Home News in Odia ଦୁର୍ନୀତି ମାମଲାରେ ଫଇସଲା କମ୍‍ ଓ ଦଣ୍ଡ ଅଧିକ

ଦୁର୍ନୀତି ମାମଲାରେ ଫଇସଲା କମ୍‍ ଓ ଦଣ୍ଡ ଅଧିକ

ଭୁବନେଶ୍ୱର : ଦୁର୍ନୀତି ନିବାରଣ ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ପ୍ରାୟ ୫୦ ପ୍ରତିଶତ ରହୁଥିବାବେଳେ ଆୟ ବହିର୍ଭୂତ ସଂପତ୍ତି ମାମଲାରେ ଦଣ୍ଡବିଧାନ ହାର ୮୦ ପ୍ରତିଶତ ଥିବା ରେକର୍ଡ କରାଯାଇଛି ।

୨୦୨୫-୨୬ ବର୍ଷରେ ଦୁର୍ନୀତି ନିବାରଣ ବିଭାଗ ୩୪୦ ଜଣ ବ୍ୟକ୍ତିଙ୍କ ବିରୋଧରେ ୨୦୫ଟି ଫୌଜଦାରୀ ମାମଲା ରୁଜୁ କରିଥିଲା । ଏମାନଙ୍କ ଭିତରେ ୫୪ଜଣ ପ୍ରଥମ ଶ୍ରେଣୀ ପାହ୍ୟାର, ୩୯ଜଣ ଦ୍ୱିତୀୟ ଶ୍ରେଣୀ ପାହ୍ୟାର, ୧୬୩ଜଣ ତୃତୀୟ ଶ୍ରେଣୀ ପାହ୍ୟାର ଓ ୭ଜଣ ଚତୁର୍ଥ ଶ୍ରେଣୀ ପାହ୍ୟାର ସରକାରୀ କର୍ମଚାରୀ ଥିବାବେଳେ ଆଉ ୧୬ଜଣ ପବ୍ଲିକ୍‍ ସର୍ଭେଣ୍ଟ ଓ ୬୧ଜଣ ବେସରକାରୀ ବ୍ୟକ୍ତି ଥିବା ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ଜଣାପଡିଛି ।

୨୦୨୫-୨୬ ବର୍ଷରେ ୪୯ଟି ଆୟ ବହିର୍ଭୂତ ସଂପତ୍ତି ମାମଲା ୮୯ଜଣଙ୍କ ବିରୋଧରେ ଦରଜ ହୋଇଛି, ଯେଉଁମାନଙ୍କ ଭିତରେ ୨୫ଜଣ ପ୍ରଥମ ଶ୍ରେଣୀ ଓ ୧୩ଜଣ ଦ୍ୱିତୀୟ ଶ୍ରେଣୀ ପାହ୍ୟାର ଅଧିକାରୀ ଅଛନ୍ତି । ଏହି ମାମଲାଗୁଡ଼ିକରେ ପ୍ରାୟ ୧୨୦ କୋଟି ୭୪ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଥିବା ଅଭିଯୋଗ ହୋଇଛି । ଏହାଛଡ଼ା ଲାଞ୍ଚ ନେବାବେଳେ ୧୧୬ଜଣଙ୍କୁ ଧରି ସେମାନଙ୍କ ବିରୋଧରେ ୯୮ଟି ମାମଲା ମଧ୍ୟ ରୁଜୁ ହୋଇଛି ଏବଂ ଏହି ଲାଞ୍ଚର ପରିମାଣ ୨୬ଲକ୍ଷ ଟଙ୍କାରୁ ଅଧିକ ଥିବା ଜଣାପଡିଛି । ଏହି ମାମଲାରେ ୧୪ଜଣ ପ୍ରଥମ ଶ୍ରେଣୀ ଓ ୧୭ଜଣ ଦ୍ୱିତୀୟ ଶ୍ରେଣୀ ପାହ୍ୟାର ଅଧିକାରୀ ସଂପୃକ୍ତ ଥିବାବେଳେ ୭୦ଜଣ ତୃତୀୟ ଶ୍ରେଣୀ ପାହ୍ୟାର ଅଧିକାରୀ ଅଛନ୍ତି ।

