ଭୁବନେଶ୍ୱର : ଓଡିଶା ପାଇଁ ବର୍ଷକୁ ପ୍ରାୟ ୧୨୦ କୋଟି ବର୍ଗମିଟର ପରିମାଣର କପଡା ଆବଶ୍ୟକ ଥିବାବେଳେ ଏବେ ରାଜ୍ୟରେ ବର୍ଷରେ ୫କୋଟି ବର୍ଗମିଟରରୁ କମ୍ କପଡା ଉତ୍ପାଦିତ ହେଉଛି । ଫଳରେ କପଡା ଉତ୍ପାଦନ କ୍ଷେତ୍ରରେ ଏକଦା ବଳକା ରାଜ୍ୟ ଭାବେ ପରିଚିତ ଓଡିଶା ନିଜର ଚାହିଦା ପୂରଣ ପାଇଁ ଅନ୍ୟ ରାଜ୍ୟ ଏମିତିକି ବିଦେଶ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛି ।
ସରକାରୀ ତଥ୍ୟ ମୁତାବକ ୨୦୨୦ ସୁଦ୍ଧା ରାଜ୍ୟରେ ଥିବା ୧୩ଟି ଯାକ ସୂତାକଳ ଓ ଆଉ ୧୩ଟି କଳତନ୍ତ ବୟନଶିଳ୍ପ ବନ୍ଦହୋଇ ଯାଇଥିଲା । ଏହି ସୂତାକଳ ଓ ବୟନଶିଳ୍ପଗୁଡିକ ସରକାରୀ, ବେସରକାରୀ ଓ ସମବାୟ ଭିତ୍ତିରେ ପୂର୍ବରୁ ପ୍ରତିଷ୍ଠିତ ହୋଇଥିଲା । ୧୯୪୬ ମସିହାରେ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଚୌଦ୍ୱାର ଠାରେ ପ୍ରତିଷ୍ଠା କରାଯାଇଥିବା ଓଡିଶା ଟେକ୍ସଟାଇଲ୍ ମିଲ୍ସ (ଓଟିଏମ୍) ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ବନ୍ଦ ହୋଇଥିଲା ଏବଂ ଏଯାବତ୍ ଆଉ ତାହାର ପୁନରୁଦ୍ଧାର କରାଯାଇ ପାରିନାହିଁ । ଗୋଟିଏ ସମୟରେ ଓଟିଏମ୍ ରେ ଉତ୍ପାଦିତ ୁଉନ୍ନତମାନର କପଡାର ଚାହିଦା ଦେଶ ବିଦେଶରେ ମଧ୍ୟ ରହିଥିଲା ।
ଓଟିଏମ୍ ଦୀର୍ଘବର୍ଷ ଧରି ସରକାରୀକଳ ଦ୍ୱାରା ପରିଚାଳିତ ହେଉଥିଲା । ଓଟିଏମ୍ ଭଳି ଝାରସୁଗୁଡାର ଅନ୍ୟଏକ ସରକାରୀ ସଂସ୍ଥା ଭାଷ୍କର ଟେକ୍ସଟାଇଲ ମିଲ୍ସ (ବିଟିଏମ୍) ମଧ୍ୟ ବହୁ ବର୍ଷରୁ ବନ୍ଦହୋଇ ପଡିଛି । ବରଗଡ, ଢେଙ୍କାନାଳ, ବାଲେଶ୍ୱର, ଜଗତ୍ସିଂହପୁର, କଟକ ଓ ଖୋରଧା ଜିଲ୍ଲାରେ ଥିବା ସମବାୟ ସୂତାକଳଗୁଡିକ ମଧ୍ୟ ବର୍ଷ ବର୍ଷ ଧରି ବନ୍ଦହୋଇ ପଡିଛି । ଏଗୁଡିକ ଛଡା ସୁନ୍ଦରଗଡ, ମୟୁରଭଞ୍ଜ, ଗଞ୍ଜାମ, ସୁବର୍ଣ୍ଣପୁର ଓ ମୟୁରଭଞ୍ଜ ଜିଲ୍ଲାରେ ଥିବା ବହୁ ଘରୋଇ ସୂତାକଳ ମଧ୍ୟ ଦୀର୍ଘବର୍ଷ ଧରି ବନ୍ଦ ରହିଛି ।
