Home Finance ଟ୍ରକକୁ ୪୪ଲକ୍ଷର ଜୋରିମାନା

ଟ୍ରକକୁ ୪୪ଲକ୍ଷର ଜୋରିମାନା

ଭୁବନେଶ୍ୱର : ଓଡିଶା ଭିତରକୁ ପ୍ରବେଶ କରିଥିବା ଦିଲ୍ଲୀର ଗୋଟିଏ ମାଲ ବୋଝେଇ ଟ୍ରକ ଠାରୁ ଆଦାୟ ହୋଇଛି ୪୪ଲକ୍ଷ ଟଙ୍କାରୁ ଅଧିକ ଜୋରିମାନା । ବାଣିଜ୍ୟକର ଏବଂ ଜିଏସ୍‍ଟିର ବଡବିଲ୍‍ ସ୍ଥିତ ଏନ୍‍ଫୋର୍ସମେଣ୍ଟ ସ୍କ୍ୱାଡ୍‍ ପକ୍ଷରୁ ଏହାକୁ କେନ୍ଦୁଝର ଜିଲ୍ଲାରେ ଧରାଯିବା ସହିତ ଏହି ବିପୁଳ ପରିମାଣର ଟିକସ ଆଦାୟ ହୋଇଛି ଯାହାକି କୌଣସି କୌଣସି ଗୋଟିଏ ଗାଡିଠାରୁ ଜୋରିମାନା ଆଦାୟ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ।

ମାମଲାର ବିବରଣୀରୁ ପ୍ରକାଶ ଯେ ଦିଲ୍ଲୀରୁ ମାଲ ବୋଝେଇ କରି ଆସିଥିବା ଏନ୍‍ଏଲ୍‍-ଓଆଇଏଲ୍‍-୬୭୬୫ ନମ୍ବର ଟ୍ରକଟି କେନ୍ଦୁଝର ବାଟ ଦେଇ ଭୁବନେଶ୍ୱର ଆସୁଥିଲା । ଚମ୍ପୁଆ ଥାନା ଅର୍ନ୍ତଗତ ରିମୁଳି ପେଟ୍ରୋଲ ପମ୍ପ ନିକଟରେ ଟ୍ରକଟି ଛିଡା ହୋଇଥିବାବେଳେ ଗତ ୨୬ ତାରିଖ ଦିନ ରାଜ୍ୟ ଟିକସ ଅଧିକାରୀ ସୂର୍ଯ୍ୟ ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଯାଇଥିବା ସ୍କ୍ୱାଡ୍‍ ଏହା ଉପରେ ସନ୍ଦେହ କରିଥିଲେ । ଏହି ସ୍କ୍ୱାଡରେ ଅତିରିକ୍ତ ଟିକସ ଅଧିକାରୀ ଅକ୍ଷୟ କୁମାର ପଣ୍ଡା, ମିହିର କିଶୋର ଜେନା, ରୁଦ୍ରସେନ ଜିତ୍‍ ଓ ସୁଶାନ୍ତ କୁମାର ପଣ୍ଡା ପ୍ରମୁଖ ଥିଲେ ।

ଟ୍ରକ ଡ୍ରାଇଭରକୁ ଡାକି ଗାଡିରେ ଥିବା ସାମଗ୍ରୀ ସଂକ୍ରାନ୍ତରେ ପଚାରିଥିବାବେଳେ ଏଥିରେ ଫର୍ଚୁନ ଖାଇବାତେଲ ଥିବା ସେ କହିଥିଲା । ଏହାପରେ କାଗଜପତ୍ର ଦେଖାଇବାକୁ ସ୍କ୍ୱାଡ୍‍ ସଦସ୍ୟମାନେ କହିଥିଲେ । ହେଲେ ଡ୍ରାଇଭର ଇ-ୱେ ବିଲ୍‍ କିମ୍ବା ଟ୍ୟାକ୍ସ ଇନ୍‍ଭଏସ ଭଳି କୌଣସି କାଗଜପତ୍ର ଦେଖାଇ ପାରିନଥିଲା । ଏହାପରେ ସ୍କ୍ୱାଡ୍‍ ସଦସ୍ୟମାନେ ଗାଡିଟିକୁ ଯାଞ୍ଚ କରିବାରୁ ଦେଖାଗଲା ଯେ ଟ୍ରକ ଭିତରେ ୩୨୦ ପ୍ୟାକେଟ୍‍ ପାନମସଲା ଓ ୩୨ ବ୍ୟାଗ ତମାଖୁ ଭର୍ତ୍ତିହୋଇ ରହିଛି । ସୁରକ୍ଷା ଦୃଷ୍ଟିରୁ ମାଲ ବୋଝେଇ ଟ୍ରକଟିକୁ ଚମ୍ପୁଆ ଥାନାକୁ ପଠାଇ ଦିଆଯାଇଥିଲା ।

ଏହାପରେ ଟିକସ ଅଧିକାରୀମାନେ ଜବତ ହୋଇଥିବା ସାମଗ୍ରୀ ପାଇଁ ଆଇନ୍‍ ଅନୁଯାୟୀ ଟିକସ, ଜୋରିମାନା ଓ ସେସ୍‍ ଆକାରରେ ୪୪,୬୪,୨୭୨ ଟଙ୍କା ପଇଠ ପାଇଁ ଦିଲ୍ଲୀରେ ଥିବା ମାଲିକଙ୍କୁ ଜଣାଇ ଦେଇଥିଲେ । ଦିଲ୍ଲୀରେ ରହୁଥିବା ଏହାର ମାଲିକ ତୁରନ୍ତ ଅନ୍‍ଲାଇନ୍‍ରେ ରାଜ୍ୟ ରାଜକୋଷକୁ ଅନୁରୂପ ପରିମାଣର ଅର୍ଥ ପଇଠ କରିଥିଲେ । ଜୋରିମାନା ପଇଠ ପରେ ଗାଡିଟିକୁ ଛାଡି ଦିଆଯାଇଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗୋଟିଏ ଯାନରୁ ଏତେ ପରିମାଣର ଟିକସ ଆଦାୟ ହେବା ରାଜ୍ୟରେ ପ୍ରଥମ ଘଟଣା । ବାଣିଜ୍ୟକର ଓ ଜିଏସ୍‍ଟି ଅଧିକାରୀଙ୍କର ଠିକଣା ପଦକ୍ଷେପ ଯୋଗୁଁ ଏହି ରେକର୍ଡ ପରିମାଣର ଟିକସ ଆଦାୟ ହୋଇପାରିଛି ।