ଉକ୍ତ ବର୍ଷରେ ସରକାରୀ ଅର୍ଥ ତୋଷରପାତ ଅଭିଯୋଗରେ ୧୩୫ଜଣ ବ୍ୟକ୍ତିଙ୍କ ବିରୋଧରେ ୫୮ଟି ମାମଲା ରୁଜୁ ହୋଇଛି । ଏମାନଙ୍କ ଭିତରେ ୧୫ଜଣ ପ୍ରଥମ ଶ୍ରେଣୀ ଓ ୯ଜଣ ଦ୍ୱିତୀୟ ଶ୍ରେଣୀ ପାହ୍ୟାର ଅଧିକାରୀ ଥିବାବେଳେ ୭୬ଜଣ ତୃତୀୟ ଶ୍ରେଣୀ ପାହ୍ୟାର କର୍ମଚାରୀ ଅଛନ୍ତି । ଏହି ବାଟମାରଣା ଅର୍ଥର ପରିମାଣ ୨୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି । ଦୁର୍ନୀତି ନିବାରଣ ବିଭାଗ ଉକ୍ତ ବର୍ଷରେ ୩୫ଜଣ ପ୍ରଥମ ଶ୍ରେଣୀ ଓ ୩୩ଜଣ ଦ୍ୱିତୀୟ ଶ୍ରେଣୀ ପାହ୍ୟାର ଅଧିକାରୀଙ୍କ ସହିତ ୨୧୪ଜଣଙ୍କୁ ଗିରଫ କରିଥିଲା । ତେବେ ଭିଜିଲାନ୍ସ ମାମଲାରେ ୨୦୨୫-୨୬ ବର୍ଷରେ ୧୦୮ଟିରେ ଦଣ୍ଡବିଧାନ ହୋଇଛି ଯେଉଁଥିରେ ୨୦ଜଣ ପ୍ରଥମ ଶ୍ରେଣୀ ଓ ୨୩ଜଣ ଦ୍ୱିତୀୟ ଶ୍ରେଣୀ ପାହ୍ୟାର ଅଧିକାରୀ ଓ ୭୪ଜଣ ତୃତୀୟ ଶ୍ରେଣୀ ପାହ୍ୟାର କର୍ମଚାରୀଙ୍କ ସମେତ ମୋଟ ୧୩୫ଜଣ ଅଭିଯୁକ୍ତ ଅଛନ୍ତି ।

ଅନ୍ୟପକ୍ଷରେ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଚଳିତ ମାସରେ ପ୍ରକାଶ କରିଥିବା କ୍ରାଇମ୍‍ ଇନ୍‍ ଇଣ୍ଡିଆ-୨୦୨୪ ରିପୋର୍ଟରେ ୨୦୨୪ ବର୍ଷରେ ଓଡ଼ିଶାରେ ବିଚାର ପାଇଁ ଥିବା ୩୯୮୮ଟି ଦୁର୍ନୀତି ନିବାରଣ ମାମଲାରୁ ୨୫୭ଟି ଫଇସଲା ହୋଇଥିବାବେଳେ ସେଥିରୁ ୧୦୫ଟିରେ ଦଣ୍ଡବିଧାନ ହୋଇଛି ଓ ୧୧୭ଟିରେ ଅଭିଯୁକ୍ତମାନେ ଖସିଯାଇଛନ୍ତି । ମୋଟାମୋଟି ଭାବେ ଉକ୍ତ ବର୍ଷରେ ଓଡ଼ିଶାରେ ଦୁର୍ନୀତି ନିବାରଣ ମାମଲାରେ ଦଣ୍ଡବିଧାନ ହାର ୪୭.୩ ପ୍ରତିଶତ ରହିଛି ଯାହା ଜାତୀୟ ହାରଠାରୁ ଅଧିକ । ତେବେ ଯେତେ ସଂଖ୍ୟକ ମାମଲା ବିଚାର ପାଇଁ ରହିଥିଲା ସେଥିରୁ ମାତ୍ର ୬.୪ ପ୍ରତିଶତ ଓଡ଼ିଶାରେ ଫଇସଲା ହୋଇଥିବାବେଳେ ଆଉ ୯୩.୬ ପ୍ରତିଶତ ବକେୟା ମାମଲା ଭାବେ ପରବର୍ଷକୁ ଗଡ଼ିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।(ତଥ୍ୟ)