ଭୁବନେଶ୍ୱର : ମାଓ ପ୍ରବଣ ଇଲାକାରେ ୪ଜି ସଂଯୋଗ ଅତ୍ୟନ୍ତ ଧିମା ଚାଲୁଥିବା ଯୋଗୁଁ ସରକାରୀ ସ୍ତରରେ ଉଦବେଗପ୍ରକାଶ ପାଇଛି । ୨ଜି ଟାୱାରଗୁଡିକୁ ୪ଜିକୁ ଉନ୍ନୀତ କରାଯିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ଟେଲିଫୋନ୍ କମ୍ପାନୀଗୁଡିକୁ କୁହାଯାଉଥିଲେ ସୁଦ୍ଧା ଏ କ୍ଷେତ୍ରରେ ଅହେତୁକ ବିଳମ୍ବ ପରିଲକ୍ଷିତ ହେଉଛି ।
କେନ୍ଦ୍ର ସରକାର ମୋବାଇଲ୍ ସଂଯୋଗ ପାଇଁ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରୁଥିବାବେଳେ ମାଓ ଉପଦ୍ରୁତ ଇଲାକା ଓ ଆଙ୍କାକ୍ଷୀ ଜିଲ୍ଲାମାନଙ୍କରେ ଟେଲି ଯୋଗାଯୋଗ ବ୍ୟବସ୍ଥା ଦୁର୍ବଳ ରହିଛି । ବର୍ତ୍ତମାନ ଦେଶରେ ୫ଜି ର ପ୍ରବର୍ତ୍ତନ ହୋଇଥିବାବେଳେ ଦୁର୍ଗମ ଇଲାକାଗୁଡିକରେ ୨ଜି ଟାୱାର କାର୍ଯ୍ୟ କରୁଛି, ଯାହାଫଳରେ କି ଶତାଧିକ ଗ୍ରାମ ମୋବାଇଲ ସେବାରୁ ବଞ୍ଚିତ ହେଉଛନ୍ତି ।
ଅଗ୍ରାଧିକାର ଭିତ୍ତିରେ ମୋବାଇଲ ଟାୱାର ଲଗାଇବାପାଇଁ ରାଜ୍ୟ ସରକାର ବିଏସଏନଏଲ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଇବାପରେ ଟାୱାର ସିନା ପ୍ରତିଷ୍ଠା ହୋଇଯାଉଛି କିନ୍ତୁ ୨ଜି ରୁ ୪ଜିକୁ ଉନ୍ନୀତ କରିବାପାଇଁ ଯେଉଁ ଯୋଜନା ରହିଛି ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ । ମାଓପ୍ରବଣ ଇଲାକାରେ ୨୫୬ଟି ମୋବାଇଲ ଟାୱାର ବସାଯାଇଥିବାବେଳେ ମାତ୍ର ୬୪ଟି ଟାୱାରରେ ୪ଜି ସଂଯୋଗ କରାଯାଇଛି । ଅନ୍ୟ ସମସ୍ତ ଟାୱାର ୨ଜିରେ ଚାଲିଛି ।
ଆମ ରାଜ୍ୟର ଟେଲି ସାନ୍ଧ୍ରତା ଜାତୀୟ ହାର ତୁଳନାରେ କମ୍ ରହୁଛି । ଜାତୀୟ ସ୍ତରରେ ଏହା ୮୫ ପ୍ରତିଶତ ଥିବାବେଳେ ଓଡିଶାରେ ୮୪ପ୍ରତିଶତ ବୋଲି କର୍ତ୍ତୃପକ୍ଷ କହୁଛନ୍ତି । କିନ୍ତୁ ପ୍ରକୃତ ପକ୍ଷେ ୪ଜି ଓ ୫ଜି ସାନ୍ଧ୍ରତାକୁ ହିସାବକୁ ନିଆଗଲେ ଓଡିଶା ବହୁ ପଛରେ ପଡିଛି ।
ବିଏସଏନଏଲ ଭଳି ରିଲାୟନ୍ସ ଜିଓ ମଧ୍ୟ ଏହି ଦାୟିତ୍ୱରେ ଥିବାବେଳେ ଜଙ୍ଗଲ ଇଲାକାରେ ସେମାନଙ୍କୁ ଟାୱାର ପ୍ରତିଷ୍ଠା ପାଇଁ ସୁରୁଖୁରୁରେ ଅନୁମତି ମିଳୁନଥିବା ଅଭିଯୋଗ ମିଳିଛି । ତେଣୁ ଏ ସଂକ୍ରାନ୍ତରେ ଉପୁଜିଥିବା ଅନ୍ତରାୟକୁ ଦୂର କରିବାପାଇଁ ରାଜ୍ୟ ସରକାରଙ୍କ ତରଫରୁ ପଦକ୍ଷେପ ନେବାକୁ ଟେଲିଯୋଗାଯୋଗ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି ।
ଏ ସଂକ୍ରାନ୍ତରେ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରି ଜିଲ୍ଲାସ୍ତରରେ ଯେଉଁସବୁ ଅନ୍ତରାୟ ଉପୁଜୁଛି ତାହା ଦୂର କରିବାପାଇଁ ପରାମର୍ଶଦେବା ସଂଗେ ସଂଗେ ଜଙ୍ଗଲ ଭିତରେ ଟାୱାର ପ୍ରତିଷ୍ଠାପାଇଁ ଅନୁମତି ଯେଭଳି ସୁରୁଖୁରୁରେ ମିଳିପାରିବ ସେଥିପାଇଁ କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ସହିତ ଯୋଗସୂତ୍ର ରକ୍ଷା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଟେଲିଯୋଗାଯୋଗ ଭିତ୍ତିଭୂମି ଯେଭଳି ଦୁର୍ବଳ ସେଥିପାଇଁ ଦୁର୍ବଳ ସଡକ ବ୍ୟବସ୍ଥାକୁ ମଧ୍ୟ ଦାୟୀ କରାଯାଉଛି । କାରଣ ସଡକ ସୁବିଧା ନଥିବାରୁ ଟାୱାର ପ୍ରତିଷ୍ଠା କ୍ଷେତ୍ରରେ ଓ ଏହାକୁ ଉନ୍ନୀତ କରିବା ନିମନ୍ତେ ଅନ୍ତରାୟ ଉପୁଜୁଛି । ତେଣୁ ଦୁର୍ଗମ ଇଲାକାରେ ସଡକ ଯୋଗାଯୋଗକୁ ତ୍ୱରାନ୍ୱିତ କରିବା ସକାଶେ ସରକାର ପଦକ୍ଷେପ ଗ୍ରହଣ କରୁଥିବା ଜଣାଯାଇଛି । ସଡକ ପ୍ରତିଷ୍ଠା କ୍ଷେତ୍ରରେ ଡିଏମଏଫ୍ ଫଣ୍ଡ୍, କେବିକେ ଭିତ୍ତିଭୂମି ପାଣ୍ଠି ଓ ସେତୁ ପାଣ୍ଠିରୁ ତ୍ୱରାନ୍ୱିତ ଭାବେ ସଡକ ନିର୍ମାଣ କରାଯାଇ ଟେଲି ଯୋଗାଯୋଗ ପ୍ରକଳ୍ପଗୁଡିକୁର ୪ଜି ସଂଯୋଗୀକରଣ କ୍ଷେତ୍ରରେ ସହାୟକ ଭୂମିକା ଗ୍ରହଣ କରିବା ସକାଶେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଏ । (ତଥ୍ୟ)

