Home News in Odia ଭୋଟରଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି

ଭୋଟରଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି

ଭୁବନେଶ୍ୱର : ରାଜ୍ୟରେ ଏସଆଇଆର ପ୍ରକ୍ରିୟା ହୋଇ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି । ଭୋଟର ମାନଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ ଚକ୍ରାନ୍ତ ହେଉଛି । ଏନେଇ ବିଜେଡ଼ି ପକ୍ଷରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ସାଧାରଣ ସମ୍ପାଦକ ବିଜୟ ନାୟକ ଏସଆଇଆର ପ୍ରକିୟା ନେଇ ପ୍ରଶ୍ନ ଉଠାଇଛନ୍ତି ।

ଦେବୀ ମିଶ୍ର କହିଛନ୍ତି ଯେ, ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠା ଭୋଟର ତାଲିକା ପ୍ରକାଶିତ ହୋଇଛି । ପୂର୍ବରୁ ବିଭିନ୍ନ ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଅନ୍ୟ ଅଧିକାରୀମାନେ ରାଜନୈତିକ ଦଳମାନଙ୍କ ସହ ଆଲୋଚନା କରିଥିଲେ । ଏସଆଇଆର ପ୍ରକିୟା ଆରମ୍ଭ ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଦତ୍ତ ଭୋଟର ତାଲିକା ଏବଂ ବର୍ତ୍ତମାନର ପ୍ରକାଶିତ ଭୋଟର ତାଲିକାରେ ଅନେକ ତାରତମ୍ୟ ପରିଲକ୍ଷିତ ହୋଇଛି ।

ପୂର୍ବରୁ ଯାହା ଆଶଙ୍କା କରାଯାଉଥିଲା ସେହି ଅନୂଯାୟୀ ଅନେକ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ତାରତମ୍ୟ ରହିଛି । ରାଜ୍ୟର ୧୪୭ଟି ନିର୍ବାଚନ ମଣ୍ଡଳୀରୁ ୭୫ଟିରେ ୧୦,୦୦୦ରୁ ଉର୍ଦ୍ଧ, ତା’ମଧ୍ୟରୁ ୪୯ଟିରେ ୧୫,୦୦୦ରୁ ଉର୍ଦ୍ଧ ଭୋଟର ତାଲିକାରୁ ବାଦ ପଡିଛନ୍ତି । ଏସଆଇଆର ପ୍ରକ୍ରିୟାରୁ ଅନେକ ଲୋକ ବାଦ୍ ପଡିବା ଏକ ଚିନ୍ତାଜନକ ବିଷୟ ପାଲଟିଛି । ନିର୍ବାଚନରେ ମତଦାନ କରିବା ଭୋଟରଙ୍କ ମୌଳିକ ଅଧିକାର ହୋଇଥିବା ବେଳେ ତାହାକୁ କ୍ଷୁର୍ଣ୍ଣ କରିବାକୁ ଚକ୍ରାନ୍ତ ହେଉଛି ବୋଲି ସେ କହିଛନ୍ତି ।  

ସେହିପରି ସାଧାରଣ ସମ୍ପାଦକ ବିଜୟ ନାୟକ କହିଛନ୍ତି ଯେ, ଭୋଟର ତାଲିକାରେ ଏହି ପ୍ରକାର ତାରତମ୍ୟ ନେଇ ବିଜେଡି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ ସେ ତାହାର ସଂଶୋଧନ ନକରି ଭୋଟର ତାଲିକା ପ୍ରକାଶ କରିଛନ୍ତି । ପ୍ରକାଶିତ ଭୋଟର ତାଲିକରେ ୩ କୋଟି ୧୩ ଲକ୍ଷ ଭୋଟର ଅଛନ୍ତି ।

ଦଳ ମାନଙ୍କୁ ୨୦ଲକ୍ଷ ୧୨ହଜାର ଭୋଟର ବାଦ ପଡିଥିବା କୁହାଯାଇଛି । କିନ୍ତୁ ଗଣମାଧ୍ୟମରେ ୨୦ଲକ୍ଷ ୧୪ ହଜାର ଭୋଟର ତାଲିକାରୁ ବାଦ ପଡିଥିବା ନେଇ କହିଛନ୍ତି । ତେବେ ଆମେ ଆରମ୍ଭରୁ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅନୁଶୀଳନ କରି ୨୭ଲକ୍ଷରୁ ଉଦ୍ଧ୍ୱର୍ ଭୋଟର ତାଲିକାରୁ ବାଦ୍ ପଡିଥିବା ଜଣାପଡିଛି ବୋଲି ଶ୍ରୀ ନାୟକ କହିଛନ୍ତି । ଯାହାକି ଅତି ଚିନ୍ତାଜନକ ବିଷୟ ।