାନ୍ୟ ଦୋକାନରେ ମଧ୍ୟ ସହଜରେ ମଦ ଉପଲବ୍ଧ ହେଉଛି । ଯେଉଁଠାରେ ନିୟମକୁ ନେଇ ମଦ ଦୋକାନୀମାନେ ଅକଳରେ ପଡୁଛନ୍ତି ସେଠାରେ ସଡକର କିସମ ପରିବର୍ତ୍ତନ କରାଯିବା ଭଳି ନଜିର ମଧ୍ୟ ରହିଛି ।
ସହଜରେ ଓ ହାତ ପାଆନ୍ତାରେ ମଦ ମିଳିଯାଉଥିବାରୁ ଗାଡିଚାଳକମାନେ ମଦ ପିଇ ଗାଡି ଚଳାଉଛନ୍ତି । ରାସ୍ତାକଡରେ ଗାଡି ରଖି ମଦ ଦୋକାନକୁ ଯାଇ ମଦ ଆଣିବା କିମ୍ବା ରାସ୍ତାକଡ ହୋଟେଲ/ଢାବା ଆଦିରେ ବସି ମଦ ପିଇବା ସାଧାରଣ କଥା ହୋଇଯାଇଛି ।
ଗୋଟିଏ ପଟେ ମଦ ଦୋକାନୀମାନେ ସରକାରଙ୍କ ଠାରୁ ଲାଇସେନ୍ସ ନେଇ ମଦ ଦୋକାନ କରିଥିବାବେଳେ ସେମାନେ ଟିକସ ପଇଠ ପାଇଁ ନିଜର ବ୍ୟବସାୟ ବଢାଇବାକୁ ଚାହୁଁଛନ୍ତି । ଅନ୍ୟ ପକ୍ଷରେ ମଦ୍ୟପ ଗାଡି ଚାଳକଙ୍କୁ ନିୟନ୍ତ୍ରଣ କରିବାପାଇଁ ପରିବହନ କିମ୍ବା ପୁଲିସ୍ ନିକଟରେ ଆବଶ୍ୟକ ସଂଖ୍ୟକ ମାନବ ସମ୍ବଳ ନାହିଁ । ଯେତେବେଳେ ମଦୁଆ ଡ୍ରାଇଭରଙ୍କୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଏ ସେତେବେଳେ ରାସ୍ତାଘାଟରେ ପରିବହନ ଓ ପୁଲିସ୍ କର୍ତ୍ତୃପକ୍ଷ ମଦୁଆ ଗାଡି ଚାଳକଙ୍କୁ ଚିହ୍ନଟ ପାଇଁ ବ୍ରେଥ୍ ଆନାଲାଇଜର ଧରି ଛକି ବସିଥାନ୍ତି । ଏ ବାବଦରେ ବିପୁଳ ଜୋରିମାନା ଆଦାୟ ହୋଇଥାଏ । ମଦୁଆମାନେ ଜେଲ୍ ଯିବା ଅପେକ୍ଷା ମୋଟା ଅଙ୍କର ଜୋରିମାନା ଦେଇ ଖସିବାକୁ ଉଚିତ୍ ମଣିଥାନ୍ତି । ଏଥିରେ ଯାଞ୍ଚ କରୁଥିବା ବାବୁମାନଙ୍କର ବି ଅନେକ ସମୟରେ ଲାଭ ହୋଇଥାଏ ।
ବର୍ତ୍ତମାନ ସଡକ ଦୁର୍ଘଟଣା ରୋକିବାପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଗୁରୁତ୍ୱ ଦିଆଯାଉଛି । ତେବେ ଏ କ୍ଷେତ୍ରରେ ଅବକାରୀ ବିଭାଗ ସହିତ କିଭଳି ସମନ୍ୱୟ ରକ୍ଷା ହେବ ଏବଂ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ସଦ୍ୟ ସମାପ୍ତ ହୋଇଥିବା ମଦ ଦୋକାନ ଲଟେରୀ ଉଠାଣରେ ଜିତାପଟ କରିଥିବା ମଦ ବ୍ୟବସାୟୀମାନେ ନୂଆ ଦୋକାନ ପାଇଁ ସ୍ଥାନ ଖୋଜିବାରେ ଲାଗିଥିବାବେଳେ ସେମାନଙ୍କର ପ୍ରଥମ ପସନ୍ଦ ହୋଇଛି ବିଭିନ୍ନ ବ୍ୟସ୍ତବହୁଳ ସଡକ ପାଶ୍ୱର୍ । ଯଦିଓ ଏହାକୁ ନେଇ ବିଭିନ୍ନ ସ୍ଥାନରେ ନୂଆ ମଦ ଦୋକାନୀମାନେ ବିରୋଧର ସମ୍ମୁଖୀନ ହେଉଛନ୍ତି କିନ୍ତୁ ସରକାରଙ୍କ ଠାରୁ ଅନୁମତି ପାଇଥିବାରୁ ମଦ ଦୋକାନ ସ୍ଥାପନକରିବା ଏକ ପ୍ରକାର ନିଶ୍ଚିତ ।
ତେଣୁ ସଡକ ଦୁର୍ଘଟଣା ରୋକିବାପାଇଁ ରାସ୍ତା ସମସ୍ୟା ଦୂର ପାଇଁ ପୂର୍ତ୍ତ ବିଭାଗ ଓ ମଦୁଆ ଡ୍ରାଇଭର ସମସ୍ୟା ଦୂର ପାଇଁ ଅବକାରୀ ବିଭାଗ ସହିତ ସମନ୍ୱୟ ରକ୍ଷା ପାଇଁ ମତପ୍ରକାଶ ପାଉଛି । ଗାଡିଚାଳକଙ୍କ ହାତ ପାଆନ୍ତାରେ ଯେଭଳି ମଦ ନମିଳିବ ଓ ନିୟମିତ ଭାବେ ବିଭିନ୍ନ ସଡରେ ମଦୁଆ ଡ୍ରାଇଭର ଧରପଗଡ ଅଭିଯାନ ଜୋରଦାର ତାହା ଉପରେ ଦୃଷ୍ଟିଦେଲେ ରାଜ୍ୟରେ ସଡକ ଦୁର୍ଘଟଣା ଓ ଧନଜୀବନ ହାନି ହ୍ରାସ ପାଇପାରନ୍ତା । (ତଥ୍ୟ)

