Home General ବିଗୁଡୁଛି ରାଜଧାନୀର ଭୂତଳ ଜଳ ସ୍ଥିତି

ବିଗୁଡୁଛି ରାଜଧାନୀର ଭୂତଳ ଜଳ ସ୍ଥିତି

ଭୁବନେଶ୍ୱର : ରାଜଧାନୀ ଓ ଏହାର ଆଖପାଖରେ ଗଢି ଉଠୁଥିବା ଆପାର୍ଟମେଣ୍ଟର ଆଖିବୁଜା ଭୂତଳ ଜଳ ଶୋଷଣ ଏବେ ସ୍ଥିତି ବିଗାଡିବାରେ ଲାଗିଛି । ଦ୍ରୁତ ଗତିରେ ଜଳସ୍ତର ହ୍ରାସ ପାଉଥିବା ବ୍ଲକ ତାଲିକାରେ ଭୁବନେଶ୍ୱର ଥିବାବେଳେ ଏବେ ଏଥିରେ ଜଟଣୀ ସାମିଲ ହେବବୋଲି ଆଶଙ୍କା ପ୍ରକାଶ ପାଇଲାଣି ।

ରାଜଧାନୀରେ ଏବେ ମାଳ ମାଳ ସୁଉଚ୍ଚ ଆପାର୍ଟମେଣ୍ଟ ଗଢି ଉଠୁଛି । ଏଗୁଡିକ ମଧ୍ୟରୁ ଅଧିକାଂଶ ବିଏମ୍‍ସି ଇଲାକାରେ ବାହାରେ ରହୁଛି । ଫଳରେ ଏହିସବୁ ସ୍ଥାନକୁ ପାଇପ୍‍ ଯୋଗେ ପାନୀୟଜଳ ସଂଯୋଗ ନାହିଁ । ତେଣୁ ଆପାର୍ଟମେଣ୍ଟ ନିର୍ମାଣ ପୂର୍ବରୁ ନିର୍ମାତାମାନେ ଉଚ୍ଚ କ୍ଷମତାସମ୍ପନ୍ନ ମୋଟର ସଂଯୋଗ କରି ଭୂତଳ ଜଳ ଉଠାଇବାର ବ୍ୟବସ୍ଥା କରୁଛନ୍ତି । ଗୋଟିଏ ଗୋଟିଏ ଆପାର୍ଟମେଣ୍ଟପାଇଁ ଏକାଧିକ ନଳକୂପ ଖୋଳୁଛନ୍ତି । ଏଠାରେ ଭୂତଳ ଜଳ ଶୋଷଣ ଉପରେ କୌଣସି ପ୍ରତିବନ୍ଧକ ନଥିବାରୁ ଯେତେବେଳେ ଇଚ୍ଛା ସେତେବେଳେ ମୋଟର ଲଗାଇ ପାଣି ଉଠାଉଛନ୍ତି ।

ଯଦିଓ ବଡ ବଡ ନିର୍ମାଣ ପାଇଁ ଭୂତଳ ଜଳ ପାଇବାକୁ ହେଲେ କେନ୍ଦ୍ରୀୟ ଭୂତଳ ଜଳବୋର୍ଡର ଅନୁମତି ଆବଶ୍ୟକ କିନ୍ତୁ ଏଭଳି ଅନୁମତି ଆଣିଥିବା ସଂସ୍ଥାଙ୍କର ସଂଖ୍ୟା ଢେର କମ୍‍ । କେବଳ ଆପାର୍ଟମେଣ୍ଟ ନୁହେଁ, ଛୋଟ ଛୋଟ ନିର୍ମାଣ କରୁଥିବା ବ୍ୟକ୍ତି ମଧ୍ୟ ନିଜର ସୁବିଧା ପାଇଁ ଘର ନିର୍ମାଣ ପୂର୍ବରୁ ଯାନ୍ତ୍ରିକ ଉପାୟରେ ଭୂତଳ ଜଳ ପାଇଁ ପାଇପ୍‍ ଖୋଳୁଛନ୍ତି ।

