ଭୁବନେଶ୍ୱର : ସ୍ଥାୟୀ ସହରୀକରଣ ଏବଂ ଜଳବାୟୁ-ସହନଶୀଳ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ଵରୂପ, ଆଜି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ ଅନ୍ ଲୋ କାର୍ବନ କନ୍ସଟ୍ରକ୍ସନ ମ୍ୟାଟେରିଆଲ୍ସ ଆଣ୍ଡ ସଷ୍ଟେନେବଲ୍ ଡେଭେଲପମେଣ୍ଟ’ (ସ୍ଵଳ୍ପ କାର୍ବନ ନିର୍ମାଣ ସାମଗ୍ରୀ ଏବଂ ସ୍ଥାୟୀ ବିକାଶ କେନ୍ଦ୍ର) ପ୍ରତିଷ୍ଠା ପାଇଁ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ଵାକ୍ଷରିତ ହୋଇଛି । ଓଡ଼ିଶା ଅର୍ବାନ ଏକାଡେମୀର ନିର୍ଦ୍ଦେଶକ ଶ୍ରୀ ସୁଭେନ୍ଦୁ ସାହୁ, ଆଇଆଇଟି ଭୁବନେଶ୍ୱରର ସ୍କୁଲ୍ ଅଫ୍ ଇନଫ୍ରାଷ୍ଟ୍ରକ୍ଚରର ପ୍ରଫେସର ଦିନକର ପାସଲା ଏବଂ ଡେଭେଲପମେଣ୍ଟ ଅଲଟରନେଟିଭ୍ସର ସି ଇ ଓ ଶ୍ରୀ ଶାଶ୍ଵତ ପାଟରା ଏହି ଚୁକ୍ତିପତ୍ରରେ ସ୍ଵାକ୍ଷର କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଏସବିଏମ (ଅର୍ବାନ)ର ମିଶନ ନିର୍ଦ୍ଦେଶକ ଶ୍ରୀ ବିନୟ କୁମାର ଦାଶଙ୍କ ସ୍ୱାଗତ ଭାଷଣ ପ୍ରଦାନ କରି ଏହି ବୁଝାମଣା ପତ୍ର ସମ୍ପର୍କରେ ସୂଚନା ଦେଇଥିଲେ।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଡଃ ମହାପାତ୍ର କହିଛନ୍ତି ଯେ ସହରୀ ବିକାଶ କେବଳ ଭୌତିକ ଭିତ୍ତିଭୂମି ନିର୍ମାଣ ମଧ୍ୟରେ ସୀମିତ ନରହି, ପରିବେଶ ଅନୁକୂଳ ଯୋଜନା, ଗୁଣାତ୍ମକ ଜନସାଧାରଣ ଭିତ୍ତିଭୂମି ଏବଂ ଦକ୍ଷ ନାଗରିକ ସେବା ମାଧ୍ୟମରେ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଉଚିତ । ଏହି ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’କୁ ଏକ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଏହା ରାଜ୍ୟରେ ସ୍ଥାୟୀ ସହରୀ ବିକାଶକୁ ଆଗେଇ ନେବା ପାଇଁ ଜ୍ଞାନ ଏବଂ ନବୋନ୍ମେଷର ଏକ ପ୍ରମୁଖ କେନ୍ଦ୍ର ସାଜିବ ।
ଏହାର ପ୍ରଥମ ପ୍ରମୁଖ ପଦକ୍ଷେପ ସ୍ଵରୂପ, ଏହି ସେଣ୍ଟର ଅଫ୍ ଏକ୍ସଲେନ୍ସ ଦ୍ରୁତ ଗତିରେ ସହରୀକରଣ ହେଉଥିବା ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଜଟଣୀ ଏବଂ ପିପିଲି କ୍ଲଷ୍ଟର ପାଇଁ ‘ନିର୍ମାଣ ଓ ଭଙ୍ଗାଯାଇଥିବା ଆବର୍ଜନା’ପରିଚାଳନା ନିମନ୍ତେ ଏକ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ କରିବ ।
ଏହି ସହଭାଗିତା ତିନୋଟି ଯାକ ସହଯୋଗୀ ଅନୁଷ୍ଠାନର ପରିପୂରକ ଦକ୍ଷତାକୁ ଏକାଠି କରିଛି । ଆଇଆଇଟି ଭୁବନେଶ୍ୱର ଗବେଷଣାତ୍ମକ ସହାୟତା, ବୈଷୟିକ ଜ୍ଞାନକୌଶଳ ଏବଂ ପ୍ରଯୁକ୍ତିବିଦ୍ୟାଗତ ନବୋନ୍ମେଷ ପ୍ରଦାନ କରିବ , ଡେଭେଲପମେଣ୍ଟ ଅଲଟରନେଟିଭ୍ସ ଏହାର କାର୍ଯ୍ୟାନ୍ୱୟନରେ ସହାୟତା କରିବା ସହ ସ୍ଥାୟୀ ନିର୍ମାଣ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ପ୍ରୋତ୍ସାହିତ କରିବ ଏବଂ ଓଡ଼ିଶା ଅର୍ବାନ ଏକାଡେମୀ ପୌରସଂସ୍ଥା ଓ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଦକ୍ଷତା ବିକାଶ, ନୀତିଗତ ସହାୟତା ଏବଂ ଜ୍ଞାନର ପ୍ରସାର ଦିଗରେ ନେତୃତ୍ୱ ନେବ ।