ଗୋଟିଏ ପଟେ ଓଡିଶାରେ ଉନ୍ନତମାନର କପା ପ୍ରଚୁର ପରିମାଣରେ ଉତ୍ପାଦିତ ହେଉଥିବାବେଳେ ରାଜ୍ୟ ଭିତରେ ଏହାର ବ୍ୟବହାର କରିବାପାଇଁ ସୂତାକଳ ନଥିବାରୁ ଅନ୍ୟ ରାଜ୍ୟର ଅସାଧୁ ବ୍ୟବସାୟୀମାନେ ଚାଷୀମାନଙ୍କ ଠାରୁ ନାମମାତ୍ର ଦରରେ କପା କିଣି ନେଉଛନ୍ତି । ସେହିଭଳି କେନ୍ଦ୍ରାପଡା, ଖୋର୍ଦ୍ଧା, ଗଞ୍ଜାମ, ମୟୁରଭଞ୍ଜ, କଟକ, ଯାଜପୁର, ଜଗତସିଂହପୁର, ବରଗଡ, ଢେଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ ଜିଲ୍ଲାରେ ଥିବା ଅନ୍ୟୁନ ୧୩ଟି କଳତନ୍ତ ସମବାୟ ସମିତି ମଧ୍ୟ ଅଚଳ ହୋଇ ପଡିଛି ।
ଅବସ୍ଥା ଏଭଳି ହୋଇଛି ଯେ ରାଜ୍ୟରେ ଯେତିକି ବି ହସ୍ତତନ୍ତ ୟୁନିଟ୍ ବେସରକାରୀ ଓ ସମବାୟ ମାଧ୍ୟମରେ ଚାଲୁଛି ସେଗୁଡିକର ବୁଣାକାରମାନଙ୍କ ଆବଶ୍ୟକତା ମେଣ୍ଟାଇବାପାଇଁ ଅନ୍ୟ ରାଜ୍ୟରୁ ସୂତା ଆଣିବାକୁ ପଡୁଛି । ଓଡିଶାର କଟାଳି ଓ ବୁଣାଳିମାନେ ନିଜ ରାଜ୍ୟରେ କାମ ନପାଇ ଅନ୍ୟ ରାଜ୍ୟକୁ ଜୀବନ ବିକଳରେ ପଳାଉଛନ୍ତି । ଏମାନଙ୍କର କୌଳିକ ଓ କୁଶଳୀଜ୍ଞାନକୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଖୁବ୍ କମ୍ ପାରିଶ୍ରମିକରେ ବ୍ୟବହାର କରି ପ୍ରଚୁର ପରିମାଣର ସୂତା ଓ କପଡା ଉତ୍ପାଦନ କରି ବେଶ୍ ଲାଭବାନ୍ ହେଉଛନ୍ତି ।
ଅର୍ଥନୀତି ବିଶାରଦମାନେ କହୁଛନ୍ତି ଯେ କପଡା ଓ ସୂତା ଉତ୍ପାଦନ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଆଗଲେ ରାଜ୍ୟର ଅର୍ଥନୀତି ବେଶ୍ ସୁଦୃଢ ହୋଇପାରିବ ଏବଂ ପ୍ରତିବର୍ଷ କେବଳ କପଡା ବାବଦରେ ବାହାର ରାଜ୍ୟକୁ ଯେଭଳି ୩୦ହଜାର କୋଟିରୁ ୪୦ହଜାର କୋଯି ଟଙ୍କା ପର୍ଯ୍ୟନ୍ତ ଚାଲିଯାଉଛି ତାହାକୁ ରୋକାଯିବା ସହିତ ବ୍ୟାପକ କର୍ମନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟିହୋଇ ପାରନ୍ତା । (ତଥ୍ୟ)

