Home News in Odia ଇଭି ଦୁଇ ଚକିଆ ବିକ୍ରିରେ ଓଡିଶା ଏକ ନମ୍ବର

ଇଭି ଦୁଇ ଚକିଆ ବିକ୍ରିରେ ଓଡିଶା ଏକ ନମ୍ବର

ଭୁବନେଶ୍ୱର : ଇଭି ମୋଟରସାକେଲ ବିକ୍ରିରେ ଓଡିଶା ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିଛି । ତୈଳଦର ବୃଦ୍ଧି ପରେ ଦେଶରେ ଇଭିର ଚାହିଦା ଯଦିଓ ବଢିଛି କିନ୍ତୁ ଆଶ୍ଚର୍ଯ୍ୟଜନକ ଇଭି ମୋଟରସାଇକେଲରେ କିଣିବାରେ ଓଡିଶା ଲୋକେ ଆଗରେ ରହିଛନ୍ତି । ଏଥିପାଇଁ ଓଡିଶା ସରକାରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଇଭି ଯାନ ସଂକ୍ରାନ୍ତରେ ହୋଇଥିବା ସଦ୍ୟତମ ସର୍ବେକ୍ଷଣରୁ ଜଣାଯାଇଛି ଯେ ଭାରତରେ ମାର୍ଚ୍ଚରୁ ଜୁନ୍‍ ମାସ ମଧ୍ୟରେ ଯେତିକି ଦୁଇ ଚକିଆ ଇଭି ବିକ୍ରି ହୋଇଛି ସେଥିରୁ ୧୭% କେବଳ ଓଡିଶା ଲୋକେ କିଣିଛନ୍ତି । ଏହା ସର୍ବକାଳୀନ ରେକର୍ଡ । ୨୦୨୫ରେ ଦେଶର ୯.୫% ଦୁଇ ଚକିଆ ଇଭି ଯାନ ଓଡିଶାରେ ବିକ୍ରି ହୋଇଥିବାବେଳେ ୨୦୨୬ ଜାନଆରୀ, ଫେବୃଆରୀ ମାସରେ ଏହା ୧୦.୩ ପ୍ରତିଶତ ଥିଲା । କିନ୍ତୁ ମାର୍ଚ୍ଚ-ଜୁନ୍‍ ମଧ୍ୟରେ ଏହା ରେକର୍ଡ ୧୭% ହୋଇଛି ।

ସେହିଭଳି ୪ଚକିଆ ଯାନ କ୍ଷେତ୍ରରେ ଓଡିଶା ତୃତୀୟ ସ୍ଥାନରେ ରହିଛି । ଦିଲ୍ଲୀ ପ୍ରଥମ ଓ ତେଲେଙ୍ଗାନା ଦ୍ୱିତୀୟ ସ୍ଥାନରେ ଥିବାବେଳେ ଓଡିଶାରେ ୭.୫% ଚାରି ଚକିଆ ଇଭି ବିକ୍ରି ହୋଇଛି । ରାଜ୍ୟ ସରକାର ସବସିଡ୍‍ ବୃଦ୍ଧି ଅବଧି ଘୋଷଣା କରିବାପରେ ଇଭି ଯାନର ବିକ୍ରି ରେକର୍ଡ ପରିମାଣରେ ବଢିଛି ।

ଇଭିର ଚାହିଦା ଓଡିଶାରେ ଯେଉଁ ହାରରେ ବଢୁଛି ସେହି ଅନୁପାତରେ କିନ୍ତୁ ଭିତ୍ତିଭୂମି ନାହିଁ । ବିଶେଷକରି ଇଭି ଯାନ ପାଇଁ ଚାର୍ଜିଂ ଷ୍ଟେସନ ନାହିଁ । ଇଭି ବିକ୍ରି ସହିତ ତାଳ ଦେଇ ଚାର୍ଜିଂ ଷ୍ଟେସନ ନିର୍ମାଣ ନହେଲେ ଆଗାମୀ ଦିନରେ ଏହା ଅଭାବନୀୟ ସ୍ଥିତି ସୃଷ୍ଟି କରିବ । ଲକ୍ଷ୍ୟ କରାଯାଇଛି ଯେ ଲୋକେ ଡିଜେଲ ଗାଡି ବଦଳରେ ଇଭି ଖରିଦ କରୁଛନ୍ତି । ଫଳରେ ଡିଜେଲ ଗାଡିର ବିକ୍ରି ରାଜ୍ୟରେ କମିବାରେ ଲାଗିଛି ।

