ଭୁବନେଶ୍ୱର : ସମଗ୍ର ଦେଶରେ ବର୍ଷକୁ ୫ଲକ୍ଷ ଟନ୍ରୁ ଅଧିକ ଇ-ଆବର୍ଜନା ସଂଗୃହୀତ ଓ ବିଘଟନ ହେଉଥିବାବେଳେ ଆମ ରାଜ୍ୟରେ ଏହା ପାଖପାଖି ୫୦୦ ମେଟ୍ରିକ ଟନ୍ ରହିଛି । ରାଜ୍ୟର ସହରାଞ୍ଚଳରୁ ସିଂହଭାଗ ଇ-ଆବର୍ଜନା ବାହାରୁଥିବାବେଳେ ବର୍ତ୍ତମାନ ତାହାକୁ ଖୋଲାମେଲାରେ ପୋଡାଯାଉଥିବା ଦେଖିବାକୁ ମିଳୁଛି ।
କେନ୍ଦ୍ର ସରକାର ୨୧ ପ୍ରକାରର ବୈଦ୍ୟୁତିକ ଓ ଇଲେକଟ୍ରୋନିକ ସାମଗ୍ରୀକୁ ଇ-ଆବର୍ଜନା ତାଲିକାଭୁକ୍ତ କରିଛନ୍ତି । ଏଗୁଡିକର ବିଧିବଦ୍ଧ ସଂଗ୍ରହ ସହିତ ତାହାକୁ ପ୍ରକ୍ରିୟାକରଣ ପାଇଁ ମଧ୍ୟ କୁହାଯାଇଛି । କାରଣ ଅନ୍ୟ ସାମଗ୍ରୀଭଳି ଏଗୁଡିକର ପ୍ରକ୍ରିୟାକରଣ କରାଗଲେ ତାହା ପରିବୋ ଉପରେ କୁପ୍ରଭାବ ପକାଇଥାଏ । ଏପରିକି ଏହାର ପ୍ରଭାବରେ ଭୟଙ୍କର ରୋଗର ମଧ୍ୟ ଆଶଙ୍କା ରହିଛି ।
ହେଲେ ବର୍ତ୍ତମାନ ରାଜଧାନୀ ଠାରୁ ଆରମ୍ଭ କରି ରାଜ୍ୟର ବଡ ବଡ ସହରରେ ପ୍ରାଧିକୃତ ସଂସ୍ଥାରେ ଏଗୁଡିକର ପ୍ରକ୍ରିୟାକରଣ କରାଯିବା ପରିବର୍ତ୍ତେ କବାଡିଆମାନେ ଘରକୁ ଘର ବୁଲି ଏଗୁଡିକୁ ସଂଗୃହୀତ କରିବା ସହିତ ତାହାକୁ ଖୋଲା ମେଲାରେ ପୃଥକୀକରଣ କରୁଛନ୍ତି । ଏହିସବୁ ବସ୍ତୁରୁ ବାହାରୁଥିବା ସାମଗ୍ରୀକୁ ଅଲଗା ଅଲଗା କରି ବିବିକା ସହିତ ଯେଉଁଗୁଡିକ ବିକ୍ରିଯୋଗ୍ୟ ନୁହେଁ ତାହାକୁ ଖୋଲା ଆକାଶ ତଳେ ପୋଡି ଦେଉଛନ୍ତି ।
ରାଜ୍ୟ ରାଜଧାନୀରେ ଏବେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । କବାଡିଆମାନେ ଘରକୁ ଘର ବୁଲି ପୁରୁଣା ହୋଇଥିବାବା ଅଚଳ ହୋଇଯାଇଥିବା କମ୍ପ୍ୟୁଟର, ବ୍ୟାଟେରୀ ସମେତ ଅନ୍ୟାନ୍ୟ ବୈଦ୍ୟୁତିକ ଓ ଇଲେକଟ୍ରୋନିକ ସାମଗ୍ରୀ କିଣି ନେଉଛନ୍ତି । ସେଗୁଡିକ ଉଦ୍ଦିଷ୍ଟ ସ୍ଥାନରେ ପ୍ରକ୍ରିୟାକରଣ କରିବା ବଦଳରେ ବିଭିନ୍ନ ଜନବସତିରେ ତାହାକୁ ଗଦାଇ ରଖି ପୃଥକୀକରଣ କରୁଛନ୍ତି । ଏପରିକି ଛୋଟ ଛୋଟ ପିଲାଙ୍କୁ ଏହି ବିପଦଜନକ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ସେମାନେ ବ୍ୟାଟେରୀରୁ ସିସା ଓ ଏସିଡ୍ ଭଳି ସାମଗ୍ରୀ ଅତି ବିପଦସଙ୍କୁଳ ଅବସ୍ଥାରେ ବାହାର କରୁଛନ୍ତି । ସେହିଭଳି ଏଲଇଡି ଲାଇଟ୍ ଓ ଅନ୍ୟାନ୍ୟ ବୈଦ୍ୟୁତିକ ସରଞ୍ଜାମରେ ଲାଗିଥିବା ସାମଗ୍ରୀକୁ ମଧ୍ୟ ପୃଥକ କରୁଛନ୍ତି ।
ସାମଗ୍ରୀ ପୃଥକ ସରିଲାପରେ ଯେଉଁଗୁଡିକ ବିକ୍ରି କରାଯାଇ ପାରିବନାହିଁ ତାହାକୁ ରାତି ସମୟରେ ପୋଡୁଛନ୍ତି । ଏହା ଫଳରେ ଆଖପାଖ ଅଞ୍ଚଳରେ କଳା ଧୂଆଁ ଉଡିବା ସହିତ ରସାୟନିକ ଗନ୍ଧରେ ଲୋକେ ଅତିଷ୍ଠ ହୋଇ ପଡୁଛନ୍ତି । ପୁଲିସ୍ ପ୍ରଶାସନ ଠାରୁ ଆରମ୍ଭକରି ପ୍ରଦୂଷଣ ବୋର୍ଡ କର୍ତ୍ତୃପକ୍ଷ ସମସ୍ତେ ଏହା ଦେଖୁଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଲକ୍ଷ୍ୟ କରାଯାଉନାହିଁ ।
ତେବେ ସବୁଠାରୁ ବଡକଥା ହେଉଛି ନିଜ ନିଜର ଇ-ଆବର୍ଜନାକୁ ଲୋକେ କେଉଁଠାରେ ସହଜରେ ଫିଙ୍ଗିବେ ବା ବିକ୍ରି କରିବେ ତାହା ଜାଣିପାରୁ ନଥିବାରୁ କବାଡି ବାଲାଙ୍କ ହାତରେ ଏହିସବୁ ସାମଗ୍ରୀ ବିକିବାକୁ ବାଧ୍ୟ ହେଉଛନ୍ତି । କିଛିଦିନ ତଳେ ଇ-ଆବର୍ଜନା ସଂଗ୍ରହ ପାଇଁ ରାଜଧାନୀରେ ବୁଲୁଥିବା ଯାନକୁ ଆଉ ଦେଖିବାକୁ ମିଳୁନାହିଁ । ଫଳରେ ସହରରୁ ଦୈନିକ ବାହାରୁଥିବା ଟନ୍ ଟନ୍ ଇ-ଆବର୍ଜନା ଏବେ ସାଧାରଣ ଲୋକଙ୍କ ସହିତ ପରିବେଶ ପାଇଁ ମାରାତ୍ମକ ସ୍ଥିତି ସୃଷ୍ଟି କଲାଣି । (ତଥ୍ୟ)