ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୩୦୦ କୋଟି ଟଙ୍କାର ଭୂସମ୍ପତ୍ତି ପୁଣିଥରେ ମହାପ୍ରଭୁଙ୍କ ଖାତାକୁ ଫେରିଛି । ଏ ନେଇ ଚାଲିଥିବା ମାମଲା ଉପରେ ବୋର୍ଡ ଅଫ୍ ରେଭାନ୍ୟୁ ଐତିହାସିକ ରାୟ ଦେବାପରେ ଏହା ସମ୍ଭବ ହୋଇଛି ।
ବୋର୍ଡ ଏକ ରେଭେନ୍ୟୁ ସଦସ୍ୟ ସତ୍ୟବ୍ରତ ସାହୁ ଏହି ମାମଲାର ତ୍ୱରିତ ଶୁଣାଣି କରି ୩୩ ପୃଷ୍ଠାର ରାୟ ପ୍ରଦାନ କରିଛନ୍ତି । ଏହି ମାମଲାରେ ଦୁଇଟି ରିଭିଜନ ପିଟିସନକୁ ମଞ୍ଜୁର କରି ଜଟଣୀ ତହସିଲଦାରଙ୍କୁ ବିବାଦୀୟ ଜମିର ହାଲ୍ ରେକର୍ଡ ଅଫ୍ ରାଇଟ୍ସ ନାମରେ ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ତହସିଲ ଅଧିନ କୁଦୀଆରି ମୌଜାରେ ଏଭଳି ବିଶାଳ ଭୂସମ୍ପତ୍ତି ରହିଛି । ଶ୍ରୀମନ୍ଦିର ପକ୍ଷରୁ ଦବି କରାଯାଇଥିଲା ଯେ ୧୯୫୧ ମସିହାରେ ଗୋଟିଏ ଶିଳ୍ପ ସ୍ଥାପନ ପାଇଁ ଏହି ଜମିକୁ ଦୀର୍ଘ ମିଆଦୀ ଲିଜ୍ ସୂତ୍ରରେ ପ୍ରଦାନ କରାଯାଇଥିଲା । ତେବେ ଏହି ଲିଜ୍ ଆଇନ୍ସମ୍ମତ ନଥିଲା ଏବଂ ସେହି ଲିଜ୍କୁ ଆଧାର କରି ପରବର୍ତ୍ତୀ ସମୟରେ ହାଲ୍ ରେକର୍ଡରେ ବେସରକାରରୀ ପକ୍ଷ ନୀଳମଣି ଦୁବେ ଓ ଅନ୍ୟମାନେ ଗୋପବନ୍ଧୁ ଗ୍ଲାସ ଆଣ୍ଡ୍ ପଟରୀ ୱାର୍କସ ଲିମିଟେଡ ନାମ ଏକ ସଂସ୍ଥା ନାଁରେ ରେକର୍ଡ କରାଯାଇଥିଲା ।
କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ସେତେବେଳେ ପ୍ରଚଳିତ ଥିବା ଓଡିଶା ହିନ୍ଦୁ ଧର୍ମୀୟ ଏଣ୍ଡାଉମେଣ୍ଟ ଆଇନ୍, ୧୯୩୯ର ଧାରା ୫୮ଅନୁଯାୟୀ ୫ବର୍ଷରୁ ଅଧିକ ସମୟ ପାଇଁ ମନ୍ଦିରର ଅଚଳ ସମ୍ପତ୍ତିକୁ ଲିଜ୍ ଦେବାକୁ ହେଲେ ଏଣ୍ଡାଉମେଣ୍ଟ କମିଶନରଙ୍କ ପୂର୍ବ ଅନୁମୋଦନ ବାଧ୍ୟତାମୂଳକ ଥିଲା । କିନ୍ତୁ ଏହି ମାମଲାରେ ଏପରି କୌଣସି ଅନୁମୋଦନ ହାସଲ କରାଯାଇଥିବାର ପ୍ରମାଣ ବିପକ୍ଷ ପକ୍ଷ ଦାଖଲ କରିପାରିନଥିଲେ । କେବଳ ଲିଜ୍ ଦଲିଲ୍ ପଞ୍ଜିକୃତ ହୋଇଥିବାରୁ ତାହା ଆଇନ୍ସମ୍ମତ ହୋଇଯାଏ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।