ଭୁବନେଶ୍ୱର-କଟକକୁ ବାଦ୍‍ ଦେଲେ ବ୍ରହ୍ମପର, ସମ୍ପବଲପୁର ଭଳି ଆଗଧାଡିର ସହରରେ ଇଭି ଚାର୍ଜିଂ ଷ୍ଟସେନ ନାହିଁ । ସେଠାରେ ଲୋକେ ଇଭି ପାଇଁ ଆଗ୍ରହୀ ଥିବାବେଳେ ଚାର୍ଜିଂ ଷ୍ଟେସନକୁ ନେଇ ସମସ୍ୟା ଭୋଗୁଛନ୍ତି । ନିଜ ଘରେ ଗାଡି ଚାର୍ଜିଂ କରିବା ଯୋଗୁଁ ଅନେକ ସ୍ଥାନିରେ ବିଦ୍ୟୁତ୍‍ ବିଭ୍ରାଟ ପରିଲକ୍ଷିତ ହେଉଛି । କାରଣ ବଡ ବଡ ଇଭିଗାଡିକୁ ଚାର୍ଜିଂ କରିବାପାଇଁ ଯେଉଁ ପରିମାଣର ବିଦ୍ୟୁତ୍‍ ସଂଯୋଗ ଆବଶ୍ୟକ ତାହା ଅନେକଙ୍କ ଘରେ କରାଯାଇ ପାରୁନାହିଁ ।

ଉଲ୍ଲେଖନୀୟ ଯେ ପଶ୍ଚିମଏସିଆରେ ଯୁଦ୍ଧ ସ୍ଥିତି ଯୋଗଁ ତୈଳ ସଙ୍କଟ ଦେଖା ଦେଇଥିବାବେଳେ ଖୋଦ୍‍ ପ୍ରଧାନମନ୍ତ୍ରୀ କମ୍‍ ଇନ୍ଧନ ବ୍ୟବହାର ସହିତ ଇଭି ଆପଣେଇବାପାଇଁ ଆହ୍ୱାନ ଦେଇଥିଲେ । ସେହିଭଳି ଇଭି ଯାନ ପାଇଁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ରାଶି ସହିତ ପଞ୍ଜିକରଣ ଓ ସଡକ ଟିକସ ଛାଡ ଥିବା ଏବଂ ପ୍ରଦୂଷଣ ପରୀକ୍ଷଣ ଝାମେଲା ନଥିବାରୁ ଅନେକ ଏବେ ଇଭିମୁହାଁ ହୋଇଛନ୍ତି । ଓଡିଶାରେ ଇଭିର ଚାହିଦା ଏଭଳି ବଢିଛି ଯେ ଗୋଟିଏ ଦୁଇ ଚକିଆ ଇଭି ଯାନ ପାଇଁ ଅଗ୍ରୀମ ପଇଠ କଲେ ତାହା ମାସେ କିମ୍ବା ଦେଢମାସ ପରେ ମିଳୁଛି । ଚାରିଚକିଆ ଇଭି ଯାନର ବି ସମାନ ସ୍ଥିତି । ଏହା ସତ୍ୱେ ବି ଲୋକେ ନିଜର ପକେଟ ଓ ପରିବେଶକୁ ନଜରରେ ରଖି ଇଭି ଯାନ ଖରିଦ ପାଇଁ ଆଗଭର ହେଉଛନ୍ତି । (ତଥ୍ୟ)