Home Election ଘରକୁ ଘର ବୁଲି ହେବ ଭୋଟର ସର୍ଭେ

ଘରକୁ ଘର ବୁଲି ହେବ ଭୋଟର ସର୍ଭେ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୨୦୨୭ ଜାନୁୟାରୀ-ଫେବୃୟାରୀରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଓ ପରେ ପରେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି। ଏହି ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ତ୍ରୁଟିଶୂନ୍ୟ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଓ ସରକାରୀସ୍ତରରେ ପଦକ୍ଷେପ ନିଆଯାଇଛି।

ନିର୍ବାଚନ ପାଇଁ ୱାର୍ଡ ଓ ବୁଥସ୍ତରୀୟ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ‘ଘରକୁ ଘର ବୁଲି ସର୍ଭେ’ କରାଯିବା ସହିତ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଥିବା ଜଣାପଡ଼ିଛି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାର ବିସ୍ତୃତ ପରିଚାଳନା ଓ ରଣନୀତି ଉପରେ ଚୂଡ଼ାନ୍ତ ମୋହର ପାଇଁ ଆସନ୍ତା ୨୧ତାରିଖରେ ଜିଲ୍ଲାପାଳମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ।

ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ୨୧ତାରିଖ ପୂର୍ବାହ୍ନ ସାଢ଼େ ୧୧ଟାରୁ ଓସ୍ୱାନ୍ ପ୍ଲାଟଫର୍ମରେ ବୈଠକ କରାଯିବ ବୋଲି କୁହାଯାଇଛଇ। ରାଜ୍ୟ ନିର୍ବାଚନ ଆୟୋଗ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ୨୦୨୭ ପଂଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତାବିତ ‘ଘରକୁ ଘର ବୁଲି ସର୍ଭେ’ର ସବିଶେଷ ଯୋଜନା, ୱାର୍ଡ ଅନୁସାରେ ଭୋଟର ମ୍ୟାପିଙ୍ଗ ଓ ବୁଥସ୍ତରୀୟ ପ୍ରସ୍ତୁତି ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ।

ଏହି ବୈଠକରେ ଜିଲ୍ଲାପାଳଙ୍କ ବ୍ୟତୀତ ପୌର ନିର୍ବଚାନର ନୋଡାଲ ଅଫିସର ଥିବା ଅତିରିକ୍ତ ଜିଲ୍ଲାପାଳ, ସମସ୍ତ ଇଆରଓ, ଏଇଆରଓ ଓ ସହାୟକ ଜିଲ୍ଲାପାଳମାନଙ୍କୁ ନିଜ ନିଜ ଜିଲ୍ଲାର ଓସ୍ୱାନ୍ କେନ୍ଦ୍ରରେ ଉପସ୍ଥିତି ରହିବାକୁ କୁହାଯାଇଛି। କେବଳ ସେତିକି ନୁହେଁ ୨୦୨୨ ପୌର ନିର୍ବାଚନ ସହ ଜଡ଼ିତ ଥିବା ବକେୟା ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲ ପ୍ରକ୍ରିୟାର ସ୍ଥିତି ଉପରେ ମଧ୍ୟ ରାଜ୍ୟ ନିର୍ବାଚନ ଆୟୋଗ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ପଂଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତିକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ସରକାରୀସ୍ତରରେ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟାକୁ ମଧ୍ୟ ସମାନ୍ତରାଳ ଭାବେ ଆଗକୁ ନିଆଯାଇଛି।

ପଂଚାୟତିରାଜ ବିଭାଗ ପକ୍ଷରୁ ୱାର୍ଡମେମ୍ବର, ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ପଦବୀଗୁଡ଼ିକ ପାଇଁ ଆସନ ସଂରକ୍ଷଣ ୨୦୨୬ ଏପ୍ରିଲ ସୁଦ୍ଧା ଚୂଡ଼ାନ୍ତ କରିବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। ୱାର୍ଡଗୁଡ଼ିକର ସୀମା ନିର୍ଦ୍ଧାରଣ କରିବା ପାଇଁ ଜିଆଇଏସ୍ ମ୍ୟାପିଙ୍ଗ ବ୍ୟବସ୍ଥାର ବ୍ୟବହାର କରାଯାଉଛି। ବାଲାଟ ପେପର ପ୍ରସ୍ତୁତି ଓ ସ୍ଥାନୀୟ ରାଜସ୍ୱ କାର୍ଯ୍ୟାଳୟସ୍ତରରେ ସର୍ଭେ କାର୍ଯ୍ୟକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି।