Home News in Odia ଇ-ଟଏଲେଟ୍‍ ଅଚଳ

ଇ-ଟଏଲେଟ୍‍ ଅଚଳ

ଭୁବନେଶ୍ୱର : ରାଜ୍ୟର ଛୋଟ ଛୋଟ ସହରରେ ରାଜ୍ୟ ସରକାର ଇ-ଟଏଲେଟ୍‍ ଓ ୱାଟର ଏଟିଏମ୍‍ ସ୍ଥାପନ ପାଇଁ ଯୋଜନା କରୁଥିବାବେଳେ ଖୋଦ୍‍ ରାଜଧାନୀରେ କିନ୍ତୁ ଏଗୁଡିକ ଅଚଳ ହୋଇ ପଡିଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ରାଜଧାନୀରେ ସ୍ଥାପନ ହୋଇଥିବା ଇ-ଟଏଲେଟ୍‍ ଏବେ ନିଶାଡିମାନଙ୍କ ଆଶ୍ରୟକେନ୍ଦ୍ର ପାଲଟିଛି ।

ରାଜଧାନୀବାସୀଙ୍କୁ ଉନ୍ନତମାନର ଶୌଚାଳୟ ସେବା ଯୋଗାଇ ଦେବାପାଇଁ ସହରର ବିଭିନ୍ନ ସ୍ଥାନରେ ଇ-ଟଏଲେଟ୍‍ ସ୍ଥାପନ କରାଯାଇଥିଲା । ହେଲେ ସ୍ଥାପନ ହେବା ଦିନଠାରୁ ଏଠାରୁ ବିଭିନ୍ନ ସାମଗ୍ରୀ ଚୋରି ହେବାରେ ଲାଗିଥିଲା । ପ୍ରଥମେ ଇ-ଟଏଲେଟ୍‍ରେ ଲାଗିଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ରଗୁଡିକୁ ଚୋରମାନେ ନେଇଗଲେ । ଏହାପରେ ଲାଗିଥିବା ଷ୍ଟିଲ୍‍ ସାମଗ୍ରୀ, ପାଣିପାଇପ୍‍ଗୁଡିକ ନେଇଗଲେ । ପରେ ପରେ ସ୍ୱୟଂକ୍ରିୟ ଯନ୍ତ୍ରପାତିଗୁଡିକୁ ମଧ୍ୟ ଖୋଲିନେଲେ ।

ଏହିସବୁ ଟଏଲେଟ୍‍କୁ ଲୋକେ ନିଯିବା ଫଳରେ ଏଗୁଡିକ ଅବ୍ୟବହୃତ ହୋଇ ରହିଲା । ନିଶାଡିମାନେ ସଞ୍ଜ ହେଲେ ଏହା ଭିତରେ ନିଶା ସେବନ କରୁଛନ୍ତି । ସେମାନଙ୍କ ପାଇଁ ଏବେ ଏହା ସୁରକ୍ଷିତ ସ୍ଥାନ ପାଲଟିଛି ।

ଅନୁରୂପ ଅବସ୍ଥା ରାଜଧାନୀରେ ବ୍ୟାପକ ଅର୍ଥ ବ୍ୟୟରେ ଲାଗିଥିବା ୱାଟର ଏଟିଏମଗୁଡିକର । ସହରବାସୀଙ୍କୁ ସ୍ୱଚ୍ଛ ପାନୀୟଜଳ ଯୋଗାଣପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ବିଭିନ୍ନ ଅଞ୍ଚଳରେ ଏହା ନିର୍ମିତ ହୋଇଥିଲା । ଆରମ୍ଭରୁ ଏହା ବିଶୁଦ୍ଧ ପାନୀୟଜଳ ଯୋଗାଉଥିବାବେଳେ ଧିରେ ଧିରେ ଅଚଳ ହେବାରେ ଲାଗିଲା । ଲୋକେ ବି ଏଥିରେ ଲାଗିଥିବା ସାଜ ସରଞ୍ଜାମକୁ ଚୋରିକରି ନେଇଗଲେ । ଏବେ ସହରରେ ପ୍ରାୟତଃ ସମସ୍ତ ୱାଟର ଏଟିଏମ୍‍ ଅଚଳ ଅବସ୍ଥାରେ ।

ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟରେ ଇ-ଟଏଲେଟ୍‍ ଓ ୱାଟର ଏଟିଏମ୍‍ ସ୍ଥାପନ କରିଥିବାବେଳେ ଏହାର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପ୍ରତି ଦୃଷ୍ଟି ଦେଲେ ନାହିଁ । ଫଳରେ ଏଗୁଡିକ ଭାଙ୍ଗିରୁଜି ଯିବା ସହିତ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିବାରେ ଲାଗିଛି । ବର୍ତ୍ତମାନ ସରକାର ରାଜ୍ୟର ଛୋଟ ଛୋଟ ସହରରେ ଏଭଳି ଯୋଜନା କାର୍ଯ୍ୟକାରୀ ପାଇଁ ଯୋଜନା ଚଳାଇଥିବା ଜଣାଯାଇଛି । ଖୋଦ୍‍ ରାଜଧାନୀରେ ଏହା ଆରମ୍ଭରୁ ଅଚଳ ହୋଇ ଥିବାବେଳେ ଛୋଟ ଛୋଟ ସହରରେ ଏହାର କିଭଳି ରକ୍ଷଣାବେକ୍ଷଣ ହୋଇପାରିବ ତାହା ବର୍ତ୍ତମାନ ବଡ ପ୍ରଶ୍ନବାଚୀ ହୋଇଛି । (ତଥ୍ୟ)