ଭୁବନେଶ୍ୱର : ଲୋକେ ଏଣିକି ଘରେ ବସି ଜମିଜମା ପଞ୍ଜିକରଣ କରିପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଏହି ବ୍ୟବସ୍ଥା ରାଜ୍ୟର ୫ଟି ଜିଲ୍ଲା ପଞ୍ଜିକରଣ ଦପ୍ତରରେ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରାଯିବ ।
ପଞ୍ଜିକରଣ ସେବାରେ ଅଧିକ ସ୍ୱଚ୍ଛାତା ଆଣିବା ସହିତ ୫-ଟି ଅଧିନରେ ଲୋକଙ୍କୁ ଅଧିକ ସୁବିଧା ଯୋଗାଇବାକୁ ରାଜ୍ୟ ସରକାର ଅନ୍ଲାଇନ୍ ବ୍ୟବସ୍ଥାରେ ଅଧିକ ସୁଧାର ଆଣିବେ । ତଦନୁଯାୟୀ ଓଡିଶା ସରକାର ଇନ୍ସପେକ୍ଟର ଜେନେରାଲ ରେଜିଷ୍ଟ୍ରସନଙ୍କ ପୋର୍ଟାଲ ଜରିଆରେ ଅନ୍ଲାଇନ୍ ମୋଡରେ ପଞ୍ଜିକରଣ ବ୍ୟସ୍ଥାରେ ଉନ୍ନତି ଆଣିବେ ।
ଏହି ସଂସ୍କାର ବ୍ୟବସ୍ଥା ଦ୍ୱାରା ଜମିଜମା ପଞ୍ଜିକରଣ ପାଇଁ ଅନ୍ଲାଇନରେ କାଗଜପତ୍ର ଦାଖଲ, ସ୍ଲଟ ବୁକିଂ ଏବଂ ଟୋକନ ବ୍ୟବସ୍ଥାକୁ ରାଜ୍ୟର ୫ଟି ଜିଲ୍ଲା ପଞ୍ଜିକରଣ କାର୍ଯ୍ୟାଳୟ କଟକ, ଜଗତ୍ସିଂହପୁର, ଢେଙ୍କାନାଳ, ଖୋରଧା ଓ ଖଣ୍ଡଗିରିରେ ଠାରେ ଥିବା ସବରେଜିଷ୍ଟ୍ରାରଙ୍କ ଦପ୍ତରରେ ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ କରାଯିବାପାଇଁ ପଦକ୍ଷେପ ନିଆଯାଉଛି । ଏହି ପଞ୍ଜିକରଣ ଦପ୍ତରଗୁଡିକ ମଡେଲ ଦପ୍ତର ହେବା ସହିତ ଲୋକେ କାଗଜପତ୍ର ଆଦି ସଂକ୍ରାନ୍ତରେ ଭଲଭାବେ ଅବଗତ ହେବେ ଏବଂ ଅନ୍ୟ ପଞ୍ଜିକରଣ ଦପ୍ତରରେ ଏହା ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ ହେବ ।
ଏହି ବ୍ୟବସ୍ଥା ଦ୍ୱାରା ଜଣେ ସାଧାରଣ ବ୍ୟକ୍ତି ପଞ୍ଜିକରଣ କାର୍ଯ୍ୟାଳୟକ ବାରମ୍ବାର ନଯାଇ ତାହାର ଜମିଜମା ପଞ୍ଜିକରଣ କରିପାରିବ । ଏଥି ସହିତ ଷ୍ଟାମ୍ପ ଡ୍ୟୁଟି, ପଞ୍ଜିକରଣ ଫି ଏବଂ ଅନ୍ୟାନ୍ୟ ଦେୟ ଅନ୍ଲାଇନ୍ ପୈଠର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ବିଷ୍ଣୁ ପଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା ସ୍ଥିର ହୋଇଛି । ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଯେକୌଣସି ବ୍ୟକ୍ତି ଷ୍ଟାମ୍ପ ଡ୍ୟୁଟି, ପଞ୍ଜିକରଣ ଫି ଏବଂ ଅନ୍ୟାନ୍ୟ ଫି ଇଲେକଟ୍ରୋନିକାଲି ପଇଠ ସହିତ ଜମିଜମା ପଞ୍ଜିକରଣ ପାଇଁ ଆବଶ୍ୟକ ଦଲିଲ ଅନ୍ଲାଇନ୍ ରେ ଦାଖଲ କରିପାରିବେ ।
ଏଥିପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପଞ୍ଜିକରଣ ବ୍ରାଞ୍ଚର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିବାବେଳେ ଏଥିରେ ଅନ୍ୟ ସଦସ୍ୟ ବି ରହିଛନ୍ତି । ଇ-ରେଜିଷ୍ଟ୍ରେସନ ଆପ୍ଲିକେଶନରେ ଅନ୍ଲାଇନ୍ ଦଲିଲ ଲିଖନ ବ୍ୟବସ୍ଥା ଆହୁରି ସରଳ ଓ ବ୍ୟବହାର ଉପଯୋଗୀ କରାଯାଉଛି । ପଞ୍ଜିକରଣ ଦପ୍ତରକୁ ନଯାଇ ସମସ୍ତ ପ୍ରକାର କାଗଜପତ୍ର ପ୍ରସ୍ତୁତ ସକାଶେ ଏହା ଲୋକମାନଙ୍କୁ ସାହାଯ୍ୟ କରିବ ।
ଗୋଟିଏ ସ୍ଥାନରେ ଷ୍ଟାମ୍ପ ଡ୍ୟୁଟି, ପଞ୍ଜିକରଣ ଫି ଏବଂ ଅନ୍ୟାନ୍ୟ ଫି ଆଦାୟ ପାଇଁ ପଦକ୍ଷେପ ନିଅ।।ଉଥିବାବେଳେ ଏହା ଷ୍ଟକ ହୋଲଡିଂ କର୍ପୋରେସନ ଅଫ୍ ଇଣ୍ଡିଆ (ଏସ୍ସିଏଚ୍ଆଇଏଲ୍) ର ପେମେଣ୍ଟ ଗେଟୱେ ଜରିଆରେ ଆଦାୟ ହେବ ତାହାର ଅନୁଧ୍ୟାନ ଲାଗି ପଞ୍ଜିକରଣ ମହାନିର୍ଦ୍ଦେଶକଙ୍କୁ କୁହାଯାଇଛି । ପଞ୍ଜିକରଣ ଦପ୍ତରରେ ଭିଡ ହ୍ରାସ ପାଇଁ ବିକ୍ରେତା ଏବଂ ସାକ୍ଷୀଙ୍କର ବାୟୋମେଟିକ ଚିହ୍ନଟ ପାଇଁ ଟୋକନ ବ୍ୟବସ୍ଥା ହେବ । ପଞ୍ଜିକରଣ ଦପ୍ତର ଗୁଡିକ ଅନ୍ଲାଇନ୍ରେ ଆବେଦନ ହେଉଥିବା ଇସି ଓ ସିସିକୁ ଗୋଟିଏ ଦିନରେ ଅନୁମୋଦନ ଦେବେ । ସେଥିପାଇଁ ଆଇଜିଆର ପକ୍ଷରୁ ରାଜସ୍ୱ ବିଭାଗକୁ ଆବଶ୍ୟକ କମ୍ପ୍ୟୁଟର ହାର୍ଡୱେର ଓ ସଫ୍ଟୱେର ଆଦି ଯୋଗାଇ ଦିଆଯିବ । (ତଥ୍ୟ)