ଭୁବନେଶ୍ୱର : ଚଳିତବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ କରିବାପାଇଁ ଓଡିଶା ପ୍ରଶାସନିକ ସେବାର ୩୦ ବରିଷ୍ଠ ଅଧିକାରୀଙ୍କ ସହିତ ପାଖାପାଖି ଦୁଇ ଶହ ଅଫିସରଙ୍କୁ ପୁରୀରେ ମୁତୟନ କରାଯାଇଛି । ଏମାନଙ୍କୁ ଏକ ତାରିଖରୁ ଆସି ପୁରୀରେ ହାଜର ହେବାପାଇଁ କୁହାଯାଇଛି । ତେବେ ଏତେ ସଂଖ୍ୟକ ଅଫିସର ଏବେ ରହିବାପାଇଁ ପୁରୀରେ ସ୍ଥାନାଭାବ ପରିଲକ୍ଷିତ ହେଉଛି ।
ଏହି ଅଫିସରମାନଙ୍କୁ ହବଷ୍ୟାଳି ରହୁଥିବା ନିବାସରେ କୋଠରୀ ଯୋଗାଇ ଦିଆଯାଇଛି । ଗୋଟିଏ କୋଠରୀରେ ୧୦ ଜଣ ଅଧିକାରୀଙ୍କୁ ରହିବାପାଇଁ କୁହାଯାଇଥିବାବେଳେ ଏବେ ସେହି ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ କାହାକୁ ଗୁହାରି କରିବେ ଏହି ବରିଷ୍ଠ ଅଫିସରମାନେ ଜାଣିପାରୁ ନାହାନ୍ତି ।
ଅନ୍ୟ ସମସ୍ୟାଟି ହେଉଛି ରଥଯାତ୍ରା ଦାୟିତ୍ୱରେ ଥିବା ଏହି ବାବୁମାନଙ୍କ ପାଇଁ ଗାଡି ନାହିଁ । ରହଣୀ ସ୍ଥାନରୁ କିଏ ଚାଲି ଚାଲି ଦାୟିତ୍ୱ ଦିଆଯାଇଥିବା ସ୍ଥାନକୁ ଆସୁଛି ତ ଆଉ କିଏ ଭଡା ଗାଡିରେ ଆସୁଛି । ଯେଉଁ ସରକାରୀ ଅଧିକାରୀମାନେ ପୁରୀ ଆଖପାଖରୁ ଆସିଛନ୍ତି ସେମାନେ ଆଣିଥିବା ଚାରିଚକିଆ ଓ ଦୁଇ ଚକିଆ ଯାନରେ ଖୁନ୍ଦାଖୁନ୍ଦି ହୋଇ ବାବୁମାନେ ଯା’ଆସ କରୁଛନ୍ତି । ରଥଯାତ୍ରା ଦାୟିତ୍ୱରେ ୭୫ରୁ ଉର୍ଦ୍ଧ୍ୱ ଉପଜିଲ୍ଲାପାଳ ବିଭିନ୍ନ ଜିଲ୍ଲାରୁ ଆସିଥିବାବେଳେ ଏମାନଙ୍କ ସହିତ ଓଏସ୍ଡି, ତହସିଲଦାର, ଅତିରିକ୍ତ ତହସିଲଦାର ଆଦି ରହିଛନ୍ତି ।
ଗତବର୍ଷ ରଥଯାତ୍ରାରେ ଦଳାସକଟା ଭଳି ଅଘଟଣ ଘଟି ଲୋକଙ୍କ ମୃତ୍ୟୁ ଘଟିବାପରେ ଏଭଳି ଘଟଣାକୁ ଏଡାଇବାପାଇଁ ଚଳିତବର୍ଷ କର୍ତ୍ତୃପକ୍ଷ ଅଧିକ ସଂଖ୍ୟକ ପ୍ରଶାସନିକ ଅଧିକାରୀଙ୍କୁ ମୁତୟନ କରିଛନ୍ତି ।
କେବଳ ଓଡିଶା ପ୍ରଶାସନିକ ସେବାର ଅଧିକାରୀ ନୁହନ୍ତି, ଚଳିତବର୍ଷ ବହୁ ସଂଖ୍ୟକ ପୁଲିସ୍ ଅଫିସର ମଧ୍ୟ ମୁତୟନ ହୋଇଛନ୍ତି । ଏମାନେ ମଧ୍ୟ ଓଏଏସ୍ ଅଫିସରଙ୍କ ଭଳି ରହିବାପାଇଁ ହନ୍ତସନ୍ତ ହେଉଛନ୍ତି । ସେମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ୟାମ୍ପ୍ରେ ଆବଶ୍ୟକ ଠାରୁ ଅଧିକ ଅଫିସର ରହୁଥିବା ଲକ୍ଷ୍ୟ କରାଯାଇଛି ।
ରଥଯାତ୍ରା କାର୍ଯ୍ୟ ପାଇଁ ପୁରୀରେ ମୁତୟନ ହୋଇଥିବା ଓଡିଶା ପ୍ରଶାସନିକ ସେବା, ଓଡିଶା ପୁଲିସ୍ ସେବାର ଅଧିକାରୀଙ୍କ ସହିତ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀମାନେ ମଧ୍ୟ ବିଭିନ୍ନ ସରକାରୀ ରହଣୀସ୍ଥାନରେ ଡେରା ପକାଇଛନ୍ତି । ସ୍ଥାନାଭାବ ଯୋଗୁଁ ବିଭିନ୍ନ ଧର୍ମଶାଳାଗୁଡିକରେ ମଧ୍ୟ ଏମାନଙ୍କୁ ରଖାଯାଉଛି । ଏହା ଫଳରେ ପୁରୀକୁ ଆସି ଧର୍ମଶାଳାଗୁଡିକରେ ଅଳ୍ପ ଅର୍ଥ ବ୍ୟୟରେ ରହି ରଥଯାତ୍ରାରେ ସାମିଲ ହେଉଥିବା ଭକ୍ତମାନେ ଏଥର ହଇରାଣ ହେବାର ସମ୍ଭାବନା ରହିଛି । କାରଣ ପୁରୀରେ ଯେତିକି ସଂଖ୍ୟକ ହୋଟେଲ ରହିଛି ସେଥିରେ ସାଧାରଣ ଭକ୍ତଟିଏ ରହିବା କଷ୍ଟକର । ଏହାଛଡା ହୋଟେଲଗୁଡିକ ଅନ୍ଲାଇନ୍ରେ ବହୁ ପୂର୍ବରୁ ସଂରକ୍ଷିତ ହୋଇ ସାରିଛି ।
ତେବେ ପୁରୀକୁ ରଥଯାତ୍ରା ଦାୟିତ୍ୱରେ ଆସିଥିବା ସରକାରୀ ଅଧିକାରୀମାନେ ଏବେ ରହିବାରେ ସମସ୍ୟା ସହିତ ବିନା ଗାଡିମୋଟରରେ କିଭଳି ଦାୟିତ୍ୱ ନିର୍ବାହ କରିବେ ତାହାକୁ ନେଇ ଚିନ୍ତାରେ ପଡିଥିବାବେଳେ ଏମାନଙ୍କ ମଧ୍ୟରୁ ଅନେକ କିନ୍ତୁ ପ୍ରଭୁଙ୍କ ସେବା ପାଇଁ ସୁଯୋଗ ମିଳିଥିବାରୁ ସବୁକିଛି ସହିଯିବା ପାଇଁ ପ୍ରସ୍ତୁତ ଥିବା ଲକ୍ଷ୍ୟ କରାଯାଇଛି । (ତଥ୍ୟ)