ରାୟରେ ଆହୁରି କୁହାଯାଇଛି ଯେ ଲିଜ୍ ଦେବାର ଉଦ୍ଦେଶ୍ୟ ଥିଲା ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ । କିନ୍ତୁ ମାମଲାରେ ଉପସ୍ଥାପିତ ଦସ୍ତାବିଜରୁ ଏପରି କୌଣସି ଶିଳ୍ପ ପ୍ରତିଷ୍ଠାନ ବାସ୍ତବରେ ସ୍ଥାପିତ ହୋଇଥିବା କିମ୍ବା ମନ୍ଦିର କୌଣସି ଆର୍ଥିକ ଲାଭ ପାଉଥିବାର ପ୍ରମାଣ ନାହିଁ । ବରଂ ତହସିଲଦାରଙ୍କ ସତ୍ୟତମ କ୍ଷେତ୍ର ପରିଦର୍ଶନ ରିପୋର୍ଟରେ ବିବାଦୀୟ ଜମି ଏବେ ମଧ୍ୟ ଖାଲି ପଡିଥିବା ଉଲ୍ଲେଖ ରହିଛି ।
କୋର୍ଟ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ରେକର୍ଡ ଅଫ୍ ରାଇଟ୍ସ କୌଣସି ବ୍ୟକ୍ତିଙ୍କ ସତ୍ୱ ସୃଷ୍ଟି କରେନାହିଁ । ଏହା କେବଳ ଦଖଲ ସମ୍ପର୍କିତ ଏକ ପ୍ରାଥମିକ ପ୍ରମାଣ । ଯଦି ରେକର୍ଡର ମୂୂଳ ଆଧାର ଆଇନ୍ବିରୋଧି କାରବାର ଉପରେ ଆଧାରିତ ହୋଇଥାଏ ତେବେ ସେହି ରେକର୍ଡକୁ ସଂଶୋଧନ କିବା ପାଇଁ ରିଭିଜନାଲ କର୍ତ୍ତୃପକ୍ଷଙ୍କର ପୂର୍ଣ୍ଣ କ୍ଷମତା ରହିଛି ।
ରାୟରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଶ୍ରୀଜଗନ୍ନାଥ ଟେମ୍ପଲ ମ୍ୟାନେଜିଂ କମିଟି ବନାମ ସିଦ୍ଧମଠ ମାମଲାର ନିଷ୍ପତ୍ତିକୁ ମଧ୍ୟ ଉଲ୍ଲେଖ କରାଯାଇଛି । କୋର୍ଟ ମତ ଦେଇଛନ୍ତି ଯେ ମନ୍ଦିର ସମ୍ପତ୍ତିର ସୁରକ୍ଷାପାଇଁ ପ୍ରଚଳିତ ସ୍ୱତନ୍ତ୍ର ଆଇନ୍ର ବ୍ୟବସ୍ଥାକୁ ସର୍ବାଧିକ ପ୍ରାଧାନ୍ୟ ଦେବା ଆବଶ୍ୟକ ଏବଂ ସେହି ବ୍ୟବସ୍ଥାର ଉଲ୍ଲଙ୍ଘନ କରି କୌଣସି ଅଧିକାର ସୃଷ୍ଟି ହୋଇପାରିବ ନାହିଁ ।
ଦୀର୍ଘ ଶୁଣାଣି ପରେ କୋର୍ଟ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ ୧୯୬୫ ମସିହାରେ ପ୍ରସ୍ତୁତ ହୋଇଥିବା ହାଲ୍ ରେକର୍ଡ ଆଇନ୍ଗତ ଦୃଷ୍ଟିରୁ ପରିପୂର୍ଣ୍ଣ ଏବଂ ତାହାକୁ ଅବ୍ୟାହତ ରଖାଯାଇ ପାରିବନାହିଁ । ଫଳରେ ରିଭିଜନ ପିଟିସନକୁ ମଞ୍ଜୁର କରାଯାଇ ଜଟଣୀ ତହସିଲଦାରଙ୍କୁ ତୁରନ୍ତ ହାଲ୍ ରେକର୍ଡ ସଂଶୋଧନ କରି ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କ ନାମରେ ‘ଅନାବାଦି-ପୁରାତନ ପତିତ’ କିସମରେ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । (ତଥ୍ୟ)