ବିଏମ୍‍ସି ଅଞ୍ଚଳରେ ଘର ନିର୍ମାଣ ପାଇଁ ପୂର୍ବରୁ ବିଡିଏ କର୍ତ୍ତୃପକ୍ଷ ଅନୁମତି ଦେଉଥିବାବେଳେ ଏବେ ବିଏମ୍‍ସି ଏହି ଅନୁମତି ପ୍ରଦାନ କରୁଛି । ତେବେ ଅନୁମତି ଦେବାପରେ ସମ୍ପୃକ୍ତ ଘର କିଭଳି ର୍ନିମାଣ ହେଉଛି ଓ ଏଥିପାଇଁ ଜଳ କେଉଁଠୁ ଆସୁଛି ତାହାର କୌଣସି ଯାଞ୍ଚ ହେଉନାହିଁ । ଫଳରେ ଲୋକେ ମନଇଚ୍ଛା ନଳକୂପ ଖୋଳି ଭୂତଳ ଜଳ ଉଠାଇବାରେ ଲାଗିଛନ୍ତି । ସେହଭଳି ବିଏମସି ସୀମା ବାହାରେ ଆପାର୍ଟମେଣ୍ଟ ଓ ଘର ନିର୍ମାଣ ପାଇଁ ବିଡିଏ କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରୁଥିବାବେଳେ ସେଠାରେ ମଧ୍ୟ ଜଳଉତ୍ସ ସଂକ୍ରାନ୍ତରେ ଅନୁଧ୍ୟାନ କରାଯାଉନାହିଁ । ଆଖିବୁଜା ଭୂତଳ ଜଳ ଶୋଷଣ ଫଳରେ ଏବେ ଭୁବନେଶ୍ୱର ବ୍ଲକରେ ଭୂତଳ ଜଳ ଦ୍ରୁତ ଗତିରେ ଖସିବାରେ ଲାଗିଛି ।

ଅନୁରୂପ ସ୍ଥିତି ଜଟଣୀ ବ୍ଲକରେ ଉପୁଜିବାର ଆଶଙ୍କା ସୃଷ୍ଟି ହେଲାଣି । କାରଣ ଆପାର୍ଟମେଣ୍ଟ ନିର୍ମତାମାନେ ଏବେ ଜଟଣୀ ମୁହାଁ ହୋଇଛନ୍ତି । ଜଟଣୀରେ ଏବେ ୫୨୨ଟି ଆପାର୍ଟମେଣ୍ଟ ଓ ଡୁପ୍ଲେକ୍ସ ନିର୍ମାଣ ପାଇଁ ଅନୁମତି ମିଳିସାରିଲାଣି । ଜଟଣୀ ପୌର ପ୍ରଶାସନ, ବିଏମସି ଓ ବିଡିଏ ପକ୍ଷରୁ ଏହି ଅନୁମତି ପ୍ରଦାନ କରାଯାଇଛି । ଏଠାରେ ମଧ୍ୟ ଆପାର୍ଟମେଣ୍ଟ ଓ ବହୁ ଘର ମାଲିକ ଭୂତଳ ଜଳ ଉପରେ ନିର୍ଭରଶୀଳ । ସମସ୍ତ ଆପାର୍ଟମେଣ୍ଟ ନିର୍ମାଣ ହୋଇ ଲୋକେ ବସବାସ କଲେ ଯେଉଁହାରରେ ଭୂତଳ ଜଳ ଟାଣିବେ ତାହା ଜଳସ୍ତରକୁ ଦ୍ରୁତ ବେଗରେ ତଳକୁ ଖସାଇଦେବ ବୋଲି ଆଶଙ୍କା ପ୍ରକାଶ ପାଉଛି ।

ତେବେ ଭୂତଳ ଜଳ ରିଚାର୍ଜ ପାଇଁ ଆପାର୍ଟମେଣ୍ଟଗୁଡିକ ଲାଗି ଯେଉଁସବୁ ନିୟମ ଓ ପରାମର୍ଶ ରହିଛି ତାହା ଅଧିକାଂଶ ପାଳନ କରୁନାହାନ୍ତି । ଆପାର୍ଟମେଣ୍ଟ ପରିସରରେ ବୃକ୍ଷରୋପଣ କରିବା ଓ ବର୍ଷାଜଳ ସଂରକ୍ଷଣ ପାଇଁ ନିର୍ମାତାମାନେ ଆଦୌ ଗୁରୁତ୍ୱ ଦେଉନାହାନ୍ତି । ଓଲଟା ଆପାର୍ଟମେଣ୍ଟ ଚାରିପଟେ କଂକ୍ରିଟ ଓ ପେଭରବ୍ଲକ ବିଛାଇ ଭୂତଳ ଜଳସ୍ତର ରିଚାର୍ଜକୁ ରୋକିବାରେ ଲାଗିଛନ୍ତି । ଉଭୟ ଭୂତଳ ଜଳ ଶୋଷଣ ଓ ଭୂତଳ ଜଳ ରିଚାର୍ଜରେ ଦେଖାଦେଉଥିବା ବାଧାର ବିଧିବଦ୍ଧ ଯାଞ୍ଚ କରାନଗଲେ ଅଳ୍ପଦିନ ମଧ୍ୟରେ ରାଜଧାନୀ ଓ ଏହାର ଆଖପାଖରେ ପାଣିଟୋପାଏ ମିଳିବା କଷ୍ଟକର ହୋଇପଡିବ ବୋଲି ପରିବେଶବିତ୍‍ମାନେ ମତ ଦେଉଛନ୍ତି । (ତଥ୍ୟ)