Home News in Odia କେନ୍ଦୁଝର ଏବେ ଭୋକର ଭୂଗୋଳ

କେନ୍ଦୁଝର ଏବେ ଭୋକର ଭୂଗୋଳ

ଭୁବନେଶ୍ୱର : ତାମିଲନାଡୁର ତିରୁଭଲ୍ଲୁରଠାରେ ଥିବା ସେଣ୍ଟ ପଲ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଗ୍ୟାସ ଲିକ ହୋଇ କେନ୍ଦୁଝର ଜିଲ୍ଲାର ୧୪ ଜଣ ନାବାଳିକା ଓ ମହିଳାଙ୍କ ମର୍ମନ୍ତୁଦ ମୂତ୍ୟୁ ଘଟିଥିଲା। ଏହି ବିଷୟକୁ ନେଇ ଗତକାଲି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏକ ଅନୁଧ୍ୟାନ ଦଳ କେନ୍ଦୁଝର ଜିଲ୍ଲା ଗସ୍ତକରି ପିଡିତ ପରିବାର ସହ ସାକ୍ଷାତ ଆଲୋଚନା କରିଛନ୍ତି।

ଏନେଇ ଏକ ସାମ୍ବଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ଦାସଙ୍କ ସହ ଅନୁଧ୍ୟାନ ଦଳର ସଦସ୍ୟ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନାଙ୍କ ସହ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କଡାମ, ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ଉପସ୍ଥିତ ଥିଲେ। ପିସିସି ସଭାପତି ଅଭିଯୋଗ କରିଥିଲେ ଯେ, ଭୋକର ଭୂଗୋଳ ଦିନେ କଳାହାଣ୍ଡିକୁ କୁହାଯାଉଥିଲା କିନ୍ତୁ ଆଜି କେନ୍ଦୁଝର ଭୋକର ଭୂଗୋଳ ପାଲଟି ଯାଇଛି।

ଗତ କାଲିର କେନ୍ଦୁଝର ଗସ୍ତ ହୃଦୟ ବିଦାରକ ଥିଲା ଯାହା ଭାଷାରେ ଅବର୍ଣ୍ଣନୀୟ। ଦୁଃଖର ବିଷୟ ଯେଉଁ କେନ୍ଦୁଝର ଖଣିଜ ସମ୍ପଦ ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ରାଜ୍ୟକୁ ଦେଉଛି ସେହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବେବି ଲୋକଙ୍କ ପାଇଁ ଅପହଞ୍ଚ। ରାସ୍ତାଘାଟ ନାହିଁ, ସ୍ବଚ୍ଛ ପାଣିର ସାଧନ ନାହିଁ ଏବଂ ରୋଜଗାର ନାହିଁ। ଆଶ୍ଚର୍ଯ୍ୟର କଥା ଯେଉଁ ଅଞ୍ଚଳରେ ୫୦-୬୦ ବର୍ଷଧରି ଓଏମସି କାର୍ଯ୍ୟ କରୁଛି ତାର ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକ ମଧ୍ୟ ଏତେ ଅବହେଳିତ ବିଶ୍ବାସ ହେବନି। ବାହାର ରାଜ୍ୟର ଶିଳ୍ପପତି ଆସି ଲୁଟକରି ନିଜ ରାଜ୍ୟ କାରଖାନାକୁ ପଠାଉଛନ୍ତି ଏବଂ ସେହି ଖଣିଜ ସମ୍ପଦର ମାଲିକ ଆଦିବାସୀ ଯୁବକ ଯୁବତୀ ବାହାର ରାଜ୍ୟକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି।

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଯେ, ରାଜ୍ୟରେ ୬୪ ପ୍ରକାର ଆଦିବାସୀ ବସବାସ କରନ୍ତି ଏବଂ ତନ୍ମଧ୍ୟରୁ ୧୩ ପ୍ରକାର କେବଳ କେନ୍ଦୁଝରରେ ବାସ କରନ୍ତି l ଖଣି ଅଞ୍ଚଳ ଦୈତାରୀ ଓ ଗନ୍ଧମାର୍ଦନ ସମ୍ପୂର୍ଣ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ l କେନ୍ଦୁଝରରୁ କେତେ ଆଦିବାସୀ ଦାଦନ ଖଟିବାକୁ ଯାଇଛନ୍ତି ସରକାରଙ୍କ ପାଖରେ ତଥ୍ୟ ନାହିଁ l

ସରକାର କେନ୍ଦୁଝର ଖଣି ଗୁଡିକୁ ଲକ୍ଷ ଲକ୍ଷ କୋଟି ଟଙ୍କାରେ ନିଲାମ କରୁଛନ୍ତି କିନ୍ତୁ କେନ୍ଦୁଝର ବିକାଶ ହେଉନି l ସରକାର ବାହାରକୁ ଯାଉଥିବା ଶ୍ରମିକଙ୍କ ପଞ୍ଜିକରଣ, ସୁରକ୍ଷା ଓ ବୀମା ପାଇଁ ଯୋଜନା ପ୍ରଣୟନ କରନ୍ତୁ l ଦାଦନଙ୍କୁ ନେଇ ଯେଉଁ ଏଜେନ୍ସି ଶୋଷଣ କରୁଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l ପ୍ରକୃତରେ ଓଡିଶା ଗରିବ ନୁହେଁ, ଓଡ଼ିଆଙ୍କୁ ଗରିବ କରି ରଖାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ l