Home News in Odia ଜୁନ୍ ୨୪ରେ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ

ଜୁନ୍ ୨୪ରେ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ଶାସନ କାଳ ପୂର୍ତ୍ତି ଉପଲକ୍ଷେ ଆସନ୍ତା ଜୁନ୍ ୨୪ରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ରାଜ୍ୟବ୍ୟାପୀ ‘ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ’ ଆରମ୍ଭ କରାଯିବ । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ନାଗରିକମାନଙ୍କ ସହ ସମ୍ପର୍କକୁ ଅଧିକ ଦୃଢ଼ କରିବା, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାଗୁଡ଼ିକୁ ପ୍ରଦର୍ଶିତ କରିବା ଏବଂ ଓଡ଼ିଶାର ସହରାଞ୍ଚଳର ଭବିଷ୍ୟତକୁ ସମୃଦ୍ଧ କରିବାରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ।

ରାଜ୍ୟ ସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ପୁରୀ ଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ । ଏହା ସହିତ ସମାନ୍ତରାଳ ଭାବେ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଯେପରିକି ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ  ଗୁଡ଼ିକରେ ମଧ୍ୟ ସମାନ କାର୍ଯ୍ୟକ୍ରମ ଆୟୋଜନ କରାଯିବ, ଯାହାଫଳରେ ତୃଣମୂଳ ସ୍ତରରେ ନାଗରିକମାନଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରାଯାଇପାରିବ ।

ଏହି କାର୍ଯ୍ୟକ୍ରମ “ବିକଶିତ ଓଡ଼ିଶା ପାଇଁ ଜନ ଭାଗିଦାରୀ: ସଶକ୍ତ ନାଗରିକ – ସମାବେଶୀ ସହର – ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ” ବିଷୟବସ୍ତୁ ଆଧାରରେ ଆୟୋଜିତ ହେଉଛି । ବିଗତ ଦୁଇ ବର୍ଷ ମଧ୍ୟରେ ସହରାଞ୍ଚଳର ବିଭିନ୍ନ କ୍ଷେତ୍ର ଯେପରିକି ପାନୀୟ ଜଳ ଯୋଗାଣ, ପରିମଳ, ସୁଲଭ ମୂଲ୍ୟରେ ବାସଗୃହ, ସହରୀ ଭିତ୍ତିଭୂମି, ସାଧାରଣ ପରିବହନ ଏବଂ ଡିଜିଟାଲ୍ ଶାସନ କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ପ୍ରଗତିକୁ ସାମ୍ନାକୁ ଆଣି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ନାଗରିକମାନଙ୍କ ମଧ୍ୟରେ ଥିବା ସୂଚନାଗତ ବ୍ୟବଧାନକୁ ଦୂର କରିବା ଏହି କାର୍ଯ୍ୟକ୍ରମର ପ୍ରଧାନ ଉଦ୍ଦେଶ୍ୟ ଅଟେ ।

ଏହି ସମ୍ପର୍କ ଅଭିଯାନ ନାଗରିକ ଓ ସରକାରଙ୍କ ମଧ୍ୟରେ ଭାଗିଦାରୀକୁ ସୁଦୃଢ଼ କରିବା ସହ ‘ବିକଶିତ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭ ର ପରିକଳ୍ପନା ଅନୁଯାୟୀ ଓଡ଼ିଶାର ବିକାଶ ଯାତ୍ରାରେ ଜନସାଧାରଣଙ୍କ ମଧ୍ୟରେ ମାଲିକାନା ଭାବନା ଜାଗ୍ରତ କରିବା ପାଇଁ ପ୍ରସ୍ତୁତ କରାଯାଇଛି ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନାଗରିକମାନଙ୍କୁ ପ୍ରମୁଖ ସହରୀ ବିକାଶ ପ୍ରକଳ୍ପ, ଚାଲୁ ରହିଥିବା ଜନକଲ୍ୟାଣକାରୀ ଯୋଜନା ଏବଂ ସହରାଞ୍ଚଳ ରୂପାନ୍ତରଣ ପାଇଁ ସରକାରଙ୍କ ଆଗାମୀ ରୋଡ୍‌ମ୍ୟାପ୍ ବିଷୟରେ ଅବଗତ କରାଯିବ। ଏହି ଅବସରରେ ‘ସହଯୋଗ’  ଯୋଜନା ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ସ୍ୱଚ୍ଛ ସାର୍ବଜନୀନ ବଣ୍ଟନ ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟାଦେଶ, ମଞ୍ଜୁରୀ ପତ୍ର ଏବଂ ଅଧିକାର ଦଲିଲ ପ୍ରଦାନ କରାଯିବ । ଏହାସହ ସହରୀ ଜୀବନଧାରଣର ମାନ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଥିବା ସଫେଇ କର୍ମଚାରୀ, ଟ୍ୟାକ୍ସ ସଂଗ୍ରହକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ , ଗୋଷ୍ଠୀଗତ ସହଭାଗୀ ଏବଂ ଅନ୍ୟାନ୍ୟ ସମ୍ମୁଖଭାଗର ସହରୀ ସେବା ପ୍ରଦାନକାରୀଙ୍କ ଅବଦାନକୁ ସ୍ୱୀକୃତି ଦିଆଯିବା ସହ ସେମାନଙ୍କୁ ସମ୍ମାନିତ କରାଯିବ ।