Home Mining ୧୫ଟି ରତ୍ନ ପଥର ଖଣିର ନିଲାମ

୧୫ଟି ରତ୍ନ ପଥର ଖଣିର ନିଲାମ

ଭୁବନେଶ୍ୱର : ରାଜ୍ୟର ୧୫ଟି ମୂଲ୍ୟବାନ ରତ୍ନ ଆଦି ପଥର ଥିବା ଖଣି ଲିଜ୍‍ ପାଇଁ ଟେଣ୍ଡର ଜାରି ହୋଇଛି । ଏଥି ମଧ୍ୟରେ ୧୨ ଅଳଙ୍କାରିକ ପଥର ଖଣି ଥିବାବେଳେ ୨ଟି କ୍ୱାର୍ଜ ଓ ଗୋଟିଏ କ୍ୱାଟାଇଜ୍‍ ଖଣି ରହିଥିବା ଜଣାଯାଇଛି ।

ଏହିସବୁ ଖଣି ମଧ୍ୟରେ ବାହାରପଡା-ଜାମୁରିହା, ବେତାରସିଂ, ଡାମ୍ବା, ଡେରାବ (ପୂର୍ବ), ଲହୁସାହି, ନୂଆଗାଁ (ନୂଆଗଡ) , ତେନ୍ତୁଲିଖୁଣ୍ଟି, ବତୀଗୃହ ଓ ମୁଦ୍ରାଯୋଡି-ପୋଖରିଆ ଖଣି ଆଦି ରହିଛି । ଏହି ସମସ୍ତ ଖଣି ପାଇଁ ଇଲେକଟ୍ରୋନିକ ପ୍ରକ୍ରିୟାରେ ଟେଣ୍ଡର ଆହ୍ୱାନ କରାଯାଇଛି । ଟେଣ୍ଡର ସଂକ୍ରାନ୍ତୀୟ ସମସ୍ତ ସୂଚନା ଏମଏସଟିସି ୱେବସାଇଟ୍‍କୁ ମିଳିପାରିବ ।

ଟେଣ୍ଡରରେ ଅଂଶଗ୍ରହଣ ପାଇଁ ଇଚ୍ଛୁକ ସଂସ୍ଥାମାନେ ନିଜକୁ ୱେବସାଇଟ୍‍ ରେ ପଞ୍ଜିକୃତ କରିବେ । ସଫଳ ଭାବେ ପଞ୍ଜିକୃତ ହେବାପରେ ଯୋଗ୍ୟ ସଂସ୍ଥାଗୁଡିକୁ ଲଗିନ୍‍ ଓ ପାସ୍‍ୱାର୍ଡ ପ୍ରଦାନ କରଯିବ । ଏହା ଜରିଆରେ ସେମାନେ ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ । ତେବେ ଟେଣ୍ଡର ସଂକ୍ରାନ୍ତୀୟ ସମସ୍ତ ସୂଚନା ବିନା ମୂଲ୍ୟରେ ଏହି ୱେବସାଇଟ୍‍ରୁ ମିଳିପାରିବ ।

ଟେଣ୍ଡର କାଗଜପତ୍ର ଖରିଦର ଶେଷ ତାରିଖ ଚଳିତବର୍ଷ ଫେବୃୟାରୀ ୨ ତାରିଖ ଧାର୍ଯ୍ୟ ହୋଇଛି । ସେହିଭଳି ଏହାକୁ ଫେବୃୟାରୀ ୯ତାରିଖ ଅପରାହ୍ନ ୫ଟା ପୂର୍ବରୁ ଦାଖଲ କରିବାକୁ କୁହାଯାଇଛି । ପ୍ରତ୍ୟେକ ଖଣି ପାଇଁ ଟେଣ୍ଡରର ପେପରର ମୂଲ୍ୟ ୫୦ହଜାର ଟଙ୍କା ସହିତ ଜିଏସ୍‍ଟି ପଇଠ କରିବାକୁ ପଡିବ । ତେବେ ବତୀଗୃହ କ୍ୱର୍ଜାଟାଇଜ୍‍ ବ୍ଲକ, ଭାତୁଆବେଡା-ଚିରଙ୍ଗିଡିଡ କ୍ୱାର୍ଜ ବ୍ଲକ ଏବଂ ମୁଦ୍ରାଯୋଡି-ପୋଖରିଆ ବ୍ଲକ ପାଇଁ ଏହି ଦେୟ ଦେବାକୁ ପଡିବ ନାହିଁ । ସେହଭଳି କ୍ୱାର୍ଟାଇଜ୍‍ ଏବଂ କ୍ୱାର୍ଜ ବ୍ଲକ ପାଇଁ ଟେଣ୍ଡର କାଗଜର ମୂଲ୍ୟ ୧୦ହଜାର ଟଙ୍କାର ସହିତ ଜିଏସ୍‍ଟି ପଇଠ କରିବାକୁ ହେବ ।

ତେବେ ଯେଉଁ ଅଂଶଗ୍ରହଣକାରୀ ମାନେ ୨୦୨୨ ଅଗଷ୍ଟ ୨୨ରେ ପ୍ରଥମ ପର୍ଯ୍ୟାୟରେ ଏବଂ ୨୦୨୩ ମଇ ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ଏଥିପାଇଁ ଟେଣ୍ଡର କାଗଜ ଖରିଦ କରିଥିବେ ସେମାନେ ଚଳିତ ଥର ଟେଣ୍ଡର କାଗଜ ବାବଦ ଦେୟ ପ୍ରଦାନ କରିବେ ନାହିଁ । ଏହା କବେଳ ଖଣିଜ ବ୍ଲକ ପାଇଁ ଲାଗୁ ହେବ ।

ଟେଣ୍ଡର ପାଇଁ ତାଲିକାଭୁକ୍ତ ହୋଇଥିବା ମସସ୍ତ ୧୫ଟି ଖଣିରେ ଉଭୟ ଜଙ୍ଗଲ ବିଭାଗ, ସରକାରୀ ଓ ଘରୋଇ କିସମର ଜମି ରହିଛି । ସବୁଠାରୁ ବଡ ଖଣି ଡେରାବ (ପୂର୍ବ) ହୋଇଥିବାବେଳେ ଏଠାରେ ମୋଟ୍‍ ଜମିର ପରିମାଣ ୮୯ ହେକ୍ଟର ରହିଛି । ଏଥିରେ ସର୍ବାଧିକ ୮୫ ହେକ୍ଟର ଜଙ୍ଗଲ ଜମି ଥିବାବେଳେ ମାତ୍ର ୩ ହେକ୍ଟର ଘରୋଇ କିସମ ଜମି ଥିବା ଜଣାଯାଇଛି । (ତଥ୍ୟ)