Home News in Odia ନିଜ ହାତରେ ସ୍ୱଚ୍ଛ ସର୍ବେକ୍ଷଣ

ନିଜ ହାତରେ ସ୍ୱଚ୍ଛ ସର୍ବେକ୍ଷଣ

ଭୁବନେଶ୍ୱର : ରାଜଧାନୀରେ ସ୍ୱଚ୍ଛ ସର୍ବେକ୍ଷଣର ମଙ୍ଗ ଧରିଛି ଏବେ ଖୋଦ୍‍ ବିଏମସି । ବିଏମସିର କର୍ମଚାରୀମାନେ ଘରକୁ ଘର ବୁଲି ଲୋକଙ୍କ ମୋବାଇଲ୍‍ ଫୋନ୍‍ରେ ସର୍ଭେ କରୁଛନ୍ତି ଓ ନମ୍ବର ଦେଉଛନ୍ତି । ଯେଉଁ କାମ ସାଧାରଣ ଲୋକେ କରିବାକଥା ତାହା ବିଏମସି ନିଜଆଡୁ ବାଧ୍ୟ ହୋଇ କରୁଛି ।

ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ରହିଛି ସ୍ୱତନ୍ତ୍ର ଆପ୍‍ । ସହରବାସୀ ଏଥିରେ ନିଜ ମୋଇଲ୍‍ ନମ୍ବର ଦେଇ ସର୍ଭେରେ ଭାଗ ନେଇପାରିବେ । ନିଜ ନିଜ ଅଞ୍ଚଳ କେତେ ସଫା ସୁତୁରା ରହୁଛି ସେହି ଅନୁଯାୟୀ ସେମାନେ ନମ୍ବର ଦେବେ ଓ ତାହାରି ଆଧାରରେ ଭୁବନେଶ୍ୱର କେତେ ସଫା ରହୁଛି ତାହା ଜଣାପଡିବ । ଜାତୀୟ ସ୍ତରର ପ୍ରତିଯୋଗିତାରେ ମଧ୍ୟ ଏହି ନମ୍ବର ଅନୁଯାୟୀ ସହରକୁ ସ୍ଥାନ ମିଳିବ ।

ତେବେ ସାଧାରଣ ଲୋକଙ୍କ ବଦଳରେ ବିଏମସିର କର୍ମଚାରୀମାନେ ଏବେ ହାତରେ ମୋବାଇଲ ଧରି ଘରକୁ ଘର ବୁଲୁଛନ୍ତି । ଲୋକଙ୍କ ମୋବାଇଲ୍‍ ନମ୍ବର ପଚାରି ଦରଜ କରୁଛନ୍ତି । ଏହାପରେ ଲୋକଙ୍କ ମୋବାଇଲ୍‍କୁ ଆସୁଥିବା ଓଟିପିକୁ ସଂଗ୍ରହକରି ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତାରେ ନମ୍ବର ଦେଉଛନ୍ତି । ଲୋକଙ୍କ ମତାମତ ଲୋଡୁ ନାହାନ୍ତି । ତେବେ ଯେଉଁମାନେ ଏହି ସର୍ବେକ୍ଷଣ ବିଷୟରେ ପଚାରୁଛନ୍ତି ସେମାନଙ୍କୁ ଘରକୁ ଘର ଅଳିଆ ଉଠୁଛି କି ନାହିଁ ସେ ସଂକ୍ରାନ୍ତରେ ସର୍ଭେ ହେଉଥିବା କହୁଛନ୍ତି । ଯଦି କେଉଁମାନେ ନିଜ ନିଜ ଘର ଆଗରେ ପଡିଥିବା ଅଳିଆକୁ ଦେଖାଉଛନ୍ତି ତେବେ ସେହି ଅଞ୍ଚଳର ସାନିଟାରୀ ଇନ୍ସପେକ୍ଟରଙ୍କୁ ଜଣାଇବେ ବୋଲି କହି କର୍ମଚାରୀମାନେ ପଳାଇ ଯାଉଛନ୍ତି ।

ସବୁଠାରୁ ମଜାର କଥା ହେଲା ଗୋଟିଏ ମୋବାଇଲରେ ଓଟିପି ଆସି ସର୍ବେକ୍ଷଣ କାର୍ଯ୍ୟ ସାରିବାପରେ ଘରେ ଆଉ କାହାର ମୋବାଇଲ ଅଛି କି ନାହିଁ ପଚାରୁଛନ୍ତି । ଯଦି କିଏ ହଁ ମାରିଲା ତେବେ ଘରପିଛା ଏକାଧିକ ମୋବାଇଲ୍‍ ନମ୍ବରରେ ସର୍ବେକ୍ଷଣ କାର୍ଯ୍ୟ ସାରିଦେଉଛନ୍ତି । ବିଏମସିର ଏଭଳି ଘରକୁ ଘର ବୁଲି ସ୍ୱଚ୍ଛ ସର୍ବେକ୍ଷଣ ଚଳାଇବା ଏବେ ସହରର ପରିମଳ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । କାରଣ ସ୍ୱଚ୍ଛ ସର୍ବେକ୍ଷଣ ହେଉଥିବାନେଇ ବିଏମସି ପକ୍ଷରୁ ବ୍ୟାପକ ପ୍ରଚାର କରାଯାଇଥିବାବେଳେ ସାଧାରଣ ଲୋକେ ଏଥିରେ ଭାଗନେଇ ସେମାନଙ୍କର ମତାମତ ରଖିବାକଥା । କିନ୍ତୁ ତାହା ବଦଳରେ ବିଏମସି କର୍ମଚାରୀମାନେ ଘରକୁ ଘର ବୁଲି ନିଜକୁ ନିଜେ ସାବାସୀ ଦେବାରେ ଲାଗିଛନ୍ତି ।

ବିଏମସିର ୬୭ଟି ୱାର୍ଡ ମଧ୍ୟରୁ ଅଧିକାଂଶର ସଫେଇ ଦାୟିତ୍ୱ ରହିଛି ଘରୋଇ ସଂସ୍ଥା ହାତରେ । ଏହି ସଂସ୍ଥାଗୁଡିକ ହିଁ ମନଇଚ୍ଛା କାର୍ଯ୍ୟ କରୁଛନ୍ତି । ଯେଉଁଠି ସଫେଇ କାର୍ଯ୍ୟ ପାଇଁ ୪ଜଣ ଝାଡୁଦାର ଆବଶ୍ୟକ ସେଠାରେ ଜଣକରେ କାମ ଚଳାଇ ନେଉଛନ୍ତି । ରାସ୍ତାଘାଟରୁ ଅଳିଆ ଉଠାଇବା କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି । ଅଧିକ କାମ ଯୋଗୁଁ ବହୁ ଅଞ୍ଚଳରେ ସବୁଦିନ ରାସ୍ତାଘାଟରେ ଝାଡୁ ମରାଯାଉ ନାହିଁ କିମ୍ବା ଅଳିଆ ଉଠୁନାହିଁ ।

ସହରର ପରିମଳ ବ୍ୟବସ୍ଥା ତଦାରଖ ପାଇଁ ପ୍ରତ୍ୟେକ ୱାର୍ଡରେ ଗୋଟିଏ ୱାର୍ଡ ଅଫିସ, ୱାର୍ଡ ଅଫିସର ଓ ସାନିଟାରୀ ଇନ୍ସପେକ୍ଟରମାନେ ରହିଛନ୍ତି । ଏହା ସତ୍ୱେ ବି ବିଭିନ୍ନ ସ୍ଥାନରେ ଦିନ ଦିନ ଧରି ଅଳିଆ ଗଦାହୋଇ ରହୁଛି । ସହରରେ କେବଳ ଘରକୁ ଘର ଅଳିଆ ସଂଗ୍ରହ କାର୍ଯ୍ୟଟି ସୁଚାରୁରୂପେ ହେଉଥିବାବେଳେ ରାସ୍ତାଘାଟ ସଫା ଓ ଅଳିଆ ଉଠା ଠିକାନେଇଥିବା ସଂସ୍ଥାଙ୍କ ମର୍ଜିରେ ଚାଲିଥିବା ଲକ୍ଷ୍ୟ କରାଯାଇଛି । (ତଥ୍ୟ)