Home General ବିଶ୍ଵ ଶିଶୁ ଶ୍ରମ ବିରୋଧ ଦିବସ ପାଳିତ

ବିଶ୍ଵ ଶିଶୁ ଶ୍ରମ ବିରୋଧ ଦିବସ ପାଳିତ

ଭୁବନେଶ୍ବର : ଆନ୍ତର୍ଜାତୀୟ ଶ୍ରମ ସଂଗଠନ ଦ୍ଵାରା ଏବର୍ଷର ବିଶ୍ଵ ଶିଶୁ ଶ୍ରମ ବିରୋଧ ଦିବସ ପାଳନ ପାଇଁ ଥିମ ରଖାଯାଇଛି “ଆସନ୍ତୁ ଆମର ପ୍ରତିବଦ୍ଧତା ଉପରେ କାର୍ଯ୍ୟ କରିବା: ଶିଶୁ ଶ୍ରମ ବନ୍ଦ କରିବା” । ବିଶ୍ବରେ ବର୍ଷ ବର୍ଷ ଧରି ହ୍ରାସ ହୋଇ ଚାଲିଥିବା ଶିଶୁ ଶ୍ରମର ହାର, କୋଭିଡ଼ ପରବର୍ତ୍ତୀ ସମୟରେ ବୃଦ୍ଧି  ପାଇଥିବାର ଦେଖାଯାଇଛି, ଏଣୁ ବର୍ତ୍ତମାନ ଶିଶୁ ଶ୍ରମକୁ ସମାପ୍ତ କରିବା ନିମନ୍ତେ ନିଆଯାଉଥିବା ପଦକ୍ଷେପକୁ  ଆହୁରି ତ୍ୱରାନ୍ୱିତ କରିବା ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ଓ ବର୍ତ୍ତମାନ ଶିଶୁ ଶ୍ରମକୁ ସମ୍ପୂର୍ଣ ରୂପେ ଦୂର କରିବା ପାଇଁ ସମୟ ଆସିଛି ବୋଲି ବହୁ ବିଶିଷ୍ଟ ବକ୍ତା ମତ ପ୍ରକାଶ କରିଛନ୍ତି ।

ବିଶ୍ଵ ଶିଶୁ ଶ୍ରମ ବିରୋଧ ଦିବସକୁ ପାଳନ କରିବା ପାଇଁ ଶିଶୁ ଶ୍ରମ ବିଲୋପ ଉପରେ ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀ ଇନଷ୍ଟିଚୁଟ୍ ଅଫ ଇଞ୍ଜିନିୟର୍ସ (ଭାରତ), ଭୁବନେଶ୍ୱର ଠାରେ ୧୨ ଜୁନ୍ ୨୦୨୪ ରେ ଆୟୋଜିତ ହୋଇଅଛି । ରାଜ୍ୟର ଅନ୍ଯତମ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲ୍ଚରାଲ ସେଣ୍ଟର (ପିକକ୍), ଏଇଆଇଏନ ର ସହଯୋଗରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା ।

ପିକକ୍ ର ଅଧକ୍ଷା ଡଃ ମୀନାକ୍ଷୀ ପଣ୍ଡାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସମ୍ମିଳନୀ ରେ ପିକକ୍ ର ସମ୍ପାଦକ ଶ୍ରୀଯୁକ୍ତ ରଂଜନ କୁମାର ମହାନ୍ତି ରେ ସ୍ୱାଗତ ଭାଷଣ ଦେଇ ଏହାର ଉଦ୍ଦେଶ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।  ନିରାପଦ ଏବଂ ଗୁଣାତ୍ମକ ଶିକ୍ଷା ଦ୍ଵାରା ଶିଶୁ ଶ୍ରମକୁ ବିଲୋପ କରିବା କରାଯାଇପାରିବ ତଥା ଏହି ଲକ୍ଷ୍ୟ ହାସଲ ପାଇଁ ସମସ୍ତ ସ୍ତରରେ ପ୍ରୟାସ କରାଯିବା ଉଚିତ୍ ବୋଲି ଶ୍ରୀଯୁକ୍ତ ମହାନ୍ତି ନିଜର ମତ ରଖିଥିଲେ ।

ଆମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଏହି ସମ୍ମିଳନୀ ର ଉଦ୍ଘାଟନ କରିଥିଲେ । ଏହି ସମ୍ମିଳନୀରେ ଯୋଗଦେଇ ଅବସରପ୍ରାପ୍ତ ବରିଷ୍ଟ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ଶ୍ରମ କମିଶନର ଅଶ୍ଵିନୀ କୁମାର ଦାସ କହିଲେ ଆମେ ସମସ୍ତେ ସଜାଗ ଓ ସଚେତନ ରହିଲେ ଶିଶୁ ଶ୍ରମ କୁ ରୋକାଯାଇ ପାରିବ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ପୂର୍ବତନ ଅଧକ୍ଷା ସନ୍ଧ୍ୟବତୀ ପ୍ରଧାନ ବାଧ୍ୟତାମୂଳକ ଶିକ୍ଷାହିଁ ଶିଶୁଶ୍ରମ କୁ ରୋକିବାରେ ସମର୍ଥ ହେବବୋଲି କହିଥିଲେ।  

ଅନ୍ୟମାନଙ୍କ ମଧ୍ୟରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା,  ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଓଡିଶା ରେରାର ସଦସ୍ୟ ପ୍ରଦୀପ କୁମାର ବିଶ୍ଵାଳ, ଇଉନିସେଫ ର ସୁଗତ ରାୟ, ଅବସରପ୍ରାପ୍ତ ବରିଷ୍ଟ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ଶ୍ରମ କମିଶନର ନିରଞ୍ଜନ ସାହୁ, ଶ୍ରମ ଅଧିକାରୀ, ଖୋର୍ଦ୍ଧା,  ପ୍ରଭାକର ବିଶ୍ଵାଳ, ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ପ୍ରଗତିଶୀଳ ମହିଳା ଫୋରୁମ ର ସଭାପତି ମମତା ସାମନ୍ତରାୟ ପ୍ରମୁଖ ଶିଶୁ ଶ୍ରମ କୁ ରୋକିବା ନିମନ୍ତେ ନିରନ୍ତର ଚେଷ୍ଟା ଓ ସବୁସ୍ତରରେ ଉଦ୍ୟମ ଓ ପ୍ରୟାସ, ସବୁ ବିଭାଗ ମଧ୍ୟରେ ସମନ୍ଵୟ ଓ ସହୋଯୋଗ, ଅଣସାଙ୍ଗଠନିକ ଓ ଘୋରୋଇ କ୍ଷେତ୍ରରେ ନିଯୋଜିତ ଶିଶୁ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉପରେ ଗୁରୁତ୍ଵ ଆରୋପ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୁବକ, ଶିଶୁ, ମହିଳା ଗୋଷ୍ଠୀ ସଦସ୍ୟ, ଆଶା କର୍ମୀ, ଶିକ୍ଷକ, ଅଙ୍ଗନବାଡିକର୍ମୀ ତଥା ବିଭିନ୍ନ ଅନୁଷ୍ଠାନ ର ଛାତ୍ରଛାତ୍ରୀ ଙ୍କ ସମେତ ପ୍ରାୟ ୨୦୦ ରୁ ଅଧିକ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଶିଶୁ ଶ୍ରମିକଙ୍କ ଉପରେ ଏକ ପୋଷ୍ଟର ର ଉନ୍ମୋଚିତ ହୋଇଥିଲ । ଶିଶୁ ଶ୍ରମର ଉଦ୍ଧାର ଏବଂ ପୁନଃର୍ବାସ ପାଇଁ ପିକକ୍ ର ପ୍ରୟାସ ଓ ଅଭିଜ୍ଞତା କୁ ନେଇ ସଂକଳିତ ହୋଇଥିବା ଏକ ପୁସ୍ତକ  “ପରିବର୍ତ୍ତନ ପାଇଁ ଶିକ୍ଷା… ଅକୁହା କାହାଣୀ” (ଏଜୁକେସନ ଫର ଚେଞ୍ଜ….ଅନଟୋଲ୍ଡ ଷ୍ଟୋରିଜ୍) ଶୀର୍ଷକ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପିକକ୍ ର ଉଦ୍ୟମରେ ଶିଶୁ ଶ୍ରମରୁ ଉଦ୍ଧାର ହୋଇ ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିବା ଶିଶୁ ଯଥା ଚନ୍ଦ୍ର ମାଝି,  ମମତା ଭୋଇ, ଅଜିତ ଭୋଇ ଏବଂ ସୋନାଲୀକା ଭୋଇ ପ୍ରମୁଖ ସେମାନଙ୍କ ସଫଳ କାହାଣୀ କହିଥିଲେ। ଶେଷରେ ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା  ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପିକକ୍ ର ରତ୍ନା ଦାଶ,  ଜ୍ୟୋତିଶଙ୍କର ମହାନ୍ତି, ଆଳ୍ପନା ଦାସ, ଡଃ ସୁମିତ୍ରା ମହାନ୍ତି, ପୂଜା ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